ଲକ୍ଡାଉନ୍ କଟକଣାକୁ ଉଲ୍ଲଂଘନ କରି ନିଜ ପରିବାର ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ନିଲମ୍ବିତ ହେଲେ ବଡ଼ଚଣା ଥାନା ଅଧିକାରୀ ଟୁଇଟ୍ ଯୋଗେ ସୂଚନା ଦେଲେ ପୁଲିସ ମହାନିର୍ଦେଶକ
ଯାଜପୁର/କଟକ: ଲକ୍ଡାଉନ୍ ସମୟରେ ଶ୍ରୀମନ୍ଦିରରେ ପ୍ରବେଶ କରି ଫସିଲେ ବଡଚଣା ଥାନା ଅଧିକାରୀ। ନିଜ ପରିବାର ସହ ଶ୍ରୀମନ୍ଦିରକୁ ପ୍ରବେଶ କରିଥିବା ଘଟଣାରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ ପୁଲିସ ମହାନିର୍ଦେଶକ ଅଭୟ ନିଲମ୍ବିତ କରିଛନ୍ତି।
ପୁରୀ ସିଂହଦ୍ୱାର ଥାନାରେ ମଧ୍ୟ ତାଙ୍କ ବିରୋଧରେ ମାମଲା ପଞ୍ଜୀକୃତ ହୋଇଛି ଏବଂ ଏହାର ତଦନ୍ତ ଚାଲିଛି। ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦେଶକ।
DGP has placed Inspector Deepak Kumar Jena IIC Badachana PS under suspension for his misconduct.
Puri Singhdwar PS Case no 40/2020 has also been registered against him and is under investigation.
ସୂଚନାଯୋଗ୍ୟ, ଲକ୍ଡାଉନ୍ ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଡ଼ା କଟକଣାକୁ ଖାତିର ନ କରି ଓ ସୁରକ୍ଷା ବଳୟକୁ ଭେଦ କରି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ଗତକାଲି ନିଜ ପରିବାର ସହ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । କଡ଼ା ପହରା ସତ୍ତ୍ବେ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଲା ବେଳେ ଦକ୍ଷିଣଦ୍ବାରରେ ମୁତୟନ ପୁଲିସ ହାତରେ ଧରା ପଡ଼ିଥିଲେ।
ପୁଲିସ କର୍ମଚାରୀର ପରିଚୟ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ବି ସାଧାରଣ ଲୋକଙ୍କ ଚାପରେ ସିଂହଦ୍ବାର ପୁଲିସ ଥାନା ଅଧିକାରୀ ଶ୍ରୀ ଜେନା ଓ ତାଙ୍କ ପରିବାରକୁ ଅଟକ ରଖିବା ସହ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲା। ଏହି ଘଟଣା ପରେ କେଉଁ ସେବାୟତ ଏହି ଅଧିକାରୀଙ୍କୁ ସପରିବାର ଦର୍ଶନ ପାଇଁ ନେଇଥିଲେ, ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା।
ସିଂହଦ୍ବାର ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ବଡ଼ଚଣା ଥାନା ଅଧିକାରୀ ଦୀପକ ଜେନା ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ଏକ ହଳଦିଆ ବତୀ ଲାଗିଥିବା ଧଳାଗାଡ଼ିରେ ଶ୍ରୀମନ୍ଦିର ଦକ୍ଷିଣଦ୍ବାରରେ ପହଞ୍ଚିବା ପରେ ଦର୍ଶନ ପାଇଁ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଏହି ଖବର ଜଣାପଡ଼ିବା ପରେ ଦର୍ଶନ ସାରି ଫେରିବା ବେଳକୁ ବଡ଼ଚଣା ଥାନା ଅଧିକାରୀ ଜେନା ଓ ତାଙ୍କ ପରିବାରକୁ ସିଂହଦ୍ବାର ପୁଲିସ ଧରିନେଇ ଥାନାରେ ଅଟକ ରଖିଥିଲା। ଏ ନେଇ ସିଂହଦ୍ବାର ଥାନାରେ ଏକ ମାମଲା ରୁଜୁ ହୋଇଥିଲା।