ଚଣ୍ଡିଖୋଲ,୦୧/୦୬(ସବ୍ୟୁ) ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ବିଶେଷ ଧ୍ୟାନ ଦିଆଯାଉଥିବା ସରକାର କହୁଥିଲା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ଚିତ୍ର ଓଲଟା! ବିଭିନ୍ନ ସ୍ଥାନରେ ଥିବା ପ୍ରଶିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଗୁଡିକର ସୁପରିଚାଳନା କରାଯାଇ ବାହାର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟାପକ ଅର୍ଥ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରୀକତା ଅଭାବରୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପର୍ଯ୍ୟଟନ ପ୍ରକଳ୍ପ ଗୁଡିକ ଅବହେଳିତ ହୋଇପଡୁଛି! ଯାହା ଏବେ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ବଡଚଣା ଅଞ୍ଚଳରେ ଥିବା ପର୍ଯ୍ୟଟନ କ୍ଷେତ୍ର ଗୁଡିକରେ! ଉପରେ ପର୍ଯ୍ୟଟନର ବିକାଶନେଇ ବହୁ ସୁନେଲି ସ୍ୱପ୍ନ ଦେଖାଯାଉଛି ସତ କିନ୍ତୁ ତୃଣମୂଳ ସ୍ଥରକୁ ଲକ୍ଷକଲେ ଚିତ୍ର ସମ୍ପୂର୍ଣ୍ଣ ଓଲଟା ପରି ଏଠାରେ ଅନୁମେୟ ହେଉଛି! ବିଭାଗୀୟ ଚରମ ଅବହେଳା ଓ ସମୟୋଚିତ ପଦକ୍ଷେପର ଅଭାବ ଯୋଗୁଁ ଏଠାରେ ଥିବା ପର୍ଯ୍ୟଟନ କ୍ଷେତ୍ର ଗୁଡିକର ବିକାଶ ବାଧାପ୍ରାପ୍ତ ହୋଇଚାଲିଛି! ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇଥିବା ଯାଜପୁର ଜିଲ୍ଲାର ବଡଚଣା ଅଞ୍ଚଳରେ ୮/୯ ଟି ପ୍ରଶିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଓ ତତ ସଲଗ୍ନ ପର୍ଯ୍ୟଟନ ପ୍ରକଳ୍ପ ରହିଛି! ଏହି ପର୍ଯ୍ୟଟନ ପ୍ରକଳ୍ପ ଗୁଡିକର ସ୍ଥିତିକୁ ଦେଖିଲେ ଯେ,କେହି ପର୍ଯ୍ୟଟନର ବାସ୍ତବ ଚିତ୍ରକୁ ହୃଦୟଙ୍ଗମ କରିପାରିବ!ବଡଚଣା ଅଞ୍ଚଳରେ ବିଶ୍ୱପ୍ରଶିଦ୍ଧ ବୌଦ୍ଧ ହୀରକ ତ୍ରିଭୁଜ ଅନ୍ତର୍ଗତ ଉଦୟଗିରି ବୌଦ୍ଧ ବିହାର ସମେତ ମହାବିନାୟ କ୍ଷେତ୍ର,ଚଣ୍ଡିଖୋଲର ପ୍ରଶିଦ୍ଧ ଚଣ୍ଡୀ ମନ୍ଦିର,ଛତିଆବଟ,ଗାଙ୍ଗି ପୀଠ ସହ ଅମରାବତୀ ପୀଠ ଓ ସନ୍ଥ ଅରକ୍ଷୀତ ଦାସଙ୍କ ସାଧନା ସ୍ଥଳ ପବିତ୍ର ଓଳାଶୁଣୀ ପୀଠ ପ୍ରଭୃତି ରାଜ୍ୟ ତଥା ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇଛି! ଦେଶ ବିଦେଶରେ ଏହିସବୁ ପର୍ଯ୍ୟଟନ ସ୍ଥଳ ବେଶ ଆଦୃତ ହୋଇଥିବାରୁ ଏଠାକୁ ବହୁ ପର୍ଯ୍ୟଟକ,ଗବେଷକ ଓ ଶ୍ରଦ୍ଧାଳୁ ଆସିଥାନ୍ତି!ହେଲେ ଏହିସବୁ ପର୍ଯ୍ୟଟନ କ୍ଷେତ୍ର ଓ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ସେଠାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପର୍ଯ୍ୟଟନ ପ୍ରକଳ୍ପ ସବୁ ଅଚଳ ହେବା ସାଙ୍ଗକୁ ଭୂତକୋଠିରେ ପରିଣତ ହୋଇଥିବାରୁ ତାହା ପର୍ଯ୍ୟଟକ ମାନଙ୍କୁ ବିମୁଖ କରୁଛି! ବିଶ୍ୱପ୍ରଶିଦ୍ଧ ବୌଦ୍ଧ ହୀରକ ତ୍ରିଭୁଜ ରତ୍ନଗିରି, ଉଦୟଗିରି ଓ ଲଳିତଗିରିକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କ ପାଇଁ ୨୦୦୨ ମସିହାରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ପତରାଜପୁର ଠାରେ ନିର୍ମାଣ ହୋଇଥିବା ୧୪ଟି କୋଠରୀ ବିଶିଷ୍ଟ ଦ୍ୱିତଳ ପାନ୍ଥଶାଳା ରକ୍ଷଣା ବେକ୍ଷଣ ଆଭାବରୁ ଦୀର୍ଘ ୮ବର୍ଷ ହେବ ଭୁତକୋଠିରେ ପରିଣତ ହୋଇଯାଇଛି!ଚଣ୍ଡିଖୋଲର ପ୍ରଶିଦ୍ଧ ଚଣ୍ଡୀ ମନ୍ଦିର ପାର୍ଶ୍ଵରେ ନିର୍ମାଣ ହୋଇଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ଦୀର୍ଘ ଦିନହେବ ଅଚଳ ପଡିଥିବାରୁ ଏହା ପର୍ଯ୍ୟଟକଙ୍କ କାମରେ ଆସୁନି! ରକ୍ଷଣା ବେକ୍ଷଣ ଅଭାବରୁ ମନ୍ଦିର ପରିସର ଏବେ ଅସାମାଜିକ ମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଛି!ସେହିପରି ପ୍ରଶିଦ୍ଧ ପଞ୍ଚକ୍ଷେତ୍ର ମହାବିନାୟକରେ ନିର୍ମାଣ ହୋଇଥିବା ପାନ୍ଥଶାଳା ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଓ ଭଙ୍ଗାରୁଜା ଅବସ୍ଥାରେ ପଡି ରହିଥିବାରୁ ଏହା ପର୍ଯ୍ୟଟକ ମାନଙ୍କ ରହଣି ପାଇଁ ଅନୁପଯୁକ୍ତ ହୋଇଛି!ସେହିପରି ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଓଳାଶୁଣୀ ପୀଠର ପୂର୍ବ ପଟେ ୩୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ୨୦୧୪ ମସିହାରେ ନିର୍ମାଣ ହୋଇଥିବା ପର୍ଯ୍ୟଟନ ପ୍ରକଳ୍ପରେ ଅଦ୍ୟାବଧି ତାଲା ଝୁଲୁଥିଲା ବେଳେ ଏଠାରେ ୨୦୧୫ ମସିହାରୁ ୪୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁଥିବା ଅନ୍ୟଏକ ପ୍ରକଳ୍ପରେ ୩୦ଲକ୍ଷ ବ୍ୟୟ କରାଯାଇ ପକାଇ ରଖାଯାଇଛି!ଏଥିସହ ବୌଦ୍ଧ ହୀରକ ତ୍ରୀଭୂଜ ଅନ୍ତର୍ଗତ ଉଦୟଗିରି ଓ ପତରାଜପୁର ଠାରେ ୨୦୧୨ ମସିହାରେ ନିର୍ମାଣ ହୋଇଥିବା ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର ଦୁଇଟି ଦୀର୍ଘ ୭/୮ ବର୍ଷ ହେବ ଅଚଳ ହୋଇ ପଡିଛି! ଏପରିକି ଏହିସବୁ ପ୍ରକଳ୍ପକୁ ଜଗାରଖା ପାଇଁ ଜଗୁଆଳି ବ୍ୟବସ୍ଥା ହୋଇପାରି ନଥିବାରୁ ସମସ୍ତ ପ୍ରକଳ୍ପ ଏବେ ପରିତ୍ୟକ୍ତ ହୋଇ ପଡିଛି!ବିଭାଗୀୟ ଚରମ ଅବହେଳା ପାଇଁ ଏହିସବୁ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିନିଯୋଗ ହୋଇଥିବା କୋଟି କୋଟି ଟଙ୍କା ପାଣିରେ ପଡିଛି! ଏପରି ସ୍ଥିତି ଉପୁଜିଥିଲା ବେଳେ ଏବେ ଉଦୟଗିରି, ଲାଙ୍ଗୂଡି ଓ ରତ୍ନଗିରି ବୌଦ୍ଧ ବିହାରର ପର୍ଯ୍ୟଟନ ଭିତିଭୂମି ବିକାଶ ପାଇଁ ପୁଣି ବିଭାଗ ପକ୍ଷରୁ ଅର୍ଥ ବ୍ୟୟ ପାଇଁ ପ୍ରସ୍ଥାବ ଳହିଥିବା ଜଣାପଡିଛି!
