ବଡ଼ମ୍ବା ୦୬/୧୨- ବଡ଼ମ୍ବା ବ୍ଲକ ମହୁଲିଆ ଶ୍ୟାମାକାଳୀ ମନ୍ଦିର ଯଜ୍ଞ ମଣ୍ଡପ ଠାରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ବୁଧବାର ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ମାଣିଆବନ୍ଧ ସଭାପତି ଲକ୍ଷ୍ମୀଧର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଦଳର ନେତା ବିଜୟ କୁମାର ଦଳବେହେରା, କଟକ ଜିଲ୍ଲା ଉପସଭାପତି ବିଭୁଦତ୍ତ ପଟ୍ଟନାୟକ, ବଡ଼ମ୍ବା ମଣ୍ଡଳ ସଭାପତି ସନ୍ତୋଷ କୁମାର ବେହେରା, ଉପସଭାପତି ମହେନ୍ଦ୍ର କୁମାର ପଢ଼ିଆରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ | ଏହି ମିଶ୍ରଣ କାର୍ଯ୍ୟକ୍ରମରେ ମହୁଲିଆ ପଞ୍ଚାୟତର ବିଭିନ୍ନ ଦଳରୁ ଶତାଧିକ ପୁରୁଷ, ମହିଳା ଏବଂ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ବିଜେଡିର କୁଶାସନକୁ ବିରୋଧ କରି ବିଜେପି ଦଳରେ ସାମିଲ ହୋଇଛନ୍ତି | ପଞ୍ଚାୟତର ମନୋରଞ୍ଜନ ସାହୁ, ସଦାଶିବ ସାହୁ, ରମେଶ କୁମାର ରାଉତ, ପୁଷ୍ପଲତା ବେହେରା, ତୁଳସୀ ବେହେରା, ଗୀତାଞ୍ଜଳି ବେହେରାଙ୍କ ସମେତ ଶତାଧିକ ପୁରୁଷ, ମହିଳା ଏବଂ ଯୁବକ ଯୋଗଦେଇଥିବା ଜଣାପଡିଛି | ସଭାପତି ଶ୍ରୀ ପ୍ରଧାନଙ୍କ ସମେତ ସମ୍ପାଦକ ଅଟଳବିହାରୀ ପ୍ରଧାନ, ଶ୍ରୀଧର ବେହେରା, ପ୍ରମୋଦ କୁମାର ବେହେରା, ରମେଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ |
