ଔପଦା : ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ ପାଇଁ ଲୋକମାନେ ଆତଙ୍କିତ ଥିବା ସମୟରେ ନିର୍ଦ୍ଦିଷ୍ଟ ଦଳର ଜଣେ ଯୁବନେତା ବିଲ୍କୁ କେନ୍ଦ୍ର କରି ଔପଦା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ସହ ମାଡମାରିବା ଔପଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ,ଏସପି,ପିଡି,ଉପଜିଲ୍ଲାପାଳ ଓ ଔପଦା ଥାନାରେ ଅଭିଯୋଗ ହୋଇଥିବାବେଳେ ବ୍ଲକ କାର୍ଯ୍ୟାଳୟର କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ବ୍ଲକର ଯନ୍ତ୍ରୀ ତଥା ବ୍ଲକ କୋଭିଡ-୧୯ର ନୋଡାଲ ଅଫିସର ଭକ୍ତରଂଜନ ମହାନ୍ତି ପ୍ରାୟ ଦିନ ୧୦.୪୫ ମିନିଟରେ ବ୍ଲକ ଡେଭେଲପମେଣ୍ଟ କାର୍ଯ୍ୟାଳୟରେ ଥିବାବେଳେ ହଠାତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଯୁବନେତା ଦୀପକରଂଜନ ଦାସ (ଲୁନା) ସେଠାରେ ପହଞ୍ଚି ଯନ୍ତ୍ରୀ ଶ୍ରୀ ମହାନ୍ତିଙ୍କୁ ତୁମେ ହୋଇଥିବା କାମର ବିଲ କରୁନାହଁ,ମୋଟା ଅଙ୍କର ପିସି ନେଉଥିବା ଅଭିଯୋଗ ହେଉଛି ବୋଲି କହି ଦୁର୍ବ୍ୟବହାର କରିବା ସଂଗେ ସଂଗେ ମାଡ ମାରିଥିବା ଅଭିଯୋଗ ହୋଇଛି ।
ଏହାକୁ ନେଇ ଡେଭଲପମେଣ୍ଟ କାର୍ଯ୍ୟାଳୟରେ ଥିବା ବରିଷ୍ଠ କିରାଣୀ ଜଗବନ୍ଧୁ ମାଝୀ ଓ କିରାଣୀ ରାଜେନ୍ଦ୍ର କୁମାର ମହନ୍ତ ପରିସ୍ଥିତିକୁ ଶାନ୍ତ କରାଇଥିବା ବେଳେ ଯନ୍ତ୍ରୀ ଶ୍ରୀ ମହାନ୍ତି ଘଟଣା ସଂପର୍କରେ ବିଡିଓଙ୍କ ଠାରେ ଲିଖିତ ଭାବେ ଜଣାଇ ଥିଲୋ ବିଡିଓ ସନ୍ତୋଷ କୁମାର ପତି କାର୍ଯ୍ୟାଳୟ ପରିସରରେ ଯନ୍ତ୍ରୀଙ୍କ ଉପରେ ଏ ପ୍ରକାର ଦୁର୍ବବ୍ୟବହାର ଓ ଆକ୍ରମଣ ଘଟଣାକୁ ନେଇ ଜିଲ୍ଲାପାଳ ,ଏସପି,ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ,ନୀଳଗିରି ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା ବେଳେ ଔପଦା ଥାନାରେ ଅଭିଯାଗ କରିଥିବା କଥା ଜଣାଇଛନ୍ତି ।
ଘଟଣା ସଂପର୍କରେ ଯନ୍ତ୍ରୀ ଶ୍ରୀ ମହାନ୍ତିଙ୍କୁ ପଚାରିବାରୁ ମୁଁ କାମ ବିଷୟରେ ଜାଣିନାହିଁ କି ସେ ପଞ୍ଚାୟତ ଦାୟିତ୍ୱରେ ନଥିବାବେଳେ ଯନ୍ତ୍ରୀ ଗୟାଧର ସିଂ ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି । ତେବେ ୨୦୧୯ ମସିହାରେ ମାତ୍ର ତିନିମାସ ପାଇଁ ଅସ୍ଥାୟୀ ଭାବେ ଶ୍ୟାମସୁନ୍ଦରପୁର ପଞ୍ଚାୟତର କାର୍ଯ୍ୟଭାର ଦାୟିତ୍ୱରେ ଥିଲି । ଉକ୍ତ ପଞ୍ଚାୟତର ଦୀପକରଂଜନ ଦାସ କାର୍ଯ୍ୟାଳୟକୁ ଯାଇ ବିଲ ସଂପର୍କରେ ପଚାରିବା ସହ ମୋତେ ଦୁର୍ବ୍ୟବହାର କରି ମାଡ ମାରିଥିବା ଗଣମାଧ୍ୟମକୁ ଜଣାଇଛନ୍ତି । ଏହି ଅଭାବନୀୟ ଘଟଣା ସଂପର୍କରେ ବିଡିଓ ଶ୍ରୀ ପତିଙ୍କୁ ପଚାରିବାରୁ ବ୍ଲକ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତି ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ ମାରିବା ସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇବା ସଂଗେ ସଂଗେ ଥାନାରେ ଅଭିଯୋଗ ହୋଇଛି । ସରକାରଙ୍କ ନିୟମ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।