ଅସ୍ତରଙ୍ଗ,୩୧/୧0, ପୁରୀଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଣକୁ ମାଛ ଧରିବାକୁ ଯାଇଥିବା ନୂଆକାଳିଆକଣର ଜଣେ ଧୀବର ଡଙ୍ଗାରୁ ଖସିପଡି ଗୁରୁତ୍ୱର ହୋଇ ମେଡିକାଲ ଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି | ତାଙ୍କ ନାମ ପୀତବାସ ବେହେରା (୫୮) ଓ ସେ ନଗର ପଞ୍ଚାୟତ ନୂଆକାଳିଆକଣର ବାସିନ୍ଦା ଅଟନ୍ତି |ସୂଚନାଯୋଗ୍ୟ ଯେ ଗତକାଲି ଅପରାହ୍ନରେ ନୂଆକାଳିଆକଣରୁ ୫ ଜଣ ମାଛ ଧରିବାକୁ ଦେବୀନଦୀର ମୁହାଁଣ ନିକଟକୁ ଯାଇଥିଲେ | ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପୀତବାସ ବେହେରା ନାମକ ଜଣେ ଧୀବର ଡଙ୍ଗାରୁ ଗଳି ପଡିବାରୁ କିଛି ସମୟ ନିଖୋଜ ହୋଇଯାଇଥିଲେ | ସାଥିରେ ଯାଇଥିବା ଅନ୍ୟମାନେ ଖୋଜାଖୋଜି କରିବାରୁ କିଛି ସମୟ ପରେ ପୀତବାସକୁ ପାଇଥିଲେ | କିନ୍ତୁ ସେତେବେଳକୁ ସେ ଚେତାଶୁନ୍ୟ ହୋଇଯାଇଥିଲେ | ସେଠାରୁ ତାଙ୍କୁ କୂଳକୁ ଆଣିବାକୁ ଅଧ ଘଣ୍ଟା ଲାଗିଥିଲା | ପରେ ପରେ ଗୁରୁତ୍ୱର ଅବସ୍ଥାରେ ଚିକିତ୍ସା ନିମନ୍ତେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେବାରେ ଅବସ୍ଥା ସଂକଟାପନ୍ନ ଥିବାରୁ ଚାରିଛକ ମେଡିକାଲକୁ ରେଫର କରାଯାଇଥିଲା | କିନ୍ତୁ ସେଠାରେ ସମ୍ଭବ ନହେବାରେ ପୁନଶ୍ଚ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଇଥିଲା | କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ପରେ ଗାଁକୁ ଆଣି ଅନ୍ତିମ ସଂସ୍କାର କରିବା ଖବର ହସ୍ତଗତ ହୋଇଛି |