Odisha news

ବଞ୍ଚିବାର କୌଶଳ

0

ଶ୍ରୀ ଜଗଦାନନ୍ଦଜୀ : ମହାନ୍ ଦାର୍ଶନିକ ଶୁକଭାତ୍ ଙ୍କ ମତ ଅନୁଯାୟୀ ଅଧିକାଂଶ ଲୋକେ ଜୀବନ ଅତିବାହିତ କରିଥାନ୍ତି କିନ୍ତୁ ପ୍ରକୃତରେ ଜୀବନ ବଞ୍ଚିବାର କୌଶଳ ଜାଣିନଥାନ୍ତି ।ସେଥିପାଇଁ ପ୍ରତ୍ୟେକ ପରିସ୍ଥିତି ଓ ସମୟକୁ ନେଇ ଦୁଃଖିତ, ନିରାଶ,ଉଦାସଭରା ଜୀବନ ଅତିବାହିତ କରିଥାନ୍ତି । ସଂସାରର ସମସ୍ତ ସୁଖ ପାଇଲା ପରେ ମଧ୍ୟ ଅଧିକାଂଶ ବ୍ୟକ୍ତି ସନ୍ତୁଷ୍ଟି ଅନୁଭବ କରିପାରନ୍ତି ନାହିଁ ବସ୍ତୁତଃ ଯେଉଁ ବ୍ୟକ୍ତି ଜୀବନ ବଞ୍ଚିବାର କଳାକୁ ବୁଝିଛି ସେ ଜୀବନର ପ୍ରତ୍ୟେକ ମୁହୁର୍ତ୍ତକୁ ଆନନ୍ଦରେ ନେବା ସହିତ ସବୁ କିଛି ସହିବାର ସାମର୍ଥ୍ୟ ରଖିଥାଏ । ପ୍ରତ୍ୟେକ ପରିସ୍ଥିତିରେ ସମଭାବ ସମଦର୍ଶନ ହୋଇ ଜୀବନକୁ ଆନନ୍ଦରେ ବଞ୍ଚିବା କୁ ହିଁ ଜୀବନ ଯାପନ କରିବାର ପ୍ରକୃତ କଳା କୁହାଯାଇଥାଏ ।ବଞ୍ଚିବାର କଳା ନ ବୁଝିପାରିଲେ ମନୁଷ୍ୟ ପଶୁ ସହ ସମାନ ହୋଇଥାଏ କାରଣ ପଶୁର କୌଣସି କଳା ନଥାଏ ।

କେବଳ ନିଜର ପ୍ରବୃତ୍ତି ଦ୍ବାରା ପରିଚାଳିତ ହୋଇଥାଏ , ମଣିଷ ପଶୁପକ୍ଷୀ ଠାରୁ ଅଲଗା ପ୍ରାଣୀ ଟିଏ ବିଚାରଶୀଳ ଚିନ୍ତାଶୀଳ ପ୍ରାଣୀ ।ସେ ପଶୁ ଓ ଦେବତାର ମଧ୍ୟବର୍ତ୍ତୀ ଇଲାକାର ଏକ ନବଗୁଞ୍ଜରଟିଏ  । ଯେପରି କୌଣସି ଏକ କୁକୁର ଗୋଟିଏ ଛୁଆକୁ ଅନ୍ୟହିଂସ୍ର ପଶୁମାନଙ୍କ କବଳରୁ ରକ୍ଷା କଲେ ମଧ୍ୟ କୁକୁରକୁ କୃତଜ୍ଞତା ସ୍ବରୂପ ଫୁଲମାଳ ଦିଆଯାଇନଥାଏ କାରଣ କୁକୁରର ଏ ବ୍ୟବହାର ତାର ବୁଦ୍ଧି ଦ୍ବାରା ଉତ୍ପନ୍ନ ହୋଇନଥିଲା ବରଂ ତାର ସହଜ ସ୍ବଭାବ ପ୍ରକୃତି ହୋଇପାରେ । ବଞ୍ଚିବାର କଳା ବୁଦ୍ଧି ଦ୍ବାରା ପରିଚାଳିତ ହୋଇଥାଏ,ସହଜ ପ୍ରବୃତ୍ତି ଦ୍ବାରା ନୁହେଁ ।ଆମେ ସମସ୍ତେ ଦୃଢ଼ତାର ସହ ସ୍ବୀକାର କରିବାକୁ ପଡ଼ିବ ଯେ ଯେକୌଣସି ପରିସ୍ଥିତି ପାଇଁ ସଦା ପ୍ରସ୍ତୁତ ରହିବା । ଜୀବନ ଦୁଇଟି ପରିସ୍ଥିତି ଦ୍ବାରା ପରିଚାଳିତ ଯଥା ସୁଖ ଓ ଅନ୍ୟଟି ଦୁଃଖ ।ସୁଖ କହିଲେ ସଂସାରର ସମସ୍ତ ପ୍ରକାର ସୁଖ ଯଥା ; ସାଂସାରିକ ସୁଖ, ଇନ୍ଦ୍ରିୟ ସୁଖ, ଧନପ୍ରାପ୍ତି ସୁଖ, ସମ୍ମାନ ଯଶପ୍ରାପ୍ତି ସୁଖ , ଇତ୍ୟାଦିକୁ ବୁଝାଯାଇଥାଏ।

ଠିକ୍ ସେହିପରି ଦୁଃଖ ହେଉଛି ଜନ୍ମ ମୃତ୍ୟୁ ଜରାବ୍ୟାଧି ଠାରୁ ଆରମ୍ଭ କରି ନିନ୍ଦା, ଅପମାନ, ଯନ୍ତ୍ରଣା ଇତ୍ୟାଦି କୁ ବୁଝାଯାଏ । ଏହି ଦୁଇଟି ପରିସ୍ଥିତି ଦ୍ବାରା ମନୁଷ୍ୟ ଜୀବନ ପରିଚାଳିତ ହୋଇଥାଏ । ଇଚ୍ଛା କଲେ ଇଚ୍ଛା ଅନୁଯାୟୀ ଭୋଗ ପଦାର୍ଥ ପ୍ରାୟ ମିଳେ ନାହିଁ , ଯଦି କେବେ କେମିତି ମିଳିଯାଏ, କିନ୍ତୁ ଏଥିରେ ଦୁଃଖ କଷ୍ଟ ଅଶାନ୍ତି ବା ଆଶାର ନିବୃତ୍ତି ହୁଏ ନାହିଁ । କାରଣ ଏହି ଭୋଗ ବସ୍ତୁ କଦାପି ନିତ୍ୟ ବା ପୂର୍ଣ୍ଣ ନୁହେଁ କିଛିଟା ଅଶାନ୍ତି ଓ ପ୍ରତିକୂଳତା ରହିବ ହିଁ ରହିବ । ଯେଉଁଠି ପ୍ରତିକୂଳତା ସେଇ ଠାରେ ଦୁଃଖ, ସଫଳତା ହିଁ ମନୁଷ୍ୟକୁ ସୁଖ ଦେଇ ପାରେ । ସଫଳତା ପ୍ରାପ୍ତ ନ ହେଲେ ଦୁଃଖ ଅନୁଭବ ହୁଏ । ସୁଖ ଓ ଦୁଃଖ କେବଳ ମାନସିକ ଅବସ୍ଥା ପ୍ରତ୍ୟେକ ପରିସ୍ଥିତି ପାଇଁ ପ୍ରଥମତଃ ସ୍ବୟଂ ଦାୟୀ ଦ୍ବିତୀୟତଃ ଈଶ୍ଵରଙ୍କ ଇଚ୍ଛା ବା କୃପା , ତେଣୁ ବୁଦ୍ଧି ବିବେକ ର ସହ ସ୍ବୀକାର କରିବାକୁ ପଡ଼ିବ ।

କାରଣ ଦୁନିଆର ଗଣିତ ଆମ ଇଚ୍ଛା ଦ୍ବାରା ପରିଚାଳିତ ହୋଇନଥାଏ।ଯେତେଦିନ ଜୀବନ ଅଛି ଯାହା କିଛି ପାଇଛେ ସେ ସବୁ ଈଶ୍ଵରଙ୍କ କୃପା ଭାବେ ସ୍ବୀକାର କରିବା ଉଚିତ । ଅନୁକୂଳତା,ପ୍ରତିକୂଳତା ଜୀବନର ସହଚର ଏହାକୁ କେବେ ନ ଭୁଲି ଜୀବନକାଳରେ ଆମ ସହିତ କିଛିବି ଘଟିପାରେ, ତାହା ଈଶ୍ଵରଙ୍କ ଇଚ୍ଛା ରେ ହୋଇଥାଏ ଏବଂ ପ୍ରତ୍ୟକ୍ଷ ବା ପରୋକ୍ଷ ରେ ନିଜର ହିଁ ମଙ୍ଗଳ ହୋଇଥାଏ।ଭଗବତ ପ୍ରାପ୍ତି ରେ ଚିରଦିନ ପାଇଁ ସକଳ ଦୁଃଖର ଅବସାନ ଘଟିଥାଏ।କାରଣ ଭଗବାନ ଅଭାବ ରହିତ,ପୂର୍ଣ୍ଣ କାମ।ତାଙ୍କୁ ପାଇଗଲା ପରେ ଅପୂର୍ଣ୍ଣତା,ଅଭାବ ଏବଂ ପ୍ରତିକୂଳତା ସମ୍ପୂର୍ଣ୍ଣ ଭାବରେ ଦୂରିତ ହୋଇ ସର୍ବତ୍ର ଓ ସର୍ବଦା ଅନୁକୂଳତା ଓ ପୂର୍ଣ୍ଣତା ପରିପୂର୍ଣ୍ଣ ହୋଇଥାଏ ।

ଆମେ ବେଳେବେଳେ ଭାବିଥାଉ କୌଣସି ଗୋଟିଏ କାର୍ଯ୍ୟରେ ସଫଳତା ହେଲେ ମୋର ଇଚ୍ଛା ଦ୍ବାରା ସଫଳ ହେଲା କିନ୍ତୁ ଗୋସ୍ୱାମୀ ତୁଳସୀ ଦାସ କହନ୍ତି – ” ହୋଇହୀ ଶୋଇଯୋ ରାମରଚି ରାଖା”।ଯାହା ଘଟିଛି,ଘଟିବ, ଘଟିଥିଲା ତାହା ପ୍ରକୃତରେ ଭଗବାନଙ୍କର ଇଚ୍ଛା ଦ୍ବାରା ପରିଚାଳିତ, ମନୁଷ ନିମିତ୍ତ ମାତ୍ର।ଯେକୌଣସି ଅବସ୍ଥାରେ ମଣିଷ ସୁଖ ପାଇପାରେ , ଯଦି ବର୍ତ୍ତମାନ ଭିତରେ ନିଜର ଯାହା କିଛି ଅଛି ତାକୁ ନେଇ ଆନନ୍ଦରେ ଜୀବନ ଅତିବାହିତ କରିବା ପାଇଁ ଚେଷ୍ଟା କରେ କିନ୍ତୁ ବାସ୍ତବରେ ଚାହେଁ ନାହିଁ। ସେ ଚାହେଁ କେବଳ ଘର,ଧନ, କ୍ଷମତା,ପଦପଦବୀ,କୁଟୁମ୍ବ, ପ୍ରଭୁତି ଭିତରେ ସୁଖ ଖୋଜିବାକୁ ଲାଗିପଡେ।ସାରା ଜୀବନ କଟିଯାଏ ଏଇ ସୁଖ ଖୋଜୁ ଖୋଜୁ ଚିରନ୍ତନ ସୁଖ, ଶାଶ୍ଵତ ସୁଖ କେବଳ ଗୋଟାଏ ଧୂଆଁଳିଆ ସ୍ବପ୍ନ ପରି ରହିଯାଏ।ଭଗବାନଙ୍କ ଇଚ୍ଛା ବ୍ୟତିରେକ ପତ୍ରଟିଏ ହଳିବା ସମ୍ଭବ ପର ନୁହେଁ  । ସବୁ କିଛି ଯାହାବି ଘଟିଛି, ଘଟିଥିଲା, ଘଟିବ ଭଗବାନଙ୍କ ଇଚ୍ଛାରେ ପରିଚାଳିତ । ଯେପରି ମହାଭାରତ ପୂର୍ବରୁ  ଜଣେ ହିତୈଷୀ ଧୃତରାଷ୍ଟ୍ରଙ୍କୁ ଯାଇ କହିଥିଲେ ହେ- ରାଜନ !

ଆପଣ ପୁତ୍ରମାନଙ୍କୁ ବୁଝାଇ ମହାବିନାଶକାରୀ ଯୁଦ୍ଧକୁ ବନ୍ଧ କରୁନାହାନ୍ତି କାହିଁକି? ଧୃତରାଷ୍ଟ୍ର ଉତ୍ତରରେ କହିଥିଲେ ମୁଁ ଲକ୍ଷେ ଥର ବୁଝାଇବାକୁ ଚେଷ୍ଟା କରିଛି ,କିନ୍ତୁ ସେମାନେ ବୁଝିବାକୁ ନାରାଜ୍ ମୁଁ କିଂ କର୍ତ୍ତବ୍ୟ ମୂଢ, କ’ଣ କରିପାରିବି ? ହିତୈଷୀ ପୁନର୍ବାର ପ୍ରଶ୍ନ କଲେ ,କ’ଣ ଆପଣ ଯୁଦ୍ଧରେ ବିଜୟ ଲାଭ କରିବେ ?  ଆପଣ କ’ଣ ଅନୁଭବ କରିପାରୁ ନାହାଁନ୍ତି ଯୁଦ୍ଧରେ ବିଜୟ ପାଣ୍ଡଣ୍ଡମାନଙ୍କର ହେବ ? ଧୃତରାଷ୍ଟ୍ର ଉତ୍ତରରେ କହିଲେ, ମୋତେ ସନ୍ଦେହ ଲାଗୁଛି କାରଣ ପାଣ୍ଡବ ମାନଙ୍କ ସେନାପତି ଧୃଷ୍ଟଦ୍ୟୁମ୍ନ,ମୋର ପୁତ୍ର ମାନଙ୍କର ସେନାପତି ସ୍ବୟଂ ଇଚ୍ଛା ମୃତ୍ୟୁର ଅଧିକାରୀ ଦିଗ୍ ବିଜୟୀ ସମ୍ରାଟ ମହାଯୋଦ୍ଧା ଭୀଷ୍ମ ପିତାମହ ଧୃଷ୍ଟଦ୍ୟୁମ୍ନର ମୃତ୍ୟୁ ସୁନିଶ୍ଚିତ କିନ୍ତୁ ଭିଷ୍ମଙ୍କର ନିଜ ଇଚ୍ଛା ବିନା ମୃତ୍ୟୁ କଦାପି ସମ୍ଭବ ନୁହେଁ , ତେଣୁ ଯୁଦ୍ଧରେ ଆମର ବିଜୟ ନିଶ୍ଚିତ ଭାବେ ହେବ ତତ୍ ସହିତ ବଡ଼ ବଡ଼ ଯୋଦ୍ଧା ଆମ ସପକ୍ଷରେ ଯୁଦ୍ଧ କରୁଛନ୍ତି , ଏହା ଶୁଣିବା ପାଇଁ ତର୍କ ତ ଠିକ୍ ଲାଗୁଛି ।ଧୃତରାଷ୍ଟ୍ରଙ୍କର ଏହି ଜ୍ଞାନ ନ ଥିଲା ଯେ,ଯିଏ ନିଜ ଇଚ୍ଛାରେ ସମଗ୍ର ସୃଷ୍ଟି ରଚନା କରିପାରନ୍ତି, ସେହି ଇଚ୍ଛାମୟ ଶତ୍ରୁ ପକ୍ଷରେ ରହି ଯୁଦ୍ଧରେ ସାରଥୀ ହୋଇ ଅଛନ୍ତି ।ଶେଷରେ ସେମିତି ହିଁ ହେଲା,ଭଗବାନ ଶ୍ରୀକୃଷ୍ଣ ଯେବେ ଇଚ୍ଛା କଲେ ଭୀଷ୍ମଙ୍କର ଶରୀର ତ୍ୟାଗ ହେବା ଆବଶ୍ୟକ,ସାଂଗେ ସାଂଗେ ଭୀଷ୍ମଙ୍କର ମନରେ ମଧ୍ୟ ଶରୀର ତ୍ୟାଗ କରିବା ପାଇଁ ଇଚ୍ଛା ଭାବ ଜାଗ୍ରତ ହୋଇଥିଲା ।

ପରିଶେଷରେ ଭୀଷ୍ମ ଶରଶଯ୍ୟାରେ ଶୋଇପଡିଥିଲେ। ଧୃତରାଷ୍ଟ୍ରଙ୍କର ସମସ୍ତ ଗଣିତ ଭୁଲ୍ ସାବ୍ୟସ୍ତ ହୋଇଥିଲା । ସେହିପରି ହିରଣ୍ୟକଶିପୁ ବିଶ୍ବର ସବୁଠାରୁ ବିଚିତ୍ର ଦ୍ବନ୍ଦମୟ ରହସ୍ୟମୟ ଗଣିତର ବିଫଳ କରିବା ପାଇଁ ସ୍ବୟଂ ପରମାତ୍ମା ଅଦ୍ଭୁତ ରୂପରେ ପ୍ରକଟିତ ହୋଇଥିଲେ । ତେଣୁ ଅନୁକୂଳତା ଓ ପ୍ରତିକୂଳତାକୁ ସମସ୍ତେ ସ୍ବୀକାର କରିବାକୁ ପଡ଼ିବ।ପ୍ରକୃତ ମନୁଷ୍ୟ ଜୀବନର ସବୁ ଉତ୍ଥାନ ପତନକୁ ସ୍ଥିର ଓ ଧୀର ମନରେ ଗ୍ରହଣ କରିନେଇଥାଏ ।ତେଣୁ କୌଣସି ଆକସ୍ମିକ ଦୁର୍ଘଟଣା ରେ ଧୈର୍ଯ୍ୟ ହରାଇବା ଉଚିତ ନୁହେଁ, କାରଣ ବିଚଳିତ ହେଲେ ଶକ୍ତି ତଥା ବୁଦ୍ଧି ନାଶ ହୋଇଥାଏ । କୌଣସି ପ୍ରକାର ବିପତ୍ତି କଠିନତା ସମ୍ମୁଖରେ ଦୁଃଖୀ ନ ହୋଇ ଗମ୍ଭୀରତା ସହ ଧୈର୍ଯ୍ୟ ପୂର୍ବକ ସାମ୍ନା କରିବା ଉଚିତ୍ ତା’ହେଲେ ନିଃସନ୍ଦେହରେ ବିଜୟ ପ୍ରାପ୍ତ ହେବ।ସର୍ବଦା ଭୋଗଲାଳସାରେ ବୁଡି ରହିଲେ ଜ୍ଞାନ ଭ୍ରଷ୍ଟ ହୋଇଥାଏ,ପାପ କରିବା ପାଇଁ ମନୁଷ୍ୟ ବାଧ୍ୟ ହୁଏ ।

ପାପର ଫଳ ତାପ ବା ଯନ୍ତ୍ରଣା ଭୋଗକରେ କିନ୍ତୁ ପରମାତ୍ମା ପ୍ରାପ୍ତିର କାମନାରେ  ବୁଦ୍ଧି ଓ ଜ୍ଞାନ ବିକଶିତ ହୁଏ।ତୁମେ ଯାହାକୁ ଜୀବନ କହୁଛ ତାହା ଜୀବନ ନୁହେଁ ଓ ଯାହାକୁ ମୃତ୍ୟୁ କହୁଛ ତାହା ମୃତ୍ୟୁ ନୁହେଁ । କେବଳ ପ୍ରକୃତିରେ ପରିବର୍ତ୍ତନ ହେଉଅଛି,ଯାହା ଜନ୍ମ ହେବାର ଦେଖାଯାଏ ତାର ମୃତ୍ୟୁ ହେବାର ବି ନଜରକୁ ଆସେ।ଯାହାର ସର୍ଜନ ହେବାର ଦେଖାଯାଏ ତାହା ବିସର୍ଜନ ଆଡ଼କୁ ଗତି କରୁଥିବାର ଦେଖିବାକୁ ମିଳେ। ସଂସାରର ସମସ୍ତ ବସ୍ତୁ ସମୟାନୁକ୍ରମେ ନଷ୍ଟ ହୋଇଯାଆନ୍ତି । ଗୋଟିଏ ପଦାର୍ଥକୁ ନଷ୍ଟ କରି ଅନ୍ୟ ଗୋଟିଏ ପଦାର୍ଥ ସୃଷ୍ଟି କରିବା ସଂସାରର କ୍ରିୟା, ବସ୍ତୁର ଉତ୍ପତ୍ତି ହେବା ମାତ୍ରେ ବିନାଶର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥାଏ,ପ୍ରଦୀପର ଜ୍ୟୋତି ପ୍ରତିକ୍ଷଣରେ ତେଲକୁ ଶେଷ କରେ।ଜୀବନ କାଳ ଅତି ସ୍ୱଳ୍ପ, ସାମର୍ଥ୍ୟ ମଧ୍ୟ ସୀମିତ,ଭୋଗର ଏହି ବ୍ୟବହାରିକ ଜୀବନ ଅତି ନୀରସ, ତେଣୁ ଅନୁକୂଳତା ସମୟରେ ଆନନ୍ଦରେ ବିଭୋର ନ ହୋଇ ପ୍ରତିକୂଳତା ସମୟରେ ଧୈର୍ଯ୍ୟ ପୂର୍ବକ ସାମନା କରି ମୁକାବିଲା କରିପାରିଲେ ଜୀବନ ସୁଖମୟ ହୋଇପାରିବ ।

ଏଣୁ ଭଗବାନ ଗୀତାରେ କହନ୍ତି :- ସୁଖ ଦୁଃଖ, ହାନୀ ଲାଭ ନିନ୍ଦା ପ୍ରଶଂସା, ଜୟ ପରାଜୟ,ଯଶ ଅପଯଶ ରେ ଯିଏ ସମଭାବରେ ରହିଥାଏ, ସେହି ମୋର ପ୍ରିୟ ହୋଇଥାଏ । ଏ କଥା ସତ୍ୟ ଯେ ସଂସାରରେ ଯେତେ ପ୍ରକାର ମୁଖ ଅଛି ଯେପରି ଖାଇବା, ପିଇବା ପିନ୍ଧିବା ବୁଲିବା, ଇନ୍ଦ୍ରିୟ ସୁଖ ଭୋଗ କରିବା, ସଂଗ୍ରହ କରିବା ଇତ୍ୟାଦି ଭୋଗ କଲେ ମଧ୍ୟ ମନୁଷ୍ୟ ସଂପୂର୍ଣ୍ଣ ସୁଖକୁ ପ୍ରାପ୍ତ କରିନଥାଏ । ସେ ନିଶ୍ଚୟ ଅନୁଭବ କରେ ଯେ କେଉଁଠି ନା କେଉଁଠି ସୁଖର ଗନ୍ତାଘର ବା ପୂର୍ଣ୍ଣ ସୁଖ ଲୁକ୍କାୟିତ ହୋଇ ରହିଛି, ସେଥିପାଇଁ ଯେତେ ସୁଖ ଭୋଗ କଲେ ମଧ୍ୟ ଅଧୁରା ଅଧୁରା ଲାଗୁଛି । ପୂର୍ଣ୍ଣ ସୁଖ, ସନ୍ତୋଷ, ଆନନ୍ଦ, ପ୍ରେମ,ସେବା କେବଳ ଜଣକ ପାଖରେ ରହିଛି ,ସେ ହେଉଛନ୍ତି ପରମାନନ୍ଦ ପରମାତ୍ମା; ସେ ହିଁ ଚିରନ୍ତନ ସୁଖ,ଶ୍ଵାଶ୍ଵତ ସୁଖର ଅଧିକାରୀ।

ଯାହା ଅଛି, ଯେତିକି ଅଛି, ଯେମିତି ଅଛି ସେଥିରେ ସୁଖୀ ହେବା ପାଇଁ ପ୍ରୟାସ କଲେ ନିଶ୍ଚିତ ଭାବରେ ଜଣେ ସୁଖ ପାଇପାରିବ । ସେଥିପାଇଁ କେତୋଟି କଥା ଦୃଢ଼ତା ଭାବେ ସ୍ବୀକାର କରିବାକୁ ପଡ଼ିବ ଯେପରି (୧) ସଂସାର ପରିବର୍ତ୍ତନଶୀଳ ଓ ସ୍ବପ୍ନବତ୍ (୨) ଶରୀର ବିନାଶଶୀଳ, ଶରୀର ସହ ଯେଉଁମାନଙ୍କର ସୁସଂପର୍କ ଓ ସୁସମନ୍ଧ ରହିଛି, ତାହା ମଧ୍ୟ କ୍ଷଣ ଭଙ୍ଗୁର  (୩) ଜୀବନ ତମାମ୍ ଅକ୍ଳାନ୍ତ ପରିଶ୍ରମ କରି ସୁଖ ପ୍ରାପ୍ତି ପାଇଁ ଯାହା ଉପାର୍ଜନ କରିଛି, ଦିନେ ନ ଚାହିଁଲେ ମଧ୍ୟ ପରିତ୍ୟାଗ କରିବାକୁ ପଡ଼ିବ।ତେବେ ସଂସାରରେ ଏତେ ବିଚଳିତ କାହିଁକି? କେବଳ ସତ୍ୟକୁ ସ୍ବୀକାର କରି ସର୍ବଦା ମୃତ୍ୟୁକୁ ସ୍ମରଣ କଲେ ଜଣେ ସୁନ୍ଦର ଜୀବନ ଯାପନ ବା ବଞ୍ଚିବାର କଳା କୌଶଳ ଜାଗ୍ରତ କରିପାରିବ।ଏହି ମରଣଶୀଳ ଦୁନିଆରେ ପ୍ରତ୍ୟେକ ଦିନ ଜ୍ଞାତି କୁଟୁମ୍ବ, ପଡୋଶୀ ଲୋକଙ୍କ ମୃତ୍ୟୁ ଦେଖୁଥିଲେ ମଧ୍ୟ ଆଜି ଆମେ ସମସ୍ତେ ମୃତ୍ୟୁକୁ ଭୁଲିଯାଇଛେ। ଯିଏ ସବୁଦିନେ ମୃତ୍ୟୁକୁ ମନେପକାଏ,ତା ଦ୍ବାରା ପାପ କର୍ମ କମ୍ ହୁଏ। ସେ ଦିବ୍ୟ ଆଧ୍ୟାତ୍ମିକ ମୟସୁନ୍ଦର ଜୀବନ ଯାପନ କରିପାରେ । ସତ୍ୟକୁ ଅନ୍ୱେଷଣ କଲେ ଆନନ୍ଦ ପ୍ରାପ୍ତ କରାଯାଇପାରିବ “ଆନନ୍ଦର ନାମ ହିଁ ସତ୍ୟାନନ୍ଦ ବା ଜୀବନ ବଞ୍ଚିବାର କଳା କୌଶଳ”।

 

 

Leave A Reply