Odisha news

ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ : କାର୍‌, ବାଇକ୍‌ ଓ ଦୋକାନ ପୋଡ଼ାଜଳା, ଆନନ୍ଦପୁର-ଭଦ୍ରକ ରାସ୍ତାରେ ଗାଡ଼ି ଚଳାଚଳ ଠପ୍‌

0
ଆନନ୍ଦପୁର :  : ଆନ୍ଦପୁର-ଭଦ୍ରକ ରାସ୍ତାର ହାଟଡିହି ବ୍ଲକ୍‌ ଓରାଳି ଛକରେ ସୀମା ବିବାଦକୁ ନେଇ ଦୁଇଗ୍ରାମ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ୧୦ରୁ ଊର୍ଦ୍ଧ୍ବ ଦୋକାନ ଭଙ୍ଗାରୁଜା କରି ସେଥିରେ ନିଆଁ ଲଗାଇ ଦେଇଛନ୍ତି। ଦୁଇଟି କାର୍‌, ତିନିରୁ ଊର୍ଦ୍ଧ୍ବ ବାଇକ୍‌ ପୋଡ଼ି ଦେଇଛନ୍ତି। ନିଆଁ ଲିଭାଇବା ପାଇଁ ଯାଇଥିବା ଅଗ୍ନିଶମ ବାହିନୀଙ୍କୁ ଫେରାଇ ଦେବାରୁ ନିଆଁକୁ ଆୟତ୍ତ କରାଯାଇପାରି ନାହିଁ। ଏହି କାରଣରୁ ଆନନ୍ଦପୁର-ଭଦ୍ରକ ରାସ୍ତାରେ ଗାଡ଼ିମୋଟର ଚଳାଚଳ ଠପ୍‌ ହୋଇଯାଇଛି। ଶହଶହ ଗାଡ଼ି ରାସ୍ତାରେ ଅଟକି ରହିଛି। ଘଟଣାସ୍ଥଳରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ପୁଲିସ ଉପସ୍ଥିତ ଥିଲେ ମଧ୍ୟ ସଂଘର୍ଷକୁ ନିୟନ୍ତ୍ରଣ କରିପାରି ନଥିଲେ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳିଛକର ନାମକରଣକୁ ନେଇ ଓରାଳି ଏବଂ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଆପଣ୍ଡା ଗ୍ରାମ ମଧ୍ୟରେ ବିବାଦ ଦେଖା ଦେଇଥିଲା ବହୁବର୍ଷ ତଳୁ ଏହି ସ୍ଥାନର ନାମ ଓରାଳିଛକ ବୋଲି ନାମକରଣ ହୋଇଥିବା ବେଳେ ଏବେ ଆପଣ୍ଡା ଗ୍ରାମର ଲୋକେ ଏହା ଗ୍ରାମର ରାଜସ୍ୱ ସୀମା ମଧ୍ୟରେ ଥିବାରୁ ଏହାକୁ ଆପଣ୍ଡାଛକ ଭାବେ ନାମକରଣ କରିବାକୁ ଦାବି କରୁଥିଲେ।
ତିନିଦିନ ତଳେ ଓରାଳି ରାମନବମୀ ପଡ଼ିଆରେ ଏହାକୁ କେନ୍ଦ୍ରକରି ୭ଟି ପଞ୍ଚାୟତର ଲୋକପ୍ରତିନିଧିଙ୍କ ସମତେ ଓରାଳି ଗ୍ରାମର ବହୁ ଲୋକ ଏକାଠି ହୋଇଥିଲେ। ଉଭୟ ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ଲୋକେ ଦାବି କରିଥିଲେ।ଶନିବାର ସନ୍ଧ୍ୟାରେ ଆପଣ୍ଡା ଗ୍ରାମର କିଛି ଲୋକ ଉକ୍ତ ଛକରେ ଆପଣ୍ଡାଛକ ବୋଲି ନାମଫଳକ ଲଗାଉଥିବା ବେଳେ ଏହାକୁ ଓରାଳି ଗ୍ରାମର କିଛି ଲୋକ ବିରୋଧ କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ୍‌ ଆରମ୍ଭ ହୋଇଥିଲା। ରାତି ୮ଟାବେଳେ ଶତାଧିକ ଲୋକ ପହଞ୍ଚି ଉଭୟ ଗ୍ରାମବାସୀଙ୍କ ଉପରକୁ ଟେକାପଥର ମାଡ଼ କରିଥିଲେ। ୧୦ରୁ ଊର୍ଦ୍ଧ୍ବ ଦୋକାନ ଭାଙ୍ଗିବା ସହ ନିଆଁ ଲଗାଇ ଦେଇଥିଲେ। ଦୁଇଟି କାର୍‌ ଓ ବାଇକ୍‌ ପୋଡ଼ି ଦେଇଥିଲେ। ସ୍ଥିତି ଏମିତି ହୋଇଛି ଯେ, ରାସ୍ତାରେ ଯାଉଥିବା ଗାଡ଼ିମୋଟରକୁ ଅଟକାଇ ଲୋକେ ଭଙ୍ଗାରୁଜା କରୁଥିବା ସୂଚନା ମିଳିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣା ସ୍ଥଳରେ 144 ଧାରା ଲାଗୁକରାଜାଇଚି।

Leave A Reply