ଜୁନ୍ ୧ରୁ ବୁକିଂ ରଖୁଛନ୍ତି ବିମାନ କମ୍ପାନି, ଯାତ୍ରୀଙ୍କ ମଧ୍ୟରେ ଦୂରତା ଦେଢ଼ ମିଟର ରହିପାରେ , ଟିକେଟ ମୂଲ୍ୟ ଦେଢ଼ରୁ ତିନିଗୁଣା ବଢ଼ାଇବାକୁ ଯୋଜନା
ଜୁନ୍ ୧ରୁ ଅଧିକାଂଶ ବିମାନ କମ୍ପାନି ଟିକେଟ୍ ବୁକିଂ ରଖୁଛନ୍ତି। କିନ୍ତୁ ଲକ୍ଡାଉନ୍ ଖୋଲିବା ପରେ ବିମାନ ଭଡ଼ା ପୂର୍ବାପେକ୍ଷା ଅଧିକ ରହିବ ବୋଲି ଭୁବନେଶ୍ବର:ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବେସାମରିକ ବିମାନ ଚଳାଚଳ ଜୁନ୍ ୧ରୁ ଆରମ୍ଭ ହୋଇପାରେ। କିଛି ନିଷ୍ପତ୍ତି ହୋଇନଥିଲେ ମଧ୍ୟ ପ୍ରଥମେ ଘରୋଇ ବିମାନ ଯାତାୟାତ କରିବ ବୋଲି କୁହାଯାଉଛି। ଯେଉଁ ରାଜ୍ୟ କରୋନାମୁକ୍ତ ଥିବ ସେଠାକୁ ବିମାନ ଉଡ଼ାଣ କରିବ। ଏହାପରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବ। ଏହା ବି କରୋନାମୁକ୍ତ ଦେଶ ହୋଇଥିବା ଦରକାର। ବିମାନ ଚଳାଚଳ ଅଧିକ ଦିନ ବନ୍ଦ ରଖିବା ସମ୍ଭବ ନଥିବାରୁ କିପରି ସାମାଜିକ ଦୂରତା ରଖି ବିମାନ ସେବା ଆରମ୍ଭ କରିହେବ, ସେଥିପାଇଁ ଡିଜିସିଏ ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ କରୁଛି। ଏଥିରେ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ଭଳି ନିୟମ ରହିବ। ବିମାନ କମ୍ପାନିଗୁଡ଼ିକ ମଧ୍ୟ ସାମାଜିକ ଦୂରତା ରକ୍ଷା କରି ବିମାନ ଚଳାଚଳ କରିବାକୁ ପ୍ରସ୍ତୁତ ହେବାକୁ କୁହାଯାଇଛି। ବିମାନରେ ଯାତ୍ରୀଙ୍କ ମଧ୍ୟରେ ଦେଢ଼ ମିଟର ଦୂରତା ରହିବ। ସେଥିପାଇଁ ଗୋଟିଏ ଧାଡ଼ିରେ ମାତ୍ର ଜଣେ ଯାତ୍ରୀ ବସିବେ। ତେଣୁ ତିନିଟିକିଆ ସିଟ୍ ଯେଉଁଠି ପଡ଼ିଥିବ, ସେଠାରେ ଜଣେ ଯାତ୍ରୀ ବସିବେ। ୧୮୦ ସିଟ୍ ବିଶିଷ୍ଟ ବିମାନରେ ମୋଟ୍ ୬୦ଜଣ ଯାତ୍ରୀ ଯାତ୍ରା କରି ପାରିବେ। କେବଳ ଏତିକି ନୁହେଁ, ବିମାନବନ୍ଦରରେ ଯାତ୍ରୀମାନେ ଚେକ୍-ଇନ୍ଠାରୁ ବୋର୍ଡିଂ ପାସ୍ ଯାଞ୍ଚ ପର୍ଯ୍ୟନ୍ତ ସବୁଠି ଅତି କମ୍ରେ ଏକ ମିଟର ଦୂରତା ରକ୍ଷା କରିବେ। ଏଥିପାଇଁ ଟର୍ମିନାଲ ପରିସରରେ ବୃତ୍ତାକାର ଚିହ୍ନ ଦିଆଯିବ।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ସବୁଠୁ ଅଧିକ ବିମାନ ଉଡ଼ାଣ କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସ ମେ’ ୩୧ ପର୍ଯ୍ୟନ୍ତ ଟିକେଟ୍ ବୁକିଂ ବନ୍ଦ ରଖିଛି। ଏହା ପରଠାରୁ ଯେଉଁ ବୁକିଂ ରଖୁଛି, ତାହା ଦାମ୍ ଏବେ ପୂର୍ବଭଳି ରହିଛି। ଟିକେଟ୍ ଦାମ୍ ବଢ଼ିବ କି ନାହିଁ, ତାହା ଡିଜିସିଏର ଗାଇଡ୍ଲାଇନ୍ ଉପରେ ନିର୍ଭର କରୁଛି। ସେହିପରି ଭିସ୍ତାରା, ଗୋ ଏୟାର ମଧ୍ୟ ମେ’ ୩୧ ପର୍ଯ୍ୟନ୍ତ ବୁକିଂ ରଖୁନାହାନ୍ତି। କେବଳ ସ୍ପାଇସ୍ ଜେଟ୍ ମେ’ ୧୫ ପରଠାରୁ ବୁକିଂ ରଖୁଥିବାବେଳେ ଏୟାର ଇଣ୍ଡିଆ, ଏୟାର ଏସିଆ ଭଳି କମ୍ପାନି ଡିଜିସିଏ ନିର୍ଦ୍ଦେଶନାମାକୁ ଅପେକ୍ଷା କରିଛନ୍ତି। ତାହା ପରେ ହିଁ ବୁକିଂ ରଖିବେ ବୋଲି ଜଣାପଡ଼ିଛି।