ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : ମାସକ ମଧ୍ୟରେ ଦେଶର ପୂର୍ବ ଓ ପଶ୍ଚିମ ଉପକୂଳରେ ଦୁଇଟି ସାମୁଦ୍ରିକ ବାତ୍ୟା ତାଣ୍ଡବ ସୃଷ୍ଟି କରିବା ନିଶ୍ଚିତ ଭାବେ ଜଳବାୟୁ ପରିବର୍ତନ ଜନିତ ପ୍ରକୃତିର କୋପ ବୋଲି କହିଲେ ଭୁଲ ହୋଇନପାରେ । ଗତ ମେ’ ମାସରେ ଦେଶର ପୂର୍ବ ଉପକୂଳରେ ବଙ୍ଗୋପସାଗରରେ ସୃଷ୍ଟି ମହାବାତ୍ୟା ଅମ୍ଫନ ଓଡ଼ିଶାର ୪ଟି ଜିଲ୍ଲା ଓ ପଶ୍ଚିମବଙ୍ଗର ଉପକୂଳବର୍ତୀ ଅଂଚଳରେ ଧ୍ୱଂସର ତାଣ୍ଡବ ସୃଷ୍ଟି କରିଥିବାବେଳେ ଆରବ ସାଗରରେ ସାମୁଦ୍ରିକ ବାତ୍ୟା ନିସର୍ଗ ମହାରାଷ୍ଟ୍ର ଓ ଗୁଜରାଟରେ ଖଣ୍ଡପ୍ରଳୟ ରଚିଛି ।
ତେବେ ନିସର୍ଗ ଦ୍ୱାରା ଯେଉଁଭଳି କ୍ଷୟକ୍ଷତି ଆକଳନ କରାଯାଉଥିଲା, ସେପରି ହୋଇନଥିବା କୁହାଯାଏ । ନିସର୍ଗ ବଡ ବଡ ଗଛ, ବିଦୁ୍ୟତ ଖୁଂଟ, ମୋବାଇଲ ଟାୱାର ଉପୁଡି ପଡିଥିବା ବେଳେ ଚାଳ, ଆଜବେଷ୍ଟସ୍, ଟିମ ଛପର ଘର କ୍ଷତିଗ୍ରସ୍ତ ହୋଇଛି । କୁହାଯାଇଛି ଯେ, ଦୋପୋଲିରେ ଏକ ବହୁତଳ ବିଶିଷ୍ଟ କୋଠା ଦୋହଲି ଯାଇଥିବା ବେଳେ ଛାତ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ମୃତାହତ ସଂପର୍କରେ କୌଣସି ରିପୋର୍ଟ ମିଳିନାହିଁ । ପୂର୍ବ ଉପକୂଳରେ ସୃଷ୍ଟି ମହାବାତ୍ୟା ଅମ୍ଫନ କୋଲକତା ନଗରୀ ସମେତ ଆଖପାଖ ଅଂଚଳରେ ଏପରି ଧ୍ୱଂସର ତାଣ୍ଡବ ସୃଷ୍ଟି କରିଥିଲା ଯେ, ଉଦ୍ଧାର, ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟରେ ସେନା ଡାକିବାକୁ ରାଜ୍ୟ ସରକାର ବାଧ୍ୟ ହୋଇଥିଲେ । ୧୯୯୯ ମହାବାତ୍ୟା ପରେ ଅମ୍ପନ, ପୂର୍ବ ଉପକୂଳରେ ଥିଲା ଦ୍ୱିତୀୟ ମହାବାତ୍ୟା ।
ସେହିପରି ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ ‘ନିସର୍ଗ’ ୧୯୬୧ ମସିହା ପରେ ପଶ୍ଚିମ ଉପକୂଳରେ ସବୁଠୁ ଭୟଙ୍କର ତଥା ଶକ୍ତିଶାଳୀ ବାତ୍ୟା ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । କହିବା ବାହୁଲ୍ୟ ଯେ, ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ବାତ୍ୟା ପରି ଆରବ ସାଗରରେ ସୃଷ୍ଟି ହେଉଥିବା ବାତ୍ୟା ଏତେ ଶକ୍ତିଶାଳୀ କିମ୍ବା ଭୟଙ୍କର ନୁହେଁ । ସେହିପରି ପୂର୍ବ ଉପକୂଳ ପରି ପଶ୍ଚିମ ଉପକୂଳ ମଧ୍ୟ ସେତେଟା ବାତ୍ୟା ପ୍ରବଣ ନୁହେଁ । ମାତ୍ର ଗତ କିଛି ଦିନ ଧରି ଆରବ ସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡ କ୍ରମଶଃ ଶକ୍ତିଶାଳୀ ଓ ଭୟଙ୍କର ହୋଇ ଖଣ୍ଡପ୍ରଳୟ ସୃଷ୍ଟି କରୁଛି ।
ଗତବର୍ଷ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘କ୍ୟାର’ ଦିଗ ପରିବର୍ତନ କରିବା ଯୋଗୁଁ ଦେଶର ପଶ୍ଚିମ ଉପକୂଳ ଅଂଚଳ ତଥା ରାଜ୍ୟଗୁଡିକ ଅଳ୍ପକେ ବର୍ତୀଯାଇଥିବା ବେଳେ ଅପରପାଶ୍ୱର୍ରେ ଧ୍ୱଂସର ତାଣ୍ଡବ ସୃଷ୍ଟି କରିଥିଲା । ସେହିପରି ଗତବର୍ଷ ମେ ମାସରେ ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ବାତ୍ୟା ‘ଫନୀ’ ଓଡ଼ିଶାର ୧୪ଟି ଜିଲ୍ଲାରେ ତାଣ୍ଡବ ରଚିଥିଲା, ଏହା କାହାକୁ ଅଛପା ନାହିିଁ । ଉଲ୍ଲେଖଯୋଗ୍ୟ ଯେ, ଆରବ ସାଗରରେ ଉଷ୍ମ ମଣ୍ଡଳୀୟ ସାମୁଦ୍ରିକ ବାତ୍ୟା ବା ଲଘୁଚାପ ସର୍ବଦା ଏହି ସମୟରେ ମଙ୍ଗଳକାରୀ ସାବ୍ୟସ୍ତ ହୋଇ ଆସିଛି । ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ତ୍ୱରାନ୍ୱିତ କରିଥାଏ । ଏହା ଏକ ପ୍ରାକୃତିକି ପ୍ରକୀୟା ।
ମାତ୍ର ଏବେ ଏହାର ବେଗ ବୃଦ୍ଧି ଧ୍ୱଂସକାରକ ସାବ୍ୟସ୍ତ ହୋଇଛି । ଏହା ନିଶ୍ଚିତ ଭାବେ ଚିନ୍ତାଜନକ । ତେବେ ଏହାର ମୁଖ୍ୟ କାରଣ ଜଳବାୟୁ ପରିବର୍ତନ ବୋଲି ପାଣିପାଗ ବିଷାରଦଭାବେ ମତ ଦିଅନ୍ତି । ଏବେ ଦେଶ ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ ବିରୁଦ୍ଧରେ ଲଢୁଥିବା ବେଳେ ଦେଶର ପୂର୍ବ ଓ ପଶ୍ଚିମ ତଟରେ ଭୟଙ୍କର ସାମାଦ୍ରିକ ଝଡ ଧ୍ୱଂସର ତାଣ୍ଡବ ସୃଷ୍ଟି କରିଥିବାବେଳେ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି । ଦେଶର ଦୁଇ ପ୍ରମୁଖ ମହାନଗରୀ କୋଲକତା ଏବଂ ମୁମ୍ବାଇରେ ଭୟଙ୍କର ଭାବେ କରୋନା କାୟା ବିସ୍ତାର କରିଥିବାବେଳେ ମୃତ-ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିଲା ବେଳେ ବାତ୍ୟାର ତାଣ୍ଡବ ଦୁଇ ମହାନଗରୀକୁ ବିପର୍ଯ୍ୟାସ୍ତ କରିଦେଇଛି ।
କରୋନା ସଂକ୍ରମଣ ଭୟ ଯୋଗୁଁ ଉଦ୍ଧାର, ରିଲିଫ, ଥଇଥାନ ଗୁରୁତର ଭାବେ ବାଧାପ୍ରାପ୍ତ ହେବା ସ୍ୱାଭାବିକ । କହିବା ବାହୁଲ୍ୟ ଯେ, କରୋନା ଉଭୟ ଜୀବନ ଓ ଜୀବିକାକୁ ବିପର୍ଯ୍ୟାୟ କରିଦେଇଥିବା ବେଳେ ପ୍ରାକୃତିକି ବିପର୍ଯ୍ୟାୟ ବାତ୍ୟା କେବଳ ଜୀବନ-ଜୀବିକା ନୁହେଁ ଭିତିଭୂମିକୁ ମଧ୍ୟ ଧ୍ୱଂସ କରିଦେଇଥାଏ । କରୋନା ଠାରୁ ସାମୁଦ୍ରିକ ବାତ୍ୟା ଯେ, ଭୟଙ୍କର ଏହା ନସନେ୍ଦହ, ତେବେ ଦେଶ ପ୍ରତିବର୍ଷ ଏକାଧିକ ସାମୁଦ୍ରିକ ଝଡର ସମ୍ମୁଖୀନ ହେଉଥିବାରୁ କ୍ଷୟକ୍ଷତି ରୋକିବାକୁ ଚିନ୍ତା କରିବାର ସମୟ ଆସିଛି ।
ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସଠିକ୍ ପୂର୍ବାନୁମାନ କେତୋକାଂଶରେ ଧନଜୀବନ ସୁରକ୍ଷିତ ରଖିବାରେ ସହାୟକ ହୋଇଛି ନିଶ୍ଚିତ । ତଳିଆ ଅଂଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ସହ ଧନଜୀବନ ସୁରକ୍ଷିତ ରଖିବା ପାଇଁ ଏନଡିଆରଏଫ ଭଳି ବାହିନୀ ସଫଳ ହୋଇଛି । ଏହା ନିଶ୍ଚିତ ଯେ, ବାତ୍ୟା ମୁକାବିଲାରେ ଯଥେଷ୍ଟ ଉନ୍ନତି ଆସିଛି ଏବଂ ଜିରୋ କାଜୁଆଲଟି ଆଭିମୁଖ୍ୟ ସଫଳ ହୋିଛି । ୧୯୯୯ରେ ମହାବାତ୍ୟା ଯୋଗୁଁ ଓଡ଼ିଶାରେ ଯେପରି କ୍ଷୟକ୍ଷତି ଘଟିଥିଲା, ସେପରି ଆଉ ହୋଇନାହିଁଃ କିନ୍ତୁ ସମୁଦ୍ର ଭିତରେ ସାମ୍ଭାବ୍ୟ ସାମୁଦ୍ରିକ ଝଡର ଦିଗ ପରିବର୍ତନ ପାଇଁ ବୈଜ୍ଞାନିକ ଓ ପାଣିପାଗ ବିଜ୍ଞାନୀମାନେ ପ୍ରୟାସ କରିବା ବର୍ତମାନ ସମୟରେ ସବୁଠାରୁ ବଡ ଅକାବଶ୍ୟକତା ବୋଲି ମନେହୁଏ ।