ଯୁଧିଷ୍ଠିର ମହାରଣା : ଭାରତରେ ଛତୁ ଫୁଟିଲା ପରି ଆଇନ କଲେଜ ସଂଖ୍ୟା ବଢ଼ି ଚାଲିଥିବାବେଳେ ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଖୋଲାଯାଇଥିବା ସତ୍ତ୍ୱେ ୨୦୨୦ର ବିଶ୍ୱରେ ବିଶ୍ୱବିଦ୍ୟାଳୟ ଗୁଡ଼ିକର ବିଷୟ ପ୍ରାୟ ନିର୍ଦ୍ଧାରଣ ବା ର୍ୟାଙ୍କିଙ୍ଗରେ ଯେଉଁ ୩୦୦ଟି ଶ୍ରେଷ୍ଠ ଆଇନ ଶିକ୍ଷାନୁଷ୍ଠାନକୁ ବିଭିନ୍ନ ଦେଶରୁ ବଛାଯାଇଛି । ତନ୍ମଧ୍ୟରୁ ଭାରତରୁ ଗୋଟିଏ ହେଲେ ଆଇନ ଶିକ୍ଷାନୁଷ୍ଠାନ ନଥିବା କ୍ଷୋଭର ବିଷୟ । ପୃଥିବୀର ଏହି ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଇନ କ୍ଷେତ୍ରରେ ସ୍ୱତନ୍ତ୍ର ମର୍ଯ୍ୟାଦା ଥିବାରୁ ଏଥିସହ ସମ୍ପୃକ୍ତ ସମସ୍ତେ ଏ ବିଷୟକୁ ଗୁରୁତର ସହ ବିଚାର କରିବା ଉଚିତ । କାରଣ ପୃଥିବୀରେ ବିଭିନ୍ନ ଦେଶ ମଧ୍ୟରେ ଭାରତରେ ଅନ୍ୟତମ ସର୍ବବୃହତ୍ତ ତଥା ସବୁଠାରୁ ଜଟିଳ ଆଇନ ବୃତ୍ତି ଓ ଶିକ୍ଷା ବ୍ୟବସ୍ଥା ରହିଛି । ଭାରତୀୟ କୋର୍ଟ ଗୁଡ଼ିକରେ ପ୍ରାୟ ୧.୩ ନିୟୁତରୁ ଅଧିକ ଆଡ଼ଭୋକେଟ ଆଇନ ବ୍ୟବସାୟ କରନ୍ତି । ତଳ କୋର୍ଟ ଗୁଡ଼ିକରେ ୨୨,୪୭୪ ଜଣ ଜଜ୍ ଆବଶ୍ୟକଥିବାବେଳେ ୧୬୭୨୬ ଜଣ ଜଜ୍ କାମ କରୁଛନ୍ତି । ସୁପ୍ରିମକୋର୍ଟ ଓ ହାଇକୋର୍ଟ ଗୁଡ଼ିକରେ ୧ ହଜାରରୁ ଅଧିକ ବିଚାରପତି ପଦବୀ ଥିବାବେଳେ ୭୦୦ ଜଣ ସେ ଦାୟିତ୍ୱ ତୁଲାଉଛନ୍ତି ।
ଆଇନ ଶିକ୍ଷା ଅନୁଷ୍ଠାନ ଦେଖିଲେ ଭାରତରେ ଯଥେଷ୍ଟ ଅଧିକ ଲ ସ୍କୁଲ ରହିଛି । ଏଗୁଡ଼ିକର ସଂଖ୍ୟା ୧୫୦୦ରୁ ବେଶୀ । ପ୍ରତିବର୍ଷ ଏସବୁ ଅନୁଷ୍ଠାନରୁ ୧୫୦ ଲକ୍ଷ ଡିଗ୍ରୀ ଓ ସ୍ନାତକଧାରୀ ବାହାରନ୍ତି । ଭାରତୀୟ କୋର୍ଟ ଗୁଡ଼ିକରେ ବକେୟା କେସ ସଂଖ୍ୟା ମଧ୍ୟ ଖୁବ୍ ଅଧିକ । ସରକାର ଅଧିକାଂଶ କେସରେ ପକ୍ଷଭୁକ୍ତ । କୋର୍ଟଗୁଡ଼ିକରେ ବକେୟା କେସ ସଂଖ୍ୟା ୩.୩ କୋଟିରୁ ଅଧିକ । ଏଣୁ ଦେଶରେ ଅଧିକାଂଶ ମାମଲା ବର୍ଷ ବର୍ଷ ଧରି ଫଇସଲା ନ ହୋଇ ରହିଛି । ଏଣୁ ଦେଶରେ ନ୍ୟାୟ ପ୍ରଦାନ ବ୍ୟବସ୍ଥାର ଚାଲେଞ୍ଜକୁ କିପରି ସମାଧାନ କରାଯିବ ତାହା ଗୁରୁତ୍ୱପୂର୍ଣ୍ଣ । ସେ କାରଣରୁ ଆଇନ ଶିକ୍ଷାରେ ସଂସ୍କାରକୁ ଓ ଏହାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ଜାତୀୟସ୍ତରରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଅଧିକାଂଶ ଆଇନ କଲେଜରେ ପାଠପଢ଼ା ମାନ ମଧ୍ୟମ ଧରଣର ।
ଛତୁ ଫୁଟିଲା ଭଳି ଆଇନ କଲେଜ ଖୋଲିବା ଓ ଆଇନ ପେଶା ପ୍ରତି ଅଙ୍ଗୀକାର ନଥିଲେ ବି ବିକଳ୍ପ ଅଭାବରୁ ଅନେକ ଆଇନ ଡିଗ୍ରୀ ହାସଲ କରୁଥିବାରୁ ସମଗ୍ର ବୃତ୍ତିର ମର୍ଯାଦା ପ୍ରଶ୍ନବାଚୀର ସମ୍ମୁଖୀନ ହୋଇଛି । ୨୦୧୯ରେ ଦେଶରେ ଆଇନ କଲେଜର ସଂଖ୍ୟା ୧୫୦୦ରୁ ଅଧିକ ଥିବାବେଳେ ୨୦୦୦ରେ ଦେଶରେ ୮୦୦ଟି ଆଇନ କଲେଜ ଥିଲା ଓ ୨୦୧୦ରେ ସେହି ସଂଖ୍ୟା ୯୦୦ ଥିଲା । ଅର୍ଥାତ୍ ଗତ ୮ବର୍ଷରେ ଦେଶରେ ୬୦୦ଟି ନୂଆ ଆଇନ କଲେଜ ଖୋଲିଛି । ଭାରତରେ ଯେପରି ଇଞ୍ଜିନିୟରିଂ କଲେଜ ଓ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଗୁଡ଼ିକ ଛତୁ ଫୁଟିଲା ପରି ଖୋଲିଛି ଓ ସେସବୁ ଉତ୍ତୀର୍ଣ୍ଣ ହେଉଥିବା ଯୁବକ ଯୁବତୀଙ୍କ ମଧ୍ୟରୁ ଅଧିକାଂଶ ନିଯୁକ୍ତି ଯୋଗଁ ନୁହଁନ୍ତି ଓ ଚାକିରି ପାଉନାହାନ୍ତି ଆଇନ ଶିକ୍ଷାକୁ ତା ସହ ତୁଳନା କରାଯାଇପାରେ ।
ଏଣୁ ୨୦୧୭ରେ ମାଡ୍ରାସ ହାଇକୋର୍ଟ କହିଥିଲେ ଯେ ଆଇନ ବୃତ୍ତିର ମର୍ଯାଦା ରକ୍ଷା ଲାଗି ୮୫ ପ୍ରତିଶତ ଆଇନ କଲେଜକୁ ବନ୍ଦ କରିଦିଆଯିବା ଉଚିତ । ଯୁକ୍ତି ହେଉଛି ଯେ ଆଇନ ଶିକ୍ଷାର ସଂସ୍କାର ପାଇଁ ପ୍ରଥମେ ଅନୁ୍ୟନ ୫୦୦ଟି ନିମ୍ନମାନର କଲେଜକୁ ବନ୍ଦ କରିଦିଆଯାଉ । ଭାରତୀୟ ବାର କାଉନସିଲ ଅଧ୍ୟକ୍ଷଙ୍କର ପରାମର୍ଶ ମଧ୍ୟ ଅନୁରୂପ । ବିଭିନ୍ନ ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଦ୍ୱାରା ଅନୁବନ୍ଧିତ ଘରୋଇ ଆଇନ କଲେଜଗୁଡ଼ିକରୁ ଅଧିକାଂଶ ଅନୁଷ୍ଠାନରେ ପାଠ ପଢ଼ାର ମାନ ଠିକ୍ ନୁହେଁ । ନ୍ୟାୟପାଳିକା ପ୍ରୋତ୍ସାହନରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଖୋଲାଯାଉଛି । ଏଗୁଡ଼ିକର ଶିକ୍ଷାଦାନ ମାନ ଭଲ । ଏଗୁଡ଼ିକରେ ଖୋଲାଯାଇଥିବା ୫ ବର୍ଷୀୟା ଆଇନ ପାଠ୍ୟକ୍ରମରୁ ଉତ୍ତୀର୍ଣ୍ଣ ହେଉଥିବା ଯୁବକ ଯୁବତୀମାନେ ଆଇନ ପେଶାରେ ଭଲ କରୁଛନ୍ତି । କିନ୍ତୁ ସେସବୁ ଅନୁଷ୍ଠାନରେ ବର୍ଷକୁ ମାତ୍ର ୨୫୦୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି ।
ସେମାନଙ୍କ ସଂଖ୍ୟା ଦେଶରେ ଆଇନ କଲେଜ ଗୁଡ଼ିକରେ ପ୍ରତିବର୍ଷ ଏଲଏଲବିରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାର ଦୁଇ ପ୍ରତିଶତ ବି ନୁହେଁ । ସଂପ୍ରତି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଅନ୍ୟ ଆଇନ ଅନୁଷ୍ଠାନ ଗୁଡ଼ିକରେ ୯୮ ପ୍ରତିଶତ ପିଲା ପଢ଼ୁଛନ୍ତି । ସେମାନେ ଡିଗ୍ରୀଧାରୀ ଯେତେବେଳେ ଆଇନ ବ୍ୟବସାୟକୁ ଆସିବେ ସେ ସମୟରେ ଅବସ୍ଥା କଣ ହେବ ତାକୁ ବିଚାରକୁ ନିଆଯିବା ଉଚିତ । ଆଇନ ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟ ୩ ବର୍ଷୀୟା ଏଲଏଲବି ଡିଗ୍ରୀ ପରିବର୍ତ୍ତନ କରିବା ବିଷୟ ବିଚାର କରିବା ଦରକାର ।
ଆଇନ କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହନ ଦିଆଯାଇ ତାର ଫଳାଫଳ ଉପରେ ସଂସ୍କାର ମଧ୍ୟ ଅଣାଯାଇପାରିବ । ଦେଶରେ ଆଇନ ବ୍ୟବସାୟରେ ଏକ ସମସ୍ୟା ହେଲା ଓକିଲାତି ପେଶାରେ ଯେତେ ଜଣ ଅଛନ୍ତି ବୋଲି କୁହାଯାଉଛି ସେମାନଙ୍କର ପ୍ରଧାନ ବୃତ୍ତି ଓକିଲାତି ନୁହେଁ । ଜୀବିକା ପାଇଁ ଅଧିକାଂଶ ଓକିଲାତି ଉପରେ ନିର୍ଭର କରିପାରୁନାହାନ୍ତି । ସମସ୍ତଙ୍କ ପାଖରେ ଯଥେଷ୍ଟ କେସ ନଥିବାରୁ ଆବଶ୍ୟକ ରୋଜଗାର ନାହିଁ । କିନ୍ତୁ ଓକିଲାତି ରେଜିଷ୍ଟ୍ରେସନ ଥିବାରୁ ଅଧିକାଂଶ ସାଙ୍ଗଠନିକ କାର୍ଯ୍ୟକ୍ରମରେ ବା ଓକିଲ ଆନେ୍ଦାଳନରେ ଭାଗ ନେଉଛନ୍ତି । ପରୋକ୍ଷରେ ତାହା ବୃତ୍ତିର ସମ୍ମାନ ହାନି କରୁଛି । ଏହି ବୃତ୍ତିକୁ ଆଗ୍ରହୀ ଥିବା ଯୁବକଯୁବତୀ ଆସିବା ଉଚିତ । ବୃତ୍ତିର ଉକ୍ରର୍ଷତା ଦିଗରେ ରହୁଥିବା ସବୁ ପ୍ରତିବନ୍ଧକକୁ କିପରି ଦୂର କରାଯାଇପାରିବ ଏ ଦିଗରେ ସମସ୍ତ ପକ୍ଷ ବିଚାର କରନ୍ତୁ । କାରଣ ଏହା ଦେଶର ଗଣତନ୍ତ୍ରକୁ ପରିପୃଷ୍ଟ କରିବାରେ ସହାୟକ ହେବ ।