Odisha news

କୋଣାର୍କରେ ମୋ ସେବାକେନ୍ଦ୍ର କୁ ଲୋକାର୍ପିତ କଲେ କ୍ରୀଡା ମନ୍ତ୍ରୀ

0

କୋଣାର୍କ : ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ୨୫ ହଜାର ଲୋକଙ୍କ ପାଇଁ ଗୋଟିଏ କରି ମୋ ସେବାକେନ୍ଦ୍ର ଖୋଲାଯିବାର ଲକ୍ଷ୍ୟ ରହିଛି  ।ଏହି କ୍ରମରେ କୋଣାର୍କ ଏନଏସିରେ  ପୁରୀଜିଲ୍ଲାର ପ୍ରଥମ ମୋ ସେବାକେନ୍ଦ୍ର ଲୋକାର୍ପିତ ହୋଇଛି । ଯାହା କୋଣାର୍କ ଉଚ୍ଚ ବିଦ୍ୟାଳୟ ନିକଟରେ ଖୋଲାଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ଏହି ସେବାକେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଏହି ମୋ ସେବାକେନ୍ଦ୍ରର ଆବଶ୍ୟକତା ସଂପର୍କରେ ଭର୍ଚୁଆଲ ପ୍ଳାଟଫର୍ମରେ ମତ ରଖିଥିଲେ ।ମୁଖ୍ୟମନ୍ତ୍ରୀ ଏହାକୁ  ଉଦଘାଟନ କରିବା ପରେ  କୋଣାର୍କରେ ଏହି ମୋ ସେବାକେନ୍ଦ୍ରକୁ ରାଜ୍ୟ ସୂଚନା, ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଇଂ ତୁଷାରକାନ୍ତି ବେହେରା ଆନୁଷ୍ଠାନିକ ଭାବେ ଲୋକାର୍ପିତ କରିଥିଲେ ।

ମୋ ସେବାକେନ୍ଦ୍ର ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଜନସାଧାରଣ ଆଉ ବାରମ୍ବାର କୌଣସି କାର୍ଯ୍ୟାଳୟକୁ ନଦୌଡ଼ି ଏହି କେନ୍ଦ୍ରରେ ନିଜର ପାଣି, ବିଦ୍ୟୁତ ବିଲ ଭଳି ବିଲ ପୈଠ କରିବା ସହିତ ମାଟ୍ରିକ ସାର୍ଟିଫିକେଟର ନକଲ,ଆୟ ପ୍ରମାଣପତ୍ର , ଜାତିଗତ ପ୍ରମାଣପତ୍ର ଭଳି ଅତ୍ୟାବଶ୍ୟକୀୟ କାଗଜାତ ହାସଲ କରିପାରିବେ ବୋଲି ସୂଚନା ମିଳିଛି । ମୋସେବା କେନ୍ଦ୍ରର ଏହି ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ସ୍ଥାନୀୟ ତହସିଲଦାର ଶିବାଶିଷ ପାଲତା,ଗୋପ ମଣ୍ଡଳ ଉନ୍ନୟନ ଅଧିକାରୀଣୀ ଦିପ୍ତିରାଣୀ ଦାସ, ନିମାପଡ଼ା ଏସଡ଼ିପିଓ ପ୍ରଦୀପ କୁମାର ଦଳାଇ , କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍ ଶ୍ରୀନିବାସ ଙ୍କ ସମେତ  ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନସାଧାରଣ ମାନେ ଉପସ୍ଥିତ ଥିଲେ ।  କୋଣାର୍କର ଏହି ମୋ ସେବା କେନ୍ଦ୍ରର ପ୍ରୋପାଇଟର ହେଉଛନ୍ତି ପ୍ରକାଶ ବେହେରା ଓ ରମେଶ ବେହେରା ।

Govt
Leave A Reply