Odisha news

ବାଗ୍ଦେବୀଙ୍କ ଆରାଧନା

ଡ଼ଃ.ଅରୁନ୍ଧତୀ ଦେବୀ: ସରସ୍ୱତୀ ପୂଜା । ଶିକ୍ଷାର୍ଥୀମାନେ ଏହି ପୂଜାକୁ ଆଗ୍ରହ, ଭକ୍ତି ସହକାରେ ପାଳନ କରିଥାନ୍ତି । ମା’ସରସ୍ୱତୀଙ୍କ ଅନ୍ୟ ନାମ ବାଗ୍ଦେବୀ । ଧ୍ୱନି, ଶବ୍ଦ ବା ବାକ୍ୟ କହିବାର ମହାନ ଶକ୍ତିଟି ଆମ ପାଖରେ ଯାହା ରହିଛି ତା’ର ନିୟନ୍ତା ହେଉଛନ୍ତି ଏହି ଶୁକ୍ଳବର୍ଣ୍ଣ ବସ୍ତ୍ର ପରିହିତା, ବୀଣାପୁସ୍ତକ ଧାରିଣୀ ମା’ସରସ୍ୱତୀ । ସେ ଆମ କଣ୍ଠଦେଶରେ ବିରାଜମାନ କରି ଆମକୁ ବାଣୀ ବା ବାକ୍ୟ କହିବାର ଶକ୍ତି ପ୍ରଦାନ କରିଥାନ୍ତି । ଏଣୁ ମା’ଙ୍କର ଆରାଧନା କଲାବେଳେ ପିଲାମାନେ ଗାଇ ଉଠିଥାନ୍ତି ସରସ୍ୱତୀ ମା’କଣ୍ଠରେ ଥା, ବିଦ୍ୟା ନଆସିଲେ କହି ଦେଉଥା । ସବୁ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ହିଁ କଥା କହିବାର କ୍ଷମତା ହାସଲ କରିଛି । ଯଦିଓ କିଛି ଜୀବଜନ୍ତୁ ଅଛନ୍ତି କଥା କହିବା ଭଳି ଧ୍ୱନି ସୃଷ୍ଟି କରିପାରନ୍ତି, ତେବେ ମଣିଷ ପରି କେହି ଏଥିରେ ଧୂରନ୍ଧର ହୋଇପାରନ୍ତି ନାହିଁ ।

ସୁତରାଂ ବାଗ୍ଦେବୀଙ୍କର ତାଙ୍କ ସେହି ଶ୍ରେଷ୍ଠ ସନ୍ତାନ ପ୍ରତି ଅସୀମ କରୁଣା ରହିଛି କହିଲେ ଭୁଲ ହେବନାହିଁ । ତେବେ ଏହି କରୁଣାର ଉପଯୋଗ ଆମେ କିପରି ଭାବେ କରୁଛେ? ଆଜିକାର ସମୟରେ ଏହା ଚିନ୍ତା କରିବା ନିହାତି ଜରୁରୀ । ପଦିଏ ମଧୂର କଥା ଅନ୍ୟର କ୍ଲେଶ ହରଣ କରିଦେଉଥିବାବେଳେ ସେହି ପଦିଏ କଥା ଅନ୍ୟ ମନକୁ ବିଷାଦମୟ ତଥା ବିଷାକ୍ତମୟ କରିପାରେ । ଏହି କଥାରୁ ହିଁ ସୃଷ୍ଟି ହେଉଛି ଯାବତୀୟ କଳିତକରାଳ । ଏଣୁ ସନ୍ଥମାନେ କହିଯାଇଛନ୍ତି ବିନୟ ମଧୂର ବଚନ, କହି ତୋଷିବ ପ୍ରାଣୀମନ । ତେବେ ମଧୁର କଥା ସତ୍ୟ ଉପରେ ଆଧାରିତ ହୋଇଥିଲେ ତାହା ପ୍ରଭାବଶାଳୀ ହୋଇଥାଏ । ଏଣୁ ବିଜ୍ଞ, ସାଧୁସନ୍ଥମାନେ କଥାର ଅପବ୍ୟବହାର କରିନଥାନ୍ତି । ଯାହା କହିଥାଆନ୍ତି ସତ୍ୟ ଉପରେ ଆଧାରିତ ହୋଇଥାଏ ।

ନିଜର ଶବ୍ଦ ଉପରେ ଏମାନେ ଏପରି ସିଦ୍ଧି ପ୍ରାପ୍ତ କରିଥାନ୍ତି ଯେ, ଯାହା କହନ୍ତି ତାହା ଫଳବତୀ ହୋଇଯାଏ । ଯାହାକୁ କୁହାଯାଏ ଆଶୀର୍ବଚନ । ଆମର ବିଶ୍ୱାସ ଅଛି ଯେ ଯଦି କେଉଁ ଅସହାୟ, ବୟସ୍କଙ୍କୁ ନିଜରସ୍ୱାର୍ଥ ହାସଲ ଲାଗି ହଇରାଣହରକତ କରୁ ତେବେ ସେମାନଙ୍କ ଯନ୍ତ୍ରଣାଦଗ୍ଧ ହୃଦୟର ଭାବ ଯେଉଁ ବାକ୍ୟ ରୂପେ ଉଚ୍ଚାରିତ ହୁଏ ତାହା ସତ୍ୟରେ ପରିଣତ ହୋଇଯାଏ । ଯାହାକୁ ଅଭିଶାପ ଆଖ୍ୟା ଦିଆଯାଇଛି । ଶାସ୍ତ୍ରରେ ଶବ୍ଦକୁ ବ୍ରହ୍ମ ସହ ତୁଳନା କରାଯାଇଛି । ଯାହାର ଅଧିଷ୍ଠାତ୍ରୀ ହେଉଛନ୍ତି ମା’ସରସ୍ୱତୀ । ଏଣୁ ମା’କଳା ନିପୂଣା । ସବୁ କଳାକାର ମା’ଙ୍କୁ ଆରାଧନା କରି କଳା ସାଧନା କରିଥାନ୍ତି । ମା’ସନ୍ତୁଷ୍ଟ ହେଲେ କଳାକାରର ସାଧନା ସିଦ୍ଧ ହୋଇଥାଏ । ଏହି କ୍ରମରେ ଆମ ଓଡ଼ିଶାର ଝଙ୍କଡ଼ ସାରଳା ପୀଠ କଳାକାରଙ୍କ ତୀର୍ଥ କ୍ଷେତ୍ର ଭାବେ ପରିଚିିତ । ଏଠାରେ ମୁଖ୍ୟତଃ ପାଲାଗାୟକମାନେ ମା’ସାରଳାଙ୍କର କରୁଣା ଭିକ୍ଷା କରିଥାନ୍ତି । ମା’ ସନ୍ତୁଷ୍ଟ ହେଲେ ସେମାନେ ନିଜର କଳା ନିର୍ଭୂଲ ଭାବେ ପରିବେଷଣ କରିବାର କ୍ଷମତା ହାସଲ କରିପାରନ୍ତି ବୋଲି କାହିଁ କେଉଁ କାଳରୁ ବିଶ୍ୱାସ ରହିଆସିଛି । ଆସନ୍ତୁ ସେହି ମହିମାମୟୀ ମା’ଙ୍କର ଜୟଗାନ କରିବା ।

Comments are closed.