ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ସାଧାରଣତନ୍ତ୍ର ଦିବସ । ସାଧାରଣତନ୍ତ୍ର ଦିବସଟି ସ୍ୱାଭାବିକ ଭାବେ ପ୍ରତିଟି ଭାରତୀୟଙ୍କ ପାଇଁ ଏକ ଆନନ୍ଦ, ଆତ୍ମସମୀକ୍ଷା ଓ ଗୌରବର ଦିନ । ସତସଙ୍ଗର ପ୍ରତିଷ୍ଠାତା ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ତାଙ୍କର ସ୍ୱହସ୍ତ ଲିଖିତ ପବିତ୍ର ଗ୍ରନ୍ଥ ସତ୍ୟାନୁସରଣରେ ଭାରତବାସୀଙ୍କୁ ଆହ୍ୱାନ ଜଣାଇଲେ – ଅର୍ଥ, ମାନ, ଯଶ ଇତ୍ୟାଦି ପାଇବା ଆଶାରେ ମୋତେ ଠାକୁର ସଜାଇ ଭକ୍ତ ହୁଅନାହିିଁ, ସାବଧାନ ହୁଅ – ଠକିଯିବ; ତୁମର ଠାକୁରତ୍ୱ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ବି ନୁହଁନ୍ତି, ଠାକୁର ବି ନୁହଁନ୍ତି – ଫାଙ୍କି ଦେଲେ ତାହା ହିଁ ପାଇବ । ଭାରତର ଅବନତି ସେହି ସମୟରୁ ଆରମ୍ଭ ହୋଇଛି ଯେଉଁ ସମୟରୁ ଭାରତବାସୀଙ୍କ ପାଖରେ ଅମୂର୍ତ୍ତ ଭଗବାନ ଅସୀମ ହୋଇ ଉଠିଛନ୍ତି – ଋଷିଙ୍କୁ ବାଦ ଦେଇ ୠଷି ବାଦର ଉପାସନା ଆରମ୍ଭ ହୋଇଛି । ଭାରତ! ଯଦି ଭବିଷ୍ୟତ କଲ୍ୟାଣକୁ ଆବାହନ କରିବାକୁ ଚାହଁ, ତେବେ ସମ୍ପ୍ରଦାୟଗତ ବିରୋଧ ଭୁଲି, ଜଗତର ପୂର୍ବ ପୂର୍ବ ଗୁରୁମାନଙ୍କ ପ୍ରତି ଶ୍ରଦ୍ଧାସମ୍ପନ୍ନ ହୁଅ – ଆଉ ତୁମର ମୂର୍ତ୍ତ ଓ ଜୀବନ୍ତ ଗୁରୁ ବା ଭଗବାନଙ୍କ ପ୍ରତି ଆସକ୍ତ ହୁଅ, ଏବଂ ସେହିମାନଙ୍କୁ ହିଁ ସ୍ୱୀକାର କର ଯେଉଁମାନେ ତାଙ୍କୁ ଭଲ ପାଆନ୍ତି । କାରଣ ପୂର୍ବବର୍ତ୍ତୀଙ୍କୁ ଅଧିକାର କରିହିଁ ପରବର୍ତ୍ତୀଙ୍କର ଆବିର୍ଭାବ । ସମଗ୍ର ମାନବ ଜାତିକୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଆହ୍ୱାନ ଦେଇ କହିଲେ – ସର୍ବପ୍ରଥମ ଆମ୍ଭମାନଙ୍କୁ ଦୁର୍ବଳତା ବିରୁଦ୍ଧରେ ଯୁଦ୍ଧ କରିବାକୁ ହେବ । ସାହସୀ ହେବାକୁ ହେବ, ବୀର ହେବାକୁ ହେବ । ପାପର ଜ୍ୱଳନ୍ତ ପ୍ରତିମୂର୍ତ୍ତି ଏହି ଦୁର୍ବଳତା । ତଡ଼ ଯେତେ ଶୀଘ୍ରପାର ଏହି ରକ୍ତ ଶୋଷଣକାରୀ ଅବସାଦ ଉତ୍ପାଦକ ବାଦୁଡ଼ିକୁ । ସ୍ମରଣ କର ତୁମେ ଶକ୍ତିର ତନୟ, ସ୍ମରଣ କର ତୁମେ ପରମପିତାଙ୍କ ସନ୍ତାନ । ହଟି ଯିବାଟା ବରଂ ଦୁର୍ବଳତା ନୁହେଁ କିନ୍ତୁ ଚେଷ୍ଟା ନକରିବା ହିଁ ଦୁର୍ବଳତା । ଧର୍ମର ସର୍ବସମନ୍ୱୟୀ ବ୍ୟାଖ୍ୟାରେ ଯୁଗାବତାର ଶ୍ରୀ ଶ୍ରୀ ଠାକୁର କହିଲେ – ଧର୍ମ କେବେ ହେଲେ ବହୁ ହୁଏନା, ଧର୍ମ ଏକ, ଆଉ ତାର କୌଣସି ପ୍ରକାର ନାହିଁ । ମତ ବହୁତ ହୋଇପାରେ, ଏପରିିକି ଯେତେ ମଣିଷ ସେତେ ମତ ହୋଇପାରେ, କିନ୍ତୁ ତାହା ବୋଲି ଧର୍ମ ବହୁତ ହୋଇପାରେ ନାହିଁ । ହିନ୍ଦୁ ଧର୍ମ, ମୁସଲମାନ ଧର୍ମ, ଖ୍ରୀଷ୍ଟିୟାନ ଧର୍ମ, ବୌଦ୍ଧ ଧର୍ମ ଇତ୍ୟାଦି କଥା ମୋ ମତରେ ଭୁଲ, ବରଂ ସେ ସବୁ ଗୁଡ଼ିକ ମତ । କୌଣସି ମତ ସହିତ କୌଣସି ମତର ପ୍ରକୃତ ପକ୍ଷରେ କୌଣସି ବିରୋଧ ନାହିଁ, ଭାବର ବିଭିନ୍ନତା, ପ୍ରକାର ଭେଦ – ଗୋଟିଏକୁ ନାନା ପ୍ରକାରରେ ଏକ ରୂପେ ଅନୁଭବ । ସତ୍ସଙ୍ଗ ଚାହେଁ ଭାରତ ଏକ ସମ୍ପ୍ରଦାୟ ନିରପେକ୍ଷ ଧର୍ମପ୍ରାଣ ରାଷ୍ଟ୍ର ହେଉ । ଆମେ କଂଗ୍ରେସ ମୁକ୍ତ ଭାରତ ଚାହୁଁନା, ବା ସଂଘ ମୁକ୍ତ ଭାରତ ଚାହୁଁନା । ଆମେ ଚାହୁଁ ସମ୍ପ୍ରଦାୟ ନିରପେକ୍ଷ ଧର୍ମପ୍ରାଣ ଭାରତ । ଯୁଗପୁରୁଷ ଶ୍ରୀ ଶ୍ରୀ ଠାକୁର ଉଦ୍ଦାତ୍ତ କଣ୍ଠରେ ଗାଇ ଉଠିଲେ – “ଆର୍ଯ୍ୟ ଭାରତ ବର୍ଷ ମୋର ଜ୍ଞାନ ଗରିମା ଗରବିନୀ, ଦୁ୍ୟତିପ୍ରେକ୍ଷା ସ୍ଫୁରକ ପ୍ରଜ୍ଞା ଦୁ୍ୟଲୋକ ଦୀପକ ମାଳିନୀ, ରକ୍ତ ତପନ କ୍ଷିପ୍ତ ଆଲୋକ ରଶ୍ମି ପୁଲକ ଝଲକ ଝଲକ, ଦୀପ୍ତ ରିକ୍ତ ପାବକ ଅନଘ ମୃତୁ୍ୟ ବିଜୟ ଦାୟିନୀ! ହୋମର ଅନଳ ନାଚେ ଛଳ ଛଳ ବହେ ସରସ୍ୱତୀ ସିନ୍ଧୁ ପ୍ରବହ, ହୃଷଦ୍ୱତୀ ଦେଲା ଅର୍ଘ୍ୟ ଆଂଚଳ ସ୍ଫୁରିତ ଇନ୍ଦୁ ସ୍ମିତ ଟଳ ଟଳ, ଚଲେ ଭାଗିରଥୀ ଡାକେ କଳକଳ, ସାଗର ଧୌତ ଚରଣ ଯୁଗଳ ତୁଙ୍ଗ ଧବଳ କିରୀଟିନୀ, ଅଯୁତ ରଶ୍ମି ଦୀପ୍ତ କେନ୍ଦ୍ର ପୁରୁଷୋତ୍ତମ ଚିର ଅତନ୍ଦ୍ର, ଜାଗେ ଆହ୍ୱାନ ବିପୁଳ ମନ୍ଦ୍ର ଅମର ଲପନା ଜୀବନ ସାନ୍ଦ୍ର, ଆର୍ଯ୍ୟ ଗରିମା ଗଭୀର ମନ୍ତ୍ର, ଛଳକି ସତ୍ତା ଏକଟି ତନ୍ତ୍ର, ଭାରତ ବିଶ୍ୱ ଋତାୟିନୀ’ । ଶ୍ରୀ ଶ୍ରୀ ଠାକୁର ଅତି ଦୃଢ଼ ଚିତ୍ତରେ ଘୋଷଣା କଲେ – ତୁମେ, ଠିକ୍ ଠିକ୍ ଜାଣ ଯେ, ତୁମେ ତୁମର, ତୁମ ନିଜ ପରିବାରର, ଦଶର ଏବଂ ଦେଶର ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଦାୟୀ ।
ସ୍ୱାଧୀନ ଭାରତରେ ଦୁଇଟି ଦିନକୁ ଜାତୀୟ ଦିବସ ରୂପେ ପାଳନ କରାଯାଏ – ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ । ୧୯୫୦ ଜାନୁଆରୀ ୨୬ରେ ଭାରତର ଗଣତାନ୍ତ୍ରିକ ରାଷ୍ଟୟ ଘୋଷିତ ହୋଇଥିଲା । ଶାସନ ପାଇଁ ସମ୍ବିଧାନ ପ୍ରଣୟନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ସାମ୍ବିଧାନିକ ସଭା ୧୯୪୯ ନଭେମ୍ବରରେ ସମ୍ବିଧାନ ପ୍ରସ୍ତୁତି କାର୍ଯ୍ୟ ଶେଷ କରିଥିଲା । ତେବେ ସମ୍ବିଧାନକୁ ଲାଗୁ କରାଇବା ପାଇଁ ପର ବର୍ଷ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା । ସମ୍ବିଧାନ ଜରିଆରେ ଦେଶର ଏକତା ରକ୍ଷା କରାଯାଇଛି । ଏହା ନାଗରିକଙ୍କୁ ରାଜନୈତିକ ସ୍ୱାଧୀନତା ଏବଂ ମତପ୍ରକାଶର ସ୍ୱାଧୀନତା ପ୍ରଦାନ କରିଛି । ଏହାଯୋଗୁଁ ସାମାଜିକ ନ୍ୟାୟର ପ୍ରତିଷ୍ଠା ସଂଭବ ହୋଇଛି । ଭାରତୀୟ ସମ୍ବିଧାନ ବିଶ୍ୱର ଅନ୍ୟତମ ପ୍ରମୁଖ ସମ୍ବିଧାନ । ଆମ ସମ୍ବିଧାନରେ ଯେଉଁସବୁ କଥା କୁହାଯାଇଛି ଏବଂ ଯେଉଁସବୁ ବିଷୟମାନ ରହିଛି, ତାହା ଅଧିକାଂଶ ସଭ୍ୟ ରାଷ୍ଟ୍ରର ଇପ୍ସିତ ଲକ୍ଷ୍ୟ ହୋଇଛି । ସମ୍ବିଧାନ ଆମକୁ ଦେଇଛି ଏକ ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା । ସବୁ ମତ ଓ ସବୁ ଧର୍ମକୁ ସମ୍ମାନ ଦେବା ପାଇଁ ଶିକ୍ଷା ଦେଉଛି । ଭାରତର ସାଂସ୍କୃତିକ ଏକତା ଏଥିରେ ପ୍ରସ୍ଫୁଟିତା ପୁଣି ବ୍ୟକ୍ତି ସ୍ୱାଧୀନତା ହେଉଛି ଆମ ସମ୍ବିଧାନର ଅନ୍ୟତମ ମୂଳମନ୍ତ୍ର । ଏହାର ମୂଲ୍ୟବୋଧ ଅବଶିଷ୍ଟ ବିଶ୍ୱ ସ୍ୱୀକାର କରୁଛି । ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ଏହାର ସମ୍ମାନ ଅତୁଟ ରଖିବା ଆମର ଧ୍ୟେୟ ହେଉ ।
