ରାୟଗଡା୧୪ ।୧(ରବୀନ୍ଦ୍ର ପାଟଖଣ୍ଡଳ)-ରାୟଗଡା ଜିଲ୍ଲାରେ କୃଷି ଓ ଉଦ୍ୟାନ କୃଷିଜାତ ଦ୍ରବ୍ୟର ସମ୍ଭାବ୍ୟ ଉତ୍ପାଦନକୁ ଦୃଷ୍ଟିରେ ରଖି କୃଷକ ଉତ୍ପାଦକ ସଂଘ ଗଠନ କରାଯିବା ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମନିଣ୍ଟରିଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ନିର୍ଦିଷ୍ଟ ଅଞ୍ଚଳରେ ଯେଉଁ କୃଷିଜାତ ଦ୍ରବ୍ୟ ବିଶେଷ ଭାବେ ଉତ୍ପାଦନ ହେଉଛି ସେହି ଅଞ୍ଚଳର ଚାଷୀଙ୍କୁ ନେଇ ସଂଘ ଗଠନ କରାଯିବ । କାଶିପୁର ବ୍ଲକରେ ଆମ୍ବ, ବିଷମକଟକରେ ସପୁରୀ, ଗୁଣପୁର, ରାମନାଗୁଡା, ପଦ୍ମପୁର ବ୍ଲକରେ କାଜୁ, ଗୁଡାରୀ, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଲକରେ ଜୈବିକ ପଦ୍ଧତିରେ ପରିବା ଚାଷ କରାଯାଉଥିବାରୁ ସେହି ଚାଷୀ ମାନଙ୍କୁ ନେଇ ଉତ୍ପାଦକ ସଂଘ ଗଠନ କରାଯିବ ।
ଜିଲ୍ଲାର ୧୧ ଗୋଟି ବ୍ଲକରେ ୧୧ଗୋଟି କୃଷି ଉତ୍ପାଦକ ସଂଘ ଗଠନ କରାଯିବ । ପ୍ରତି ବ୍ଲକରୁ ୩୦୦ ରୁ ୫୦୦ ଚାଷୀ ଚିହ୍ନଟ କରାଯାଇ ସଂଘ ଗଠନ କରାଯିବ । ଜିଲ୍ଲା କୃଷି ବିଭାଗ ଓ ଉଦ୍ୟାନ ବିଭାଗ ପ୍ରତ୍ୟକ୍ଷ ତତ୍ୱବଧାନରେ ଏହି ସଂଘ ପରିଚାଳିତ ଏବଂ ଉପ-ନିର୍ଦେଶକ ନାବାର୍ଡ ସହଯୋଗ କରିବେ । ଏଥି ନିମନ୍ତେ ଆବଶ୍ୟକ ଜ୍ଞାନ କୌଶଳ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ଯୋଗାଇବ । କୃଷି ସଂଘ ଗଠନ ନିମନ୍ତେ ଚାଷୀଙ୍କୁ ଚିହ୍ନଟ ପାଇଁ ଉଦ୍ୟାନ କୃଷି ଉପ-ନିର୍ଦେଶକ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀମିଶ୍ର ଦାୟିତ୍ୱ ଦେଇଛନ୍ତି । ଆୟୋଜିତ ବୈଠକରେ ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦେଶକ ଭୀମସେନ ଶବରଙ୍କ ସମେତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉଦ୍ୟାନ କୃଷି ଉପନିର୍ଦେଶକ, ପ୍ରକଳ୍ପ ନିର୍ଦେଶକ ଜଳଛାୟା, ମତ୍ସ୍ୟ ଅଧିକାରୀ, ଅତିରିକ୍ତ ଉପ-ନିର୍ଦେଶକ ନାବାର୍ଡ ପ୍ରମୁଖ ଯୋଗଦାନ କରିଥିଲେ ।