ପରୀ ସମେତ ଗତ ୨ ବର୍ଷରେ ରାଜ୍ୟର ୫୫୦୦ ନିଖୋଜ ଶିଶୁଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହେବାର କଳାଦାଗକୁ ଲିଭେଇବା ପାଇଁ ମହିଳା ସଂରକ୍ଷଣ କଥା କହୁଛନ୍ତି ନବୀନ
ମହିଳା ସଂରକ୍ଷଣ ଏବଂ ମହିଳାଙ୍କୁ ଗୁରୁତ୍ୱ ଦେବା କଥା କହିବା କେବଳ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଧୂଆଁବାଣ
ବିଜେପି ସରକାର ଦେଶର ପ୍ରମୁଖ ସ୍ଥାନରେ ମହିଳାଙ୍କୁ ଗୁରୁତ୍ୱ ଦେଇ ଆସୁଛି
ମହିଳା ସଂରକ୍ଷଣ ଓ ସଶକ୍ତିକରଣ କଥା ବିଜେଡି କେବଳ କାଗଜ କଲମରେ ରଖିଛି
ରାଜ୍ୟରେ ଯେଉଁଠି ମହିଳା ସୁରକ୍ଷିତ ନୁହଁନ୍ତି ସେଠି ସଶକ୍ତ କିପରି ହେବେ?
ମୋଦି ସରକାର ବେଟି ବଚାଓ ବେଟି ପଢାଓ ଯୋଜନା, ଉଜ୍ଜଳା ଯୋଜନା, ମୁଦ୍ରା ଯୋଜନା, ନିର୍ଭୟା ଫଣ୍ଡ ଆଦି ବିଭିନ୍ନ ଯୋଜନା କରି ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଛନ୍ତି
ଭୁବନେଶ୍ୱର,ତା.୨୬/୧୨: ରାଜ୍ୟରେ ମହିଳା ଓ ଶିଶୁମାନେ ଏବେ ଅସୁରକ୍ଷିତ ହୋଇପଡିଛନ୍ତି । ସେମାନଙ୍କୁ ସୁରକ୍ଷା ଦେବା ଦିଗରେ ରାଜ୍ୟ ସରକାର ସଂପୂର୍ଣ୍ଣଭାବେ ଫେଲ୍ ମାରିଛନ୍ତି । ମହିଳାଙ୍କୁ ଗୁରୁତ୍ୱ ଦେବା ଏବଂ ମହିଳା ସଶକ୍ତିକରଣ କଥା କହି କେବଳ ଓଡିଶାର ଜନତାଙ୍କୁ ଭ୍ରମିତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏନସିଆରବି ରିପୋର୍ଟ ଅନୁଯାୟୀ ସର୍ବାଧିକ ମହିଳାଙ୍କ ଉପରେ ଦୁଷ୍କର୍ମ ଅତ୍ୟାଚାର ହେଉଥିବା ରାଜ୍ୟ ହେଉଛି ଓଡିଶା । ମହିଳା ପରେ ଏବେ ଶିଶୁମାନଙ୍କୁ ଅପହରଣ କରାଯାଇ ସେମାନଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଉଛି ।
ଖୋଦ୍ ଶାସକ ଦଳର ନେତା, ମନ୍ତ୍ରୀ ଓ କର୍ମୀମାନେ ଏସବୁ ଅପରାଧିକ କାର୍ଯ୍ୟକଳାପରେ ସାମିଲ ରହିଛନ୍ତି । ପରୀ ହତ୍ୟାକାଣ୍ଡ ଘଟଣାରେ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବା ସତ୍ୱେ ତାଙ୍କୁ ସୁରକ୍ଷା ଯୋଗାଇବାର କାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ୨୦୧୯ ନିର୍ବାଚନ ବେଳେ ମା’ ଙ୍କୁ ସମ୍ମାନର ନାରା ଦେଇ ନିର୍ବାଚନ ବୈତରଣୀ ପାର ହୋଇଥିବାବେଳେ ଆଗାମୀ ନିର୍ବାଚନ ଜିତିବା ପାଇଁ ଏବେ ମହିଳା କାର୍ଡ ଖେଳିଛନ୍ତି । ମହିଳା ସଂରକ୍ଷଣ ଏବଂ ମହିଳାଙ୍କୁ ଗୁରୁତ୍ୱ ଦେବା କଥା କହିବା କେବଳ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଧୂଆଁବାଣ ବୋଲି ବିଜେପି ରାଜ୍ୟ ସାଧରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତିସଂହାର ଅଭିଯୋଗ କରିଛନ୍ତି ।
ଡ.ସାମନ୍ତସିଂହାର କହିଛନ୍ତି ଯେ, ପରୀ ସମେତ ଗତ ୨ ବର୍ଷରେ ରାଜ୍ୟର ୫୫୦୦ ନିଖୋଜ ଶିଶୁଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଏହି କଳା ଦାଗକୁ ମିଟାଇବା ପାଇଁ ମୁଖ୍ୟମନ୍ତ୍ରୀ ମହିଳା ସଂରକ୍ଷଣ କଥା କହୁଛନ୍ତି । ବିଗତ କିଛି ବର୍ଷରେ କୁନ୍ଦୁଳି, ବେବିନା, ଇତିଶ୍ରୀ ଘଟଣାରେ ବିଜେଡି ଦଳର ପ୍ରମୁଖ ନେତାଙ୍କ ହାତ ରହିଥିଲା ।
ମହିଳା ସଂରକ୍ଷଣ ଓ ସଶକ୍ତିକରଣ କଥା ବିଜେଡି କେବଳ କାଗଜ କଲମରେ ରଖିଛି କିନ୍ତୁ ବିଜେପି ଏହାକୁ ବାସ୍ତବ କ୍ଷେତ୍ରରେ ପାଳନ କରିଛି । ବିଜେପି ସରକାର ଦେଶର ପ୍ରମୁଖ ସ୍ଥାନରେ ମହିଳାଙ୍କୁ ଗୁରୁତ୍ୱ ଦେଇ ଆସୁଛି । ଦେଶର ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଆଦି ପଦବୀରେ ମୋଦି ସରକାର ମହିଳାଙ୍କୁ ସ୍ଥାନୀତ କରିଛନ୍ତି ।
ମୋଦି ସରକାର ବେଟି ବଚାଓ ବେଟି ପଢାଓ ଯୋଜନା, ଉଜ୍ଜଳା ଯୋଜନା, ମୁଦ୍ରା ଯୋଜନା, ଜନଧନ ଯୋଜନା, ନିର୍ଭୟା ଫଣ୍ଡ ଆଦି ମହିଳା କଲ୍ୟାଣକାରୀ ଯୋଜନା କରି ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଛନ୍ତି । ସେହିପରି ମହିଳା ମାନଙ୍କ ସୁରକ୍ଷିତ ମାତୃତ୍ୱ ପାଇଁ ୨୬ ସପ୍ତାହ ଛୁଟି ଦିଆଯାଇଛି । ମୋଦି ସରକାର ସୁକନ୍ୟା ଯୋଜନା କରି ଶିଶୁ କନ୍ୟାଙ୍କ ଭବିଷ୍ୟତକୁ ସୁଦୃଢ କରିବାର କାର୍ଯ୍ୟ କରିଛନ୍ତି ।
ମହିଳାମାନଙ୍କୁ ସମ୍ମାନ ଦେବାକୁ ଯାଇ କେନ୍ଦ୍ର ସରକାର ଘରେ ଘରେ ଶୌଚାଳୟର ବ୍ୟବସ୍ଥା କରିଛନ୍ତି । କିନ୍ତୁ ବିଜେଡି ଏଠି ଭୋଟ ବ୍ୟାଙ୍କ ରାଜନୀତି ପାଇଁ ମହିଳାଙ୍କୁ ବ୍ୟବହାର କରୁଛି । ନିର୍ବାଚନ ଜିତିବା ପାଇଁ ସ୍ୱଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ଟଙ୍କା ବଂଟାଯାଉଛି । ରାଜ୍ୟରେ ଯେଉଁଠି ମହିଳା ସୁରକ୍ଷିତ ନୁହଁନ୍ତି ସେଠି ସଶକ୍ତ କିପରି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି ।
