ପର ଘର ତିଅଣରେ ଅତିଥୀ ସକ୍ରାର କରୁଛନ୍ତି ରାଜ୍ୟସରକାର
ରାଜ୍ୟରେ ୭ଟି ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ରସରକାର ୭୧୭ କୋଟି ଟଙ୍କା ଓଡିଶାକୁ ଦେଇ ସାରିଲେଣି
ନୂଆ ମେଡିକାଲ କଲେଜ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୬୭ କୋଟି, ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ କୋଟି ଏବଂ ତୃତୀୟ ପର୍ଯ୍ୟାୟରେ ୫୦ କୋଟି ଟଙ୍କା କେନ୍ଦ୍ର ସରକାର ଓଡିଶାକୁ ପ୍ରଦାନ କରିଛନ୍ତି
୨୦୧୮ ଏପ୍ରିଲ ପରଠାରୁ ମୋଦି ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନରେ ୩୨୬୨ କୋଟି ଟଙ୍କା ଏବଂ କୋଭିଡ ପାଇଁ ୧୨୨ କୋଟି ଟଙ୍କା ଦେଇଥିବାବେଳେ
ରାଜ୍ୟସରକାର ତାଙ୍କ ୪୦ ପ୍ରତିଶତ ଭାଗରୁ କେତେ ଅର୍ଥ ଦେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ
ଭୁବନେଶ୍ୱର,ତା.୧୬/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ପ୍ରତ୍ୟେକ ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ସେହିକ୍ରମରେ ଏଯାବତ ରାଜ୍ୟରେ ୭ଟି ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ରସରକାର ୭୧୭ କୋଟି ଟଙ୍କା ଓଡିଶାକୁ ଦେଇ ସାରିଲେଣି । ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, ବାରିପଦା, ବଲାଙ୍ଗୀର, କୋରାପୁଟ ଏବଂ ପୁରୀରେ ମେଡିକାଲ କଲେଜ ନିର୍ମାଣ ପାଇଁ ୫୬୭ କୋଟି ଟଙ୍କା କେନ୍ଦ୍ରସରକାର ରାଜ୍ୟକୁ ଦେଇସାରିଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁର ମେଡିକାଲ ପାଇଁ ୧୦୦ କୋଟି ଟଙ୍କା ଏବଂ ତୃତୀୟ ପର୍ଯ୍ୟାୟରେ କଳାହାଣ୍ଡି ମେଡିକାଲ ପାଇଁ ୫୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି । ରାଜ୍ୟରେ ମେଡିକାଲ କଲେଜ ନିର୍ମାଣ ପାଇଁ କେନ୍ଦ୍ର ସରକାର ୬୦ ଭାଗ ଅର୍ଥ ଦେଉଥିବାବେଳେ ରାଜ୍ୟସରକାର ୪୦ ଭାଗ ଅର୍ଥ ଖର୍ଚ୍ଚ କରିଥାନ୍ତି । କେନ୍ଦ୍ର ସରକାର ୬୦ ଭାଗ ଅର୍ଥ ପ୍ରଦାନ କରିସାରିଥିବାବେଳେ ରାଜ୍ୟସରକାର ତାଙ୍କ ୪୦ ପ୍ରତିଶତ ଭାଗରୁ କେତେ ଅର୍ଥ ଦେଇଛନ୍ତି ତାହା କାହିଁକି ସ୍ପଷ୍ଟ କରୁନାହାଁନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ଡ.ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟରେ ମେଡିକାଲ କଲେଜ ସ୍ଥାପନା କରିବାର ନିଷ୍ପତି ରାଜ୍ୟସରକାର କ୍ୟାବିନେଟରେ ନେଇଛନ୍ତି ବୋଲି ମିଥ୍ୟା କଥା କହି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ପର ଘର ତିଅଣରେ ଅତିଥୀ ସକ୍ରାର କରୁଛନ୍ତି ରାଜ୍ୟସରକାର । ଅତୀତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତାକୁ ବିଜୁ ପକ୍କା ଘର ଖାତାରେ ପକାଇବା, ଟଙ୍କିକିଆ ଚାଉଳ ଓ ୧୦୮ ଆମ୍ବୁଲାନ୍ସକୁ ନିଜର ବୋଲି ପ୍ରଚାର କରିବା ଭଳି ମେଡିକାଲ କଲେଜର ଶ୍ରେୟ ମଧ୍ୟ ନେବା ପାଇଁ ଅପଚେଷ୍ଟା କରୁଛନ୍ତି ନବୀନ ସରକାର । କିନ୍ତୁ ବାସ୍ତବରେ କେନ୍ଦ୍ରୀୟ ଯୋଜନା ଓ ଅର୍ଥରେ ହେଉଛି ପୁରୀ ଓ ଯାଜପୁର ସମେତ ରାଜ୍ୟର ୭ଟି ନୂଆ ମେଡିକାଲ କଲେଜ । କେନ୍ଦ୍ରସରକାରଙ୍କୁ ଶ୍ରେୟ ଦେବା ତ ଦୂରର କଥା ରାଜ୍ୟସରକାର ସତ୍ୟ ତଥ୍ୟ ରାଜ୍ୟବାସୀଙ୍କ ଆଗରେ କାହିଁକି ରଖୁନାହଁନ୍ତି ।
ନୂଆ ମେଡିକାଲ କଲେଜ ନିର୍ମାଣ ପାଇଁ ରାଜ୍ୟର ୪୦ ପ୍ରତିଶତ ଭାଗରୁ ଜମି ବାବଦରେ କେତେ ଖର୍ଚ୍ଚ ହୋଇଛି ଏବଂ ପିସି ବାବଦରେ କେତେ ଖର୍ଚ୍ଚ ହେଇଛି ତାହାର ଲେଖାଯୋଖା ହିସାବ ରାଜ୍ୟସରକାର ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ । ମିଥ୍ୟା ତଥ୍ୟ ଦେଇ ମୋବାଇଲକୁ ମେସେଜ ପଠାଇ ଓଡିଶାବାସୀଙ୍କୁ ଭଣ୍ଡେଇ ନିର୍ବାଚନ ଜିତିବାକୁ ଅପଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାବାସୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୌଣସି ସ୍ୱାସ୍ଥ୍ୟଗତ ସୁବିଧା ପାଇପାରୁନଥିବାବେଳେ ରାଜ୍ୟସରକାର କାହିଁକି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ସାଧାରଣ ଗରିବ ଲୋକକୁ ଉପକୃତ କରାଉନାହାଁନ୍ତି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
୨୦୧୮ ଏପ୍ରିଲ ପରଠାରୁ ମୋଦି ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନରେ ୩୨୬୨ କୋଟି ଟଙ୍କା ଏବଂ କୋଭିଡ ପାଇଁ ୧୨୨ କୋଟି ଟଙ୍କା ଦେଇଥିବାବେଳେ ରାଜ୍ୟସରକାର ଏହି ଅର୍ଥକୁ କେମିତି ଖର୍ଚ୍ଚ କରିଛନ୍ତି ତାହା ଓଡିଶାବାସୀଙ୍କ ଆଗରେ ରଖିବା ପାଇଁ ଡ. ସାମନ୍ତସିଂହାର ଦାବି କରିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ ଉପସ୍ଥିତ ଥିଲେ ।