ଏଲଇଡ଼ି ଆଲୋକମାଳାରେ ଝଲସିବ ସୂର୍ଯ୍ୟମନ୍ଦିର,ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ , ଆଇକନ ସିଟିକୁ ଦୃଷ୍ଟିରେ ରଖି ଏଏସଆଇର ବହୁମୁଖୀ ଯୋଜନା
କୋଣାର୍କ :ବିଶ୍ବଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସନ୍ଧ୍ୟାପରେ ସୁସଜ୍ଜିତ ଆଲୋକମାଳାରେ ସଜାଯିବ ।ଏଥିପାଇଁ ତିନିକୋଟି ଟଙ୍କା ବିନିଯୋଗ କରାଯିବ । ଏହି ପ୍ରକଳ୍ପର ସଫଳ ରୂପାୟନ ପାଇଁ କାର୍ଯ୍ୟାଦେଶ ପରେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଥିବାର ଦେଖାଯାଇଛି ।ମିଳିଥିବା ସୂଚନା ମୁତାବକ , ଗତବର୍ଷ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ କୋଣାର୍କକୁ ଏକ ଆଇକନ ସିଟିର ମାନ୍ୟତା ଦିଆଯିବା ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଏହାକୁ ଦୃଷ୍ଟିରେ ରଖି ଏଏସଆଇ ପକ୍ଷରୁ ବିଶ୍ବଐତିହ୍ୟ ବ୍ଳାକପାଗୋଡ଼ାର ପାରିପାର୍ଶ୍ବକ ସୌନ୍ଦର୍ଯ୍ୟକରଣ ପାଇଁ ଏକ ବହୁମୁଖୀ ଯୋଜନା ପ୍ରସ୍ତୁତ କରାଯାଇଥିବାର ଜଣାପଡ଼ିଛି ।
ମନ୍ଦିରର ସୌର୍ନ୍ଦ୍ୟକରଣ ପାଇଁ ପ୍ରସ୍ତାବିତ ଯୋଜନା ମଧ୍ୟରୁ ସୂର୍ଯ୍ୟମନ୍ଦିରର ଚାରିପାର୍ଶ୍ବ ଓ ମନ୍ଦିର ପରିସରର ଆଲୋକୀକରଣ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସର୍ଭେ ପରେ ଉକ୍ତ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୱାପକସ (ୱାଟର ଆଣ୍ଡ ପାୱାର କନ୍ୟୁସୁଟାଲନସି ଲିଃ) ନାମକ ଏକ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି ।ଏହି ସଂସ୍ଥା କେନ୍ଦ୍ର ସରକାରଙ୍କ ସ୍ବୀକୃତିପ୍ରାପ୍ତ ସଂସ୍ଥା ବୋଲି ଜଣାପଡ଼ିଛି ।ଏହି କାର୍ଯ୍ୟପାଇଁ ପ୍ରାୟ ତିନିକୋଟି ଟଙ୍କା ବିନିଯୋଗ କରାଯିବ ବୋଲି ଜଣାପଡ଼ିଛି ।
ଏହି ପ୍ରକଳ୍ପ ମଧ୍ୟରେ ସୂର୍ଯ୍ୟମନ୍ଦିରର ବେଢ଼ା ଚାରିପାଖର ସମସ୍ତ ଅଂଚଳ, ମନ୍ଦିର ପରିସରର ନାଟମନ୍ଦିର ,ବେଢ଼ା ଚାରିପାଖରେ ଓ ପରିସରରେ ଥିବା ପାଦଚଲା ରାସ୍ତାର ଆଲୋକୀକରଣ କରାଯିବ ବୋଲି ଜଣାପଡ଼ିଛି ।ମନ୍ଦିର ପରିସରକୁ ରେ ଆଗ୍ରାର ତାଜମହଲ ଭଳି ରଂଗବେରଂଗର ଆଲୋକ ମାଳାରେ ସଜାଯିବାର ଲକ୍ଷ୍ୟ ଥିବା ବେଳେ ବର୍ଷା ପବନରୁ ସୁରକ୍ଷିତ ରହିପାରୁଥିବା ଉଚ୍ଚକ୍ଷମତା ସଂପନ୍ନ ଏଲଇଡ଼ି ଆଲୋକମାଳାରେ ଉଭୟ ମନ୍ଦିର ବେଢ଼ା ଚାରିପାଖ ଓ ପାଦଚଲା ରାସ୍ତାର ଆଲୋକୀକରଣ କରାଯିବ ବୋଲି ଜଣାପଡ଼ିଛି ।କାର୍ଯ୍ୟାଦେଶ ନେଇଥିବା ସଂସ୍ଥା ଏନେଇ କୋଣାର୍କ ରେ ପହଞ୍ଚି ପ୍ରାରମ୍ଭିକ ଭାବେ ପ୍ରସ୍ତୁତିକାର୍ଯ୍ୟ ଆରମ୍ଭ କରିଛି । ବିଦେଶୀ ପର୍ଯ୍ୟଟକଙ୍କୁ କୋଣାର୍କ ସୂର୍ଯ୍ୟମନ୍ଦିରର ଉଜ୍ଜ୍ବଳ ଆଲୋକୀକରଣ ସୌନ୍ଦର୍ଯ୍ୟରେ ବାନ୍ଧି ଆଗ୍ରହ ସୃଷ୍ଟି କରିବା ନେଇ ଏହି ଆଲୋକୀକରଣ କାର୍ଯ୍ୟ କରାଯାଉଥିବା ସୂର୍ଯ୍ୟମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଏଏସଆଇର ସ୍ଥାନୀୟ ଅଧିକାରୀ ନିରଜ ସିଂ ସୂଚନା ଦେଇଛନ୍ତି ।
