Odisha news

କରୋନା ପାଇଁ ଶାରଦୀୟ ପୂଜା ଫିକା

0

ହିମାଂଶୁ ଶେଖର ଆଚାର୍ଯ୍ୟ : ପର୍ବପର୍ବାଣିର ରାଜ୍ୟ ଓଡିଶା । ଏଠାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ତନ୍ମଧ୍ୟରୁ ଦଶହରା ଏକ ପ୍ରମୁଖ ପର୍ବ । ପ୍ରତିବର୍ଷ ଦଶହରା ଆଣେ ପାର୍ବଣର ପରିବେଶ । ସାରା ରାଜ୍ୟରେ ଗାଁଠାରୁ ସହର ସବୁଠି ଦେଖିବାକୁ ମିଳେ କୋଳାହଳ । ଚଳିତ ବର୍ଷ ପରିସ୍ଥିତି କିନ୍ତୁ ଭିନ୍ନ । ମା’ଙ୍କ ପୂଜା ପାଇଁ ସବୁଆଡେ ଉସôବ ପାଳିତ ହେବା ବଦଳରେ କରୋନା ପାଇଁ କାହା ମନରେ ସରସତା ନାହିଁ ।ଏହି ମହାମାରୀ ସମସ୍ତଙ୍କ ମୁହଁରୁ ପାର୍ବଣର ମହକ ଛଡାଇନେଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗଣେଶ ପୂଜାରୁ ଓଡିଆ ଶାରଦୀୟ ପାର୍ବଣ ଋତୁ ଆରମ୍ଭ ହୋଇ ଦୀପାବଳୀ ଯାଏ ଲମ୍ବିଥାଏ । ଏବର୍ଷ କିନ୍ତୁ ଦୁର୍ଗାପୂଜାରେ କେଉଁଠି ଆନନ୍ଦ-ଉଲ୍ଲାସ ନାହିଁ । ଚାରିଆଡେ ଖାଁ ଖାଁ ପରିବେଶ ।ସତେ ଯେମିତି କୈାଣସି ଏକ ଅଜଣା ଭୟ ଘାରିରହିଛି ସମସ୍ତଙ୍କୁ ।ମଉଜ-ମଜଲିସ୍, ହସ-ଖୁସି,ଆନନ୍ଦ-ଉଲ୍ଲାସ ଛଡାଇ ନେଇଛି ଏକ ଅଜଣା ଆତଙ୍କ ।ଜୀବନ ପାଖରେ ଏସବୁ ବଳି ପଡିଛି ।

ଇତିମଧ୍ୟରେ ବିଭିନ୍ନ ପୀଠ ଓ ମଣ୍ଡପରେ ମା’ଙ୍କ ପୂଜା ଆରମ୍ଭ ହୋଇଛି । ବିଧିରକ୍ଷା ପାଇଁ ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଥିଲେ ମଧ୍ୟ ତୋରଣ, ଆଲୋକ ସଜ୍ଜା ନାହିଁ । କେବଳ ମଣ୍ଡପରେ ଯାହା ମା’ଙ୍କୁ ଆବାହନ କରାଯାଉଛି ତାହା ପୁଣି କରୋନା କଟକଣା ଭିତରେ । ପାଞ୍ଚଜଣରୁ ଅଧିକ କର୍ମ କର୍ତ୍ତା ମଣ୍ଡପରେ ରହିବା ଉପରେ କଟକଣା ଜାରିକରାଯାଇଛି । କେବଳ ପୂଜାକୁ ଛାଡି ଅନ୍ୟ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଛି । କଟକ ସହରରେ ଦଶହରା ଆୟୋଜନ ପାଇଁ ସବୁ ପୂଜା ମଣ୍ଡପ ବଜେଟକୁ ମିଶାଇଲେ ଖର୍ଚ୍ଚ ହୁଏ ୨୦କୋଟିରୁ ଅଧିକ ଟଙ୍କା । କିନ୍ତୁ କରୋନା ମାଡରେ ସବୁ କିଛି ବନ୍ଦ ହୋଇଯାଇଛି । ସବୁ ପୂଜା ମଣ୍ଡପ ଖର୍ଚ୍ଚ ମିଶାଇଲେ ମୋଟ ଖର୍ଚ୍ଚ ଏକ କୋଟି ଟଙ୍କା ଟପିବା ବି ମୁସକିଲ୍ । ଏହି ଖର୍ଚ୍ଚରୁ ଯେଉଁ ମାନେ ଉପକୃତ ହୋଇଥାନ୍ତେ ଅଥବା ଏହି କାର୍ଯ୍ୟରେ ନିୟୋଜିତ ହୋଇ ରୋଜଗାର କରିଥାନ୍ତେ ସେମାନଙ୍କ ପାଇଁ ବର୍ଷକର ରୋଜଗାର ଏକପ୍ରକାର ବନ୍ଦ ହୋଇଯାଇଛି । ସେମାନଙ୍କ ମୁଣ୍ଡରେ କରୋନା ଚଡକ ପକାଇଛି ।

କଟକ ମହାନଗର ଶାନ୍ତି କମିଟି ତାଲିକା ଅନୁଯାୟୀ ଚଳିତ ବର୍ଷ ମୋଟ ମେଢ ସଂଖ୍ୟା ହେଉଛି ୧୭୦ । ତନ୍ମଧ୍ୟରୁ ୨୭ଟି ମଣ୍ଡପରେ ଚାନ୍ଦି ମେଢ ହୋଇଥାଏ । ଏହି ବଡ ମଣ୍ଡପରେ ପୂର୍ବ ବର୍ଷ ମାନଙ୍କରେ ଆଠ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ଚଳିତ ବର୍ଷର ହାରାହାରି ବଜେଟ ହେଉଛି ୨୦ ରୁ ୩୦ ଲକ୍ଷ ଟଙ୍କା । ମଧ୍ୟମ ଧରଣର ମଣ୍ଡପ ୫ ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏମାନଙ୍କ ସଂଖ୍ୟା ପାଖାପାଖି ୮୦ । ଅନ୍ୟ ମେଢ ହାରାହାରି ୨ ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଅଧିକାଂଶ ମଣ୍ଡପ କର୍ମକର୍ତ୍ତାଙ୍କ କହିବା ଅନୁଯାୟୀ ଏଥର ଚାନ୍ଦା ଉପରେ ଜୋର ଦିଆଯାଇନାହିଁ । ଯିଏ ଯାହା ଶ୍ରଦ୍ଧାରେ ଦେଇଛନ୍ତି ତାହା ରଖାଯାଇଛି । ଖର୍ଚ୍ଚ ବି ସେହି ଅନୁସାରେ ସୀମିତ ରହିଛି । କିନ୍ତୁ ପୂଜା ଉପରେ ନିର୍ଭର କରି ଚଳୁଥିବା ବ୍ୟବସାୟୀ ଏବର୍ଷ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହା ଦ୍ୱାରା ଅନେକ ଲୋକଙ୍କ ଆୟ ପ୍ରଭାବିତ ହେବା ସହ ପରୋକ୍ଷରେ ବଜାର କିଣାବିକା ବି ପ୍ରଭାବିତ ହୋଇଛି ।

ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ କହିବା ଅନୁଯାୟୀ ଯଦିଓ ଏଥରର ଦଶହରା ଆୟୋଜନ ନିରାଶ କରିଛି ତଥାପି କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ ମାଙ୍କ ପୂଜା ବିଧି ସଂପନ୍ନ କରିବାକୁ ଉଦ୍ୟମ କରାଯାଉଛି । ପ୍ରତି ବର୍ଷ ଦଶହରା ପାଇଁ ଚଳଚଞ୍ଚଳ ହୋଇ ଉଠୁଥିବା କଟକ ଓ ଭୁବନେଶ୍ୱର ସହରରେ ଏଥର ଦଶହରାରେ ଅସମ୍ଭବ ନିରବତା । ରାସ୍ତା ଘାଟ ଜନଶୂନ୍ୟ, ପୁଜାମଣ୍ଡପ ଖାଁ ଖାଁ । ବାଜା ନାହିଁ , ମାଇକ୍ ବାଜୁନି କି ଉଜ୍ଜଳ ଆଲୋକ ମାଳାରେ ତୋରଣ ଝଲସୁନି । ଯେଉଁଠି ବିଳମ୍ବିତ ରାତି ପର୍ଯ୍ୟନ୍ତ କୋଳାହଳ ହେବା କଥା, ସେଠି ଏବେ ସନ୍ଧ୍ୟା ୭ଟା ପରେ ରାସ୍ତା ଘାଟରେ କାଁଭାଁ ଗାଡିମୋଟର ଦେଖିବାକୁ ମିଳୁଛି ।

ଚଳିତ ବର୍ଷ କରୋନା ସଙ୍କ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାର୍ବଣ ଉପରେ ଲଗାଇଛନ୍ତି ରୋକ୍ । ଯାହାଫଳରେ ପର୍ବପର୍ବାଣି ପାଳନ ଉପରେ ଏହାର ପ୍ରଭାବ ବେଶ ବାରିହୋଇପଡୁଛି । ଏଠାରେ ସୂଚନାଘୋଗ୍ୟ ଯେ, ରଙ୍ଗର ପର୍ବ ହୋଲି ଠାରୁ ଆରମ୍ଭ ହୋଇଛି ଏହି କଟକଣା ।ଏଥିସହିତ ଦଣ୍ଡଯାତ୍ରା, ବିଷୁବ ସଂକ୍ରାନ୍ତି, ଇଦ୍, ରଜପର୍ବ, ଗୁରୁଦିବସ, ଓ ଗଣେଶ ପୂଜା ମଧ୍ୟ ଏଥିରୁ ବାଦ୍ ପଡିନଥିଲା ।ଏପରିକି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କରୋନା କଟକଣାରୁ ମୁକ୍ତ ହୋଇପାରିନଥିଲା । ଶେଷରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଫଳରେ ସମ୍ପୂର୍ଣ୍ଣ କଟକଣା ଭିତରେ ବିନା ଭକ୍ତରେ ଶେଷ ହୋଇଥିଲା ଜଗାକାଳିଆର ଘୋଷଯାତ୍ରା ।

ଏପରିକି ସାର୍ବଜନୀନ ଦୁର୍ଗା ପୂଜାକୁ ଚଳିତ ବର୍ଷ କରୋନା ମହାମାରୀ ସବୁକିଛି ଓଲଟପାଲଟ କରିଦେଇଛି । କଟକ, ବ୍ରହ୍ମପୁର ସମେତ ଆମ ରାଜ୍ୟର ବିଭିନ୍ନ ଜିଲ୍ଲା , ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ଦୁର୍ଗା ପୂଜା ଧୁମ୍ ଧାମରେ ପାଳନ କରାଯାଏ । ଇତିମଧ୍ୟରେ ଶକ୍ତି ପୀଠରେ ଦେବୀଙ୍କ ନବରାତ୍ରୀ ପୂଜା ଚାଲିଛି । ପ୍ରତ୍ୟେକ ଦିନ ଦେବୀ ଭିନ୍ନ ଭିନ୍ନ ବେଶରେ ପୂଜା ପାଉଛନ୍ତି । ଷୋଡଶ ଉପଚାରରେ ଦେବୀଙ୍କୁ ଆରାଧନା ଚାଲିଛି । ଅପରପକ୍ଷରେ ଆସନ୍ତା କାଲି ମଣ୍ଡପରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେବ । ମଣ୍ଡପରେ ଗୁଡିକରେ ପରଦା ଢାଙ୍କି ମା’ଙ୍କ ପୂଜାଅର୍ଚ୍ଚନା କରାଯିବ । ପୂଜା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ ପୋଲିସ । ପୂଜାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମାସ୍କ ଓ ଗାଡି ମଟର ଜାଞ୍ଚକୁ ଜୋରଦାର କରାଯାଇଛି । ବର୍ତ୍ତମାନ ସ୍ଥିତି ଯାହା କୁମାର ପୂର୍ଣ୍ଣିମା ୩୧ ଅକ୍ଟୋବର , ଦୀପାବଳୀ ୧୪ ନଭେମ୍ବର ମହାମାରୀ ଜନିତ ଦୃଢକଟକଣା ଥାଉ ବା ନଥାଉ ପୂର୍ବ ବର୍ଷ ମାନଙ୍କ ଭଳି ସ୍ୱାଭାବିକ ରୀତିରେ ପାଳନ ସମ୍ଭବପର ନହେବା ଆଶଙ୍କା ଦୃଢୀଭୂତ ହେବାରେ ଲାଗିଛି ।

ଗତ ବର୍ଷ ଏହି ଦଶହରାରେ ସୁନା ଚାନ୍ଦିରେ ଝଟକୁଥିଲେ ମା’ ଦୁର୍ଗତିନାଶିନୀ । ରାଣୀହାଟ , ଚୈାଧୁରୀ ବଜାର,ଶେଖ୍ ବଜାର, ଚାନ୍ଦିନ ଚୈାକ୍, ମଙ୍ଗଳାବାଗ ଓ ଖାନ୍ ନଗର ସବୁଠି ମାଙ୍କ ବେଶକୁ ଦର୍ଶନ ଲାଗି ରହିଥିଲା ଭିଡ । ହେଲେ ଏବର୍ଷ କିନ୍ତୁ ମାଙ୍କୁ ସେ ବେଶରେ ଦର୍ଶନ ମିଳିବ ନାହିଁ । କାରଣ ବାଧା ସାଜିଛି ମହାମାରୀ କରୋନା । ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏଥର ପୂଜା ହେବା ନହେବା ଅନିଶ୍ଚିତତା ଭିତରେ ବିଧି ରକ୍ଷା ପାଇଁ ମଣ୍ଡପରେ ମୃଣ୍ମୟ ମୂର୍ତ୍ତି ନିର୍ମାଣ ହୋଇଛି ସତ, ହେଲେ ଭକ୍ତ ସିଧା ସଳଖ ଦର୍ଶନ କରିପାରିବେ ନାହିଁ । ତା ସାଙ୍ଗକୁ ମୂର୍ତ୍ତିର ଉଚ୍ଚତା ମଧ୍ୟ କମ୍ ରହିଛି ।ଏଥର ମାଙ୍କୁ ଅଧିକାଂଶ ମଣ୍ଡପର କର୍ମକର୍ତ୍ତା ସୁନା ଚାନ୍ଦି ଅଳଙ୍କାରରେ ଆଭୂଷଣ ନକରି ତା ସ୍ଥାନରେ ନକଲି ଅଳଙ୍କାର ଓ ରଙ୍ଗୀନ ଜରି ମେଢରେ କାମ ଚଳେଇବାକୁ ନିଷ୍ପତ୍ତି ନେଇଛନ୍ତି ।

ହାଇକୋର୍ଟଙ୍କ ନିଦେ୍ଦର୍ଶ ମୁତାବକ ଏଥର ଦୁର୍ଗାଙ୍କ ମୂର୍ତ୍ତି ଆକାର ଓ ଉଚ୍ଚତା ଛୋଟ କରାଯାଇଛି । ତେଣୁ ମାଙ୍କୁ ପିନ୍ଧା ଯାଉଥିବା ପାରମ୍ପରିକ ଅଳଙ୍କାର ଲାଗିବାରେ ଅସୁବିଧା ହେବ । ଜୋରଜବରଦସ୍ତ ଏସବୁ ମୂଲ୍ୟବାନ ଗହଣା ଲାଗିକଲେ ତାହା ଭାଙ୍ଗିଯିବାରବି ସମ୍ଭାବନା ରହିଛି । ସେଥିପାଇଁ ଅନେକ ପୂଜା ମଣ୍ଡପ ଅଳଙ୍କାର ନଲଗାଇବାକୁ ସ୍ଥିର କରିଥିଲା ବେଳେ ଆଉ କିଛି କମିଟି ପୋଲିସ ସୁରକ୍ଷା ଭିତରେ ଅଳଙ୍କାର ଲଗାଇବାକୁ ଯୋଜନା କରିଛନ୍ତି । ସେପଟେ ସବୁ ମଣ୍ଡପରେ କମିଶନରେଟ ପୋଲିସ ସୁରକ୍ଷା ଯୋଗାଇ ଦେବ ବୋଲି କୁହାଯାଇଛି । ଦଶହରା ପରେ ସମସ୍ତେ ଅପେକ୍ଷା କରିଥାନ୍ତି ଭଷାଣି ଉସôବକୁ । ଭଷାଣି ବେଳର ଦୃଶ୍ୟ ଅବର୍ଣ୍ଣନୀୟ । ଏ ସୁଯୋଗରୁ ମଧ୍ୟ ଏଥର ବଞ୍ଚିତ ହେବେ ଜନସାଧାରଣ ।

ଏବର୍ଷ କରୋନା ପାଇଁ ସବୁ ବର୍ଗର ଲୋକ ଯନ୍ତ୍ରଣା ପାଇ ଛଟପଟ ହେଉଛନ୍ତି । ଏଥର ଶାରଦୀୟ ଦୁର୍ଗାପୂଜା ୁ କରୋନା ଯୋଗୁଁ ଫିକା ପଡିଛି । ଏଇଠି ମନେପଡୁଛି ୧୦୦ବର୍ଷ ତଳର ଦୁଇ ବର୍ଷିଆ ସ୍ପାନିସ୍ ଫ୍ଲୁ’ର କଥା । ସେହି ସମୟରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହେଇଥିଲା ଚଳିତ ବର୍ଷ ସେହି ଇତିହାସର ପୂନରାବୃତ୍ତି ଘଟିଛି । ତଥାପି ଜୀବନ ଆମପାଇଁ ସବୁବେଳେ ବଡ । ମଉଜ ମଜଲିସ ନୁହେଁ । ଏକଥାକୁ ଆମକୁ ଗୁରୁତ୍ୱ ଦେବାକୁ ହେବ ।

Nalco
Leave A Reply