ବେତନଟୀ : ବେତନଟୀ ରେଞ୍ଜର ବଡାମପୁର ବନପାଳ କ୍ଷେତ୍ରର କାପୋଇ ରାସ୍ତାରେ ଏକ ନମ୍ବର ବିହୀନ ଟାଟା ପିକଅପରେ ଚୋରା କାଠ ବୋଝେଇ ହୋଇ ଚାଲାଣ ହେବାକୁ ଉଦ୍ୟତ ହେଉ ଥିବା ବେଳେ ବଡାମପୁର ବନପାଳ ଶିରୀଶ ଦଳେଇଙ୍କୁ ଖବର ମିଳି ଥିଲା । ବନପାଳ ଶ୍ରୀ ଦଳେଇ ଓ ଅନ୍ୟ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ କାଠ ବ୍ୟବସାୟୀ ଓ ଡ୍ରାଇଭର ଗାଡିକୁ ଛାଡି ଫେରାର ହୋଇ ଯାଇ ଥିଲେ । ତେବେ ଡ୍ରାଇଭର ଗାଡିର ଚାବିକୁ ନେଇ ପଳାଇ ଯାଇ ଥିବା ସହିତ ଗାଡିର ଷ୍ଟାର୍ଟ ତାରକୁ ଛିଣ୍ଡାଇ ଦେଇ ଫେରାର ହୋଇ ଯାଇ ଥିଲା । ଫଳରେ ଗାଡିଟିକୁ ଜବତ କରି ଆଣିବା କାଠିକର ପାଠ ହୋଇ ପଡିଛି ।
ଖବର ପାଇ ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଗାଡିଟିକୁ କୌଣସି ପ୍ରକାର ଟାଣି ବେତନଟୀ ରେଞ୍ଜ କାର୍ଯ୍ୟାଳୟକୁ ଅଣା ଯାଇ ଥିଲା । ଏହି ଗାଡିରେ ଶାଗୁଆନ, ନିମ୍ବ ଓ ଆକାଶିଆ କାଠ ଗଣ୍ଡି ସବୁ ବୋଝେଇ ହୋଇ ଚାଲାଣ ହେଉ ଥିବାର ଜଣା ପଡିଛି । ମୋଟ କାଠର ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ଜଣା ପଡିଛି । ବେତନଟୀ ରେଞ୍ଜ ଅଧିକାରୀଙ୍କ ସହିତ ଡେପୁଟୀ ରେଞ୍ଜର ରାଜେଶ ମହାକୁଡ, କୃଷ୍ଣଚନ୍ଦ୍ରପୁର ବନପାଳ ପିକେ ସିଂସାମନ୍ତ, ବନରକ୍ଷୀ ରାଇଧନ ସିଂ, ଲମ୍ବୋଦର ମହାନ୍ତ ପ୍ରମୁଖ ଥିବାର ଜଣା ପଡିଛି । ଘଟଣାକୁ ନେଇ ବେତନଟୀ ରେଞ୍ଜରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ।
