ବେତନଟୀ : ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରି ବୈଶିଙ୍ଗା ବନପାଳ କ୍ଷେତ୍ରର କଳମା ନିକଟରୁ ଓଆର-୦୧ଏଫ-୯୯୪୯ ଟାଟା ପିକଅପଟିକୁ ଜବତ କରିବା ସହିତ ଏଥିରେ ଥିବା ଶାଗୁଆନ କାଠ ଗୁଡିକୁ ଜବତ କରିଛନ୍ତି । ଏହି ଶାଗୁଆନ ବୋଝେଇ କାଠ ଗାଡିଟିକୁ ଧରିବା ପାଇଁ ରାତ୍ରୀ ତମାମ ବନ କର୍ମଚାରୀ ମାନେ ରାସ୍ତାର ଜଗି ରହି ଥିଲେ ।
ଏହି ଶାଗୁଆନ କାଠ ଗୁଡିକ ଦୀର୍ଘ ଦିନ ହୋଇ କଟା ହୋଇ କୌଣସି ସ୍ଥାନରେ ରଖା ଯାଇ ଥିଲା ଓ ଗତକାଲି ବାଲେଶ୍ୱରକୁ ଚାଲାଣ କରିବାକୁ ପ୍ରଚେଷ୍ଟା କରା ଯାଉ ଥିବା ବେଳେ ବନ କର୍ମଚାରୀ ମାନେ ଏହାକୁ ଧରି ଥିଲେ । ତେବେ ଏତେ ଗୁଡିଏ ଶାଗୁଆନ କାଠ ବୈଶିଙ୍ଗା ବନପାଳ କ୍ଷେତ୍ରର କେଉଁ ସ୍ଥାନରୁ କଟା ଯାଇ ଥିଲା ତାହା ଏବେ ତଦନ୍ତ ସାପେକ୍ଷ ହୋଇ ପଡିଛି ।
ଯଦି ଏହି କାଠ ଗୁଡିକ ବୈଶିଙ୍ଗା ବନପାଳ କ୍ଷେତ୍ର ଅଞ୍ଚଳର ନୁହେଁ ତେବେ ଅନ୍ୟ କେଉଁ ରେଞ୍ଜରୁ ଆସୁ ଥିଲା କି ବୋଲି ପ୍ରଶ୍ନ ଉଠୁଛି । ସ୍ଥାନୀୟ ବନ କର୍ମଚାରୀ ମାନେ ଏହି କାଠ ଗୁଡିକ ବାବଦରେ ଜାଣି ପାରିଲେ ନାହିଁ କେମିତି ଏହାକୁ ନେଇ ନାନା କଥା କୁହା ଯାଉଛି । ତେବେ ଏହି କାଠ ଗୁଡିକର ବଜାର ମୂଲ୍ୟ ଅନ୍ୟୁନ ୭୦ ହଜାର ଟଙ୍କା ହେବ ବୋଲି ଜଣା ପଡିଛି । ଜବତ ଗାଡିକୁ ବେତନଟୀ ରେଞ୍ଜକୁ ଅଣା ଯାଇ ତଦନ୍ତ କରା ଯାଉଛି । ବେତନଟୀ ରେଞ୍ଜରେ ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ।
ଏହି ଚଢ଼ାଉରେ ଡେପୁଟୀ ରେଞ୍ଜର ରାଜେଶ ମହାକୁଡ, ବଡାମପୁର ବନପାଳ ଶିରୀଶ ଦଳେଇ, ବନରକ୍ଷୀ ରାଇଧନ ସିଂ ଓ ଅନ୍ୟମାନେ ଭାଗ ନେଇ ଥିଲେ । ତେବେ ଗୋଟିଏ ଦିନରେ ଦୁଇଟି କାଠ ବୋଝେଇ ପିକଅପ ଜବତ ହୋଇ ଥିବାରୁ ବେତନଟୀ ରେଞ୍ଜ ଅଧିକାରୀ ଓ ତାଙ୍କର ଚଢ଼ାଉ ଟିମକୁ ପରିବେଶବିତ ମାନେ ବଧାଇ ଜଣାଇଛନ୍ତି
