ଖଇରା,୧୬ ।୯ ବାଲେଶ୍ୱର ଜିଲା ଖଇରା ଥାନା ଗଡପୋଖରୀ ଗ୍ରାମ ପଞ୍ଚାୟତ ଅଧୀନ ଶଙ୍କଣା ଗ୍ରାମରେ ଜଣେ ବ୍ୟକ୍ତି ମଦ ବିକ୍ରୀ କରିବା ସହ ଗ୍ରାମବାସୀଙ୍କୁ ଅଯଥାରେ ମାଡମାରୀ ଗୁରୁତର କରିବା ଅଭିଯୋଗରେ ଖଇରା ପୋଲିସ ଉକ୍ତ ମଦ ବିକ୍ରେତା ସନ୍ତୋଷ କୁମାର ପରିଡାଙ୍କ ନାମରେ ଏକ ମାମଲା(୧୮୯/୨୦) ରୁଜୁ କରିଛନ୍ତି । ସେହିଭଳି ଉତ୍ତ୍ୟକ୍ତ ମହିଳା ମାନେ ରବିବାର ଦିନ ଉକ୍ତ ମଦ ବିକ୍ରେତାଙ୍କ ଦୋକାନଟିକୁ ଭାଙ୍ଗି ନଷ୍ଟ କରିବା ସହ ମଦ ଗୁଡିକୁ ମଧ୍ୟ ଢାଳି ନଷ୍ଟ କରି ଦେଇଛନ୍ତି ।
ଉକ୍ତ ବିକ୍ରେତା ଜଣକ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଏକ ତେଜରାତି ଦୋକାନ ଦୋକାନ ଖୋଲିଥିଲେ । ହେଲେ ତେଜରାତି ଜିନିଷ ବିକିବା ବଦଳରେ ଢାବା ଖୋଲି ମଦ ବିକ୍ରିକୁ ଜୋରଦାର କରିଦେଇଥିଲେ । ୬ଦିନ ତଳେ ଗ୍ରାମର ଲାଲମୋହନ ମହାନ୍ତିଙ୍କ ସହ ବାକି ପଇସାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମଦ ବିକ୍ରେତା ସନ୍ତୋଷ ଏକ ଲୁହା ରଡରେ ପିଟି ଲାଲମୋହନକୁ ରକ୍ତାକ୍ତ କରିଦେଇଥିଲେ ।
ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ସେପଟେ ଗ୍ରାମର ୧୨ରୁ ଅଧିକ ମହିଳା ଗୋଷ୍ଠୀ ଗ୍ରାମରେ ଶାନ୍ତି ଫେରାଇ ଆଣିବାକୁ ଏବଂ ପରବର୍ତ୍ତୀ ହିଂସା ରୋକିବାକୁ ଉକ୍ତ ଦୋକାନଟିକୁ ଭାଙ୍ଗି ଦେଇଛନ୍ତି । ତେବେ ଘଟଣା ଘଟିବାର ୬ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନଥିବାରୁ ମହିଳା ଗୋଷ୍ଠୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ଶ୍ୟାମସୁନ୍ଦର ବିନ୍ଧାଣୀଙ୍କ ସହ ଯୋଗାଯୋଗ କରିବାରେ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରଯିବାର ବ୍ୟବସ୍ଥା କରାଯାଉଥିବାର କହିଛନ୍ତି । ଫଟୋ-ଖଇରା୧- ମଦ ଦୋକାନ ଭାଙ୍ଗିଥିବା ବିଭିନ୍ନ ମହିଳା ଗୋଷ୍ଠୀର ସଦସ୍ୟା