କେନ୍ଦୁଝର : ଗତକାଲି ସଂଧ୍ୟାରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଂଚାୟତର ଟଂଟୋ ଆଜାଦ୍ ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଛି । ଦିଅର ଭାଉଜଙ୍କ ଅନୈତିକ ସଂପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ ଟଂଟୋ ଆଜାଦ୍ ବସ୍ତିର ଜେନା ମୁଣ୍ଡା, କାମରୁ ଘରକୁ ଫେରିବା ପରେ ଘର ଭିତରେ ନିଜ ସ୍ତ୍ରୀ ପୁଣୁଗୀ ମୁଣ୍ଡା ଓ କକାପୁଅ ଭାଇ କୁନା ମୁଣ୍ଡାକୁ ଅସଞ୍ଜତ ଅବସ୍ଥାରେ ଦେଖିଥିଲେ ଏବଂ ଉତକ୍ଷିପ୍ତ ହୋଇ ଉଠିଥିଲେ । ସେ ପ୍ରବଳ ରାଗିଯାଇ ଉଭୟଙ୍କୁ ବାଡ଼ି ଓ ରଡ୍ ସାହାଯ୍ୟରେ ନିସ୍ତୁକ ମାଡ଼ ମାରିଥିଲେ, ଯାହାଫଳରେ ଉଭୟ ଦିଅର ଭାଉଜ ଗୁରୁତର ଆହତ ହୋଇଥିଲେ ।
ଏହାପରେ ସ୍ୱାମୀ ଜେନା ମୁଣ୍ଡା, ସ୍ତ୍ରୀ ପୁଣୁଗୀ ମୁଣ୍ଡାର ସମସ୍ତ ଜିମା ନେବାକୁ କୁନାକୁ କହିଥିଲେ ଓ ଗୁରୁତର ସ୍ତ୍ରୀକୁ ନେଇ ଗୁଡ଼ୁ ହଟିଙ୍ଗ୍ ସ୍ଥିତ କୁନାଙ୍କ ଘରେ ଛାଡ଼ିଦେଇ ଆସିଥିଲେ । ତେବେ କିଛି ସମୟ ପରେ ଭାଉଜ ପୁଣୁଗୀଙ୍କ ମୃତ୍ୟୁ ଘଟିଥିବା ବେଳେ, ଦିଅର କୁନାକୁ ଗୁରୁତର ଅବସ୍ଥାରେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଏବେ ସେ ଚିକିତ୍ସାଧିନ ଅଛନ୍ତି । ଅଭିଯୁକ୍ତ ସ୍ୱାମୀ ଜେନା ମୁଣ୍ଡାକୁ ଗିରଫ୍ କରି ସାଇଂଟିଫିକ୍ ଟିମ୍ ସହାୟତାରେ ଅଧିକ ତଦନ୍ତ ଚଳାଇଛି ବଡ଼ବିଲ ପୋଲିସ୍ ।