ଅଭିନେତା ସୋନୁ ସୁଦ୍ କରୋନା କାଳରେ ହଜାର ହଜାର ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇ ଖୁବ୍ ପୂଣ୍ୟ ଅର୍ଜିଛନ୍ତି । ଏଇ ନିକଟରେ ସେ ଜଣେ ଆଥ୍ଲେଟ୍ଙ୍କୁ ଜୋତା ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ଏହାଛଡ଼ା ଆଇଏସ୍ ହେବାର ସ୍ୱପ୍ନ ଦେଖୁଥିବା ଜଣେ ଛାତ୍ରୀଙ୍କୁ ମଧ୍ୟ ସେ ବହି ଯୋଗାଇ ଦେଇଛନ୍ତି । ପୂର୍ବୋକ୍ତ ଆଥଲେଟ୍ ଏକ ଟ୍ୱିଟ୍ ମାଧ୍ୟମରେ ସୋନୁ ସୁଦ୍ଙ୍କୁ ସାହାଯ୍ୟ ମାଗିଥିଲେ । ଟ୍ୱିଟ୍ରେ ସେ ଲେଖିଥିଲେ, “ଆମ ପରିବାରର ଆର୍ଥିକ ସ୍ଥିତି ଭଲ ନୁହେଁ । ସାର୍ ପ୍ଲିଜ୍ ମତେ ଓ ମୋ ଖେଳକୁ ସାହାଯ୍ୟ କରନ୍ତୁ ।’’ ଏହାର ଉତ୍ତରରେ ସୋନୁ ଲେଖିଲେ ଆଜି ଡେଲିଭରି ହୋଇଯିବ । ସାହାଯ୍ୟ ମାଗିଥିବା ଏହି ଆଥଲେଟ୍ ତାଙ୍କ ବନ୍ଧୁଙ୍କଠାରୁ ଜୋତା ମାଗି ଅଲିମ୍ପିକ୍ସ ଟ୍ରେନିଂ ସାରିଛନ୍ତି । ଏହାଛଡ଼ା ପବନ ନାମକ ଜଣେ ବ୍ୟକ୍ତି ତାଙ୍କ ଭଉଣୀଙ୍କ ପାଇଁ ସୋନୁ ସୁଦ୍ଙ୍କ ସହାୟତା ଲୋଡ଼ିଥିଲେ । ସେ ଲେଖିଥିଲେ- ସାର୍ ଆପଣ କ’ଣ ମୋ ଭଉଣୀକୁ ସାହାଯ୍ୟ କରିପାରିବେ । ସେ ୟୁପିଏସ୍ସି ବହି କିଣିବାକୁ ଚାହୁଁଛି । ମୋ ବାପା ଜଣେ ଚାଷୀ । ବହି କିଣିବାକୁ ତାଙ୍କର ସାମର୍ଥ୍ୟ ନାହିଁ । ପବନଙ୍କ ଟ୍ୱିଟ୍ର ରିପ୍ଲାଏରେ ସୋନୁ ଲେଖିଲେ ଆପଣ ଲୋଡୁଥିବା ବହି କାଲିସୁଦ୍ଧା ଆପଣଙ୍କ ପାଖରେ ପହଞ୍ଚିଯିବ । ବାସ୍ତବିକ ସୋନୁ ସୁଦ୍ଙ୍କୁ ପ୍ରଶଂସା କରିବା ପାଇଁ ଭାଷା ନାହିଁ ।