ସାଲେପୁର ୨୪ ।୮- ଆଜି ମଧ୍ୟାହ୍ଣରେ ହଠାତ୍ ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରା ସାଲେପୁର ବ୍ଲକ୍ ଗସ୍ତ କରି ସାଲେପୁର ବ୍ଲକ୍ରେ ସରକାରୀ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରିବା ସହ ଯଦି ସରକାରଙ୍କ ଯୋଜନାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରାନଯାଏ, ତେବେ ଆଗାମୀ ଦିନରେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ପୂର୍ବତନ ବିଧାୟକ ଶ୍ରୀ ବେହେରା ଅପରାହ୍ଣରେ ସାଲେପୁର ବ୍ଲକ୍ରେ ପହଞ୍ଚô ଏହି ବ୍ଲକ୍ରେ ସୂଚନାଅଧିକାର ତଥ୍ୟ ଠିକ୍ ଭାବେ ଦିଆନଯିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା, ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ବ୍ୟାପକ ଅନିୟମିତତା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ସେହିପରି ସୂଚନା ଅଧିକାର ନିୟମରେ ତଥ୍ୟ ଦେବାରେ ବିଳମ୍ବ କରିବା, ଭତ୍ତା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କ’ଣ ପାଇଁ ଅନିୟମିତତା ହେଉଛି, ପଚାରି ବୁଝିବା ସହ ୮୦ରୁ ୮୫ବର୍ଷ ବୟସର ବୃଦ୍ଧବୃଦ୍ଧାମାନେ ଭତ୍ତା ପାଉନଥିବାର ସେ ଅଭିଯୋଗ କରିବା ସହ ୮ଦିନ ମଧ୍ୟରେ ଏହାର ସମାଧାନ କରାନଗଲେ ବ୍ଲକ୍ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ତାଙ୍କର ଏହି ଗସ୍ତକାର୍ଯ୍ୟକ୍ରମରେ ସାଲେପୁର ବ୍ଲକ୍ ଅଧ୍ୟକ୍ଷ ମମତା ରାଉତଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ । ଶ୍ରୀ ବେହେରା ସାଲେପୁର ବ୍ଲକ୍ର ବିଡ଼ିଓ, ଏ.ବିଡ଼ିଓ. ସି.ଡି.ପି.ଓ.ଙ୍କ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ