Odisha news

ଆମେ ଚଳାଉଛୁ ଦେଶ ଆମରି …

0

ହିମାଂଶୁ ଶେଖର ଆଚାର୍ଯ୍ୟ : ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅଗଷ୍ଟ ପନ୍ଦର ହେଉଛି ଏକ ସ୍ମରଣୀୟ ଦିବସ ହେଉଛି । ଅଗଣିତ ଦେଶପ୍ରାଣ ସଂଗ୍ରାମୀମାନଙ୍କର ବଳିଦାନ, ରକ୍ତକ୍ଷୟୀ ସଂଗ୍ରାମ ଓ ଐକାନ୍ତିକ ପ୍ରଚେଷ୍ଟା ବଳରେ ଆମେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବହୁ ପ୍ରତୀକ୍ଷିତ ସ୍ୱାଧୀନତା ପାଇଲୁ । ଏହି ଦିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଲାଲକିଲ୍ଲା ଉପରେ ଜାତୀୟ ପତାକା ଉତ୍ତୋଳନ କରି ଜାତି ଉଦେ୍ଦଶ୍ୟରେ ଦେଇଥିବା ବେତାରବାଣୀ ଶୁଣି ଦେଶବାସୀ ଆନନ୍ଦରେ ଆତ୍ମହରା ହୋଇଥିଲେ ଓ ଗାଇଥିଲେ – “ଆମେ ଚଳାଇବା ଦେଶ ଆମରି, ଆମରି ନାଆରେ ଆମେ ନାଉରୀ” । ଆଉ ଦୁଃଖ, ଶୋକ, କଷଣ, ଶୋଷଣ ଓ ନିର୍ଯ୍ୟାତନା ରହିବ ନାହିଁ । ଆଜି ଆମେ ପାଳନ କରୁଛେ ସ୍ୱାଧୀନତାର ୭୪ ତମ ପୂର୍ତ୍ତି । ଏହି ଅବକାଶରେ ଅତୀତର ଅନେକ ଲୁହ ଲହୁଭରା ସ୍ମୃତି ମନେପଡୁଛି । ଏଥି ସହିତ ବିଗତ ଦିନରେ ସ୍ୱାଧୀନ ଭାରତର ସମୃଦ୍ଧି ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ଓ ତାର ସଫଳତା କେତେ ତାହା ସମୀକ୍ଷା କରିବାର ସମୟ ଉପଗତ ।

ଦେଶରୁ ବିଦେଶୀ ଶାସନ ହଟିଲା ପରେ ଆମେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ପାଇଲୁ ଭାରତର ସମ୍ବିଧାନ । ଏହା ଭାରତକୁ ସାର୍ବଭୌମ, ଧର୍ମ ନିରପେକ୍ଷ, ସମାଜବାଦୀ ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କଲା । ୭୩ ବର୍ଷର ଦୀର୍ଘ ପଥ ଅତିକ୍ରମ କରି ଏକ ସ୍ୱାଧନ ରାଷ୍ଟ୍ର ଭାବେ ଭାରତ ବିଶ୍ୱ ଦରବାରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି । ସବୁଜ ବିପ୍ଲବ ପରେ ଏଦେଶ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇ ପାରିଛି । ଶ୍ୱେତ ବିପ୍ଲବ ଯୋଗୁ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିଛି । ସ୍ୱାଧୀନତା ପୁର୍ବରୁ ଯେଉଁ ଦେଶରେ ପିନ୍କଣ୍ଟାଟିଏ ଉତ୍ପାଦନ ହୋଇପାରୁ ନଥିଲା ସେ ଦେଶ ଆଜି ବିଜ୍ଞାନ. ପ୍ରଯୁକ୍ତିବିଦ୍ୟା ଓ କାରିଗରିରେ ବିଶ୍ୱର ଗୋଟିଏ ଆଗ ଧାଡିର ଦେଶ । ଖାଲି ସେତିକିନୁହେଁ , ଏହି ସମୟ ଭିତରେ ଭାରତର ଚେହେରା ବଦଳିଛି ଚିହ୍ନି ନହେଲା ପରି । ଅର୍ଥନୈତିକ ସସ୍କାର, ଟେଲିକମ୍ ବିପ୍ଳବ, ମହାକାଶ ମାନ୍ୟତା. ସଫ୍ଟଓୟାର ମହାଶକ୍ତି ଭାବେ ନୁଆ ପରିଚିତି ଆଜି ଏ ରାଷ୍ଟ୍ରକୁ ସଫଳ ଓ ସଶକ୍ତ ରାଷ୍ଟ୍ରର ମର୍ଯାଦା ଦେଇଛି । ଶିଳ୍ପ କ୍ଷେତ୍ରରେ ଆଶାନୁରୂପ ପ୍ରଗତି ହାସଲ ହୋଇଛି । ଦେଶର ଜନସଂଖ୍ୟା ୩୬ କୋଟିରୁ ଆସି ୧୩୮ କୋଟି ଟପିସାରିଲାଣି । ଏହି ସମୟ ମଧ୍ୟରେ ଆମର ସାକ୍ଷରତା ହାର ୧୮ ପ୍ରତିଶତରୁ ୭୪ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ଅଭିବୃଦ୍ଧିି ହାର ୩ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଭାରତୀୟଙ୍କ ହାରାହାରି ପରମାୟୁ ୩୩ବର୍ଷରୁ ୬୫ବର୍ଷକୁ ବୃଦ୍ଧି ପାଇଛି । ବହୁ ଘାତ ପ୍ରତିଘାତ ମଧ୍ୟରେ ଏସବୁ ସଫଳତା ଭାରତକୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ଦେଇଛି ।

ଏସବୁ ସଫଳତା ସତ୍ତ୍ୱେ ବାହାରେ ଯେଉଁ ଅନାଲୋଚିତ ଦିଗ ଅଛି ତାହାହେଉଛି ଏବେବି ଭାରତରେ ରହୁଛନ୍ତି ପ୍ରାୟ ୩୫କୋଟି ନିରକ୍ଷର,୨୬କୋଟି ଦାରିଦ୍ର୍ୟ ସୀମାରେଖା ତଳେ ଓ ଅପପୁଷ୍ଟିର ଶୀକାର ହେଉଥିବା ୪୨ପ୍ରତିଶତ ଶିଶୁ । ଏଥିସହିତ ସମସ୍ତଙ୍କୁ ଖାଦ୍ୟ, ବାସଗୃହ, ସ୍ୱାସ୍ଥ୍ୟସେବା, ବିଜୁଳି, ସଡକ, ଓ ପାନୀୟ ଜଳ ଯୋଗାଇବାରେ ମଧ୍ୟ ଆମେ ବିଫଳ ହୋଇଛୁ । ସେହିପରି ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ ପୂରଣ କରିବାରେ ଆମର ସ୍ଥିତି ସନ୍ତୋଷଜନକ ନୁହେଁ । ଏପରିକି ସମଗ୍ର ବିଶ୍ୱରେ ଭାରତରେ ଭୋକିଲା ଲୋକଙ୍କ ସଂଖ୍ୟା ଅଧିକ । ଏହାର ମୁଳ କାରଣ ହେଉଛି ଦୁର୍ନୀତି । ବିଡମ୍ବନା ହେଲାଯେ ଏହି ଦୁର୍ନୀତିର ପରିମାଣ କମୁନି ବରଂ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୧୯୪୮ମସିହା ଜିପ୍ କିଣା ଦୁର୍ନୀତି ଠାରୁ ଆରମ୍ଭ କରି ୨୦୧୧ ମସିହା ଆଦର୍ଶ ହାଉସିଂ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି କାୟାବିସ୍ତାର କରି ଚାଲିଛି । ଏବେ ପୁଣି ଚର୍ଚ୍ଚାକୁ ଆସିଥିଲା ବହୁ ଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତି । ପରିତାପର ବିଷୟ ହେଉଛି ଏହି ଦୁର୍ନୀତିରେ ୪୫ ଜଣଙ୍କ ସନେ୍ଦହଜନକ ମୃତ୍ୟୁ ଘଟି ଘଟିଥିଲା ।
ଖାଲିସେତିକି ନୁହେଁ, ସବୁଠାରୁ ବଡ ସମସ୍ୟା ହେଉଛି ଆମ ସଂସଦୀୟ ବ୍ୟବସ୍ଥା ଭିତରକୁ ପଶିଆସୁଛନ୍ତି ଅପରାଧ ପୃଷ୍ଠଭୁମି ଥିବା ଲୋକମାନେ । ଦେଶର ସଂସଦ ଓ ବିଧାନ ସଭା ଦେଶବାସୀଙ୍କ ପାଇଁ ମନ୍ଦିର ସଦୃଶ ।

ଏଠାରେ ଆଇନ ତିଆରି ହୁଏ ଦେଶ ଓ ରାଜ୍ୟ ପାଇଁ ତିଆରି ହୁଏ ଶାସନ ଖସଡା । ଶସ୍ତା ରାଜନୀତି ଦେଶ ପାଇଁ କାଳ । ଜର୍ଜ ବର୍ଣ୍ଣାଡସଙ୍କ ମତରେ ବୁଦ୍ଧିଜୀବୀମାନେ ରାଜନୀତିକୁ “ସଇତାନର ଆଶ୍ରୟ ସ୍ଥଳୀ” ବୋଲି ଭାବୁଛନ୍ତି । ତେଣୁ ସମାନେ ନିର୍ବାଚନ ପ୍ରକ୍ରିୟାରୁ ନିରାପଦ ଦୁରତାରେ ରହିବାକୁ ପସନ୍ଦ କରୁଛନ୍ତି । ଫଳରେ ଅପରାଧ ପୃଷ୍ଠଭୁମି ଥିବା ବ୍ୟକ୍ତି ସାଂସଦ ଓ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି । ବିଗତ ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ ମାନଙ୍କ ମଧ୍ୟରୁ ୩୫ପ୍ରତିଶତ ଜଣଙ୍କ ନାମରେ ଅପରାଧ ମାମଲା ଥିବାବେଳେ ସେଥି ମଧ୍ୟରୁ ୭୬ ଜଣ କୋଟିପତି ତାଲିକାରେ ଅଛନ୍ତି । ସେହିପରି ୩୪ ପ୍ରତିଶତ ସାଂସଦଙ୍କ ବିରୁଦ୍ଧରେ ଅପରାଧ ମାମଲା ଥିବା ବେଳେ ୮୨ ପ୍ରତିଶତ ସାଂସଦ କୋଟିପତି ତାଲିକାରେ ଅଛନ୍ତି । ନିକଟରେ ଶେଷହୋଇଥିବା ନିର୍ବାଚନରେ ଅପରାଧ ମାମଲାରେ ଜଡିତଥିବା ବିଧାୟକ ଓ ସାଂସଦଙ୍କ ସଂଖ୍ୟା ଆହୁରି ବଢିଛି । ଏହା ଆମ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

ସ୍ୱାଧୀନତାର ଅର୍ଥ କେବଳ ଏକଛତ୍ରବାଦ ଶାସକ ବା ବିଦେଶୀଙ୍କ କବଳରୁ ମୁକ୍ତି ନୁହେଁ ବରଂ ଜନକଲ୍ୟାଣ ଶାସନ ପଦ୍ଧତି ଦ୍ୱାରା ସାଧାରଣ ଲୋକଙ୍କୁ ବଞ୍ଚିବାର ମୌଳିକ ଆବଶ୍ୟକତା ଯୋଗାଇ ଦେବା । ସେ ସ୍ୱପ୍ନ ଆଜି ସୁଦୂର ପରାହତ । ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ଅନୁସାରେ ବିଶ୍ୱର ୮୦ଟି ବିକାଶମୁଖୀ ଦେଶମାନଙ୍କ ମଧ୍ୟରୁ ଆମ ଦେଶର ସ୍ଥାନ ହେଉଛି ୬୭ ତମ । ସମ୍ପ୍ରତି ପ୍ରାୟ ୧୩୪ କୋଟି ଲୋକଙ୍କ ମଧ୍ୟରୁ ୧୯ ପ୍ରତିଶତ ଲୋକ କ୍ଷୁଧାର୍ତ୍ତ ତାଲିକାରେ ଅଛନ୍ତି । ୪୨ ପ୍ରତିଶତ ଶିଶୁଙ୍କ ଓଜନ ସ୍ୱାଭାବିକ ଓଜନ ଠାରୁ କମ୍ । ୭ ପ୍ରତିଶତ ଶିଶୁ ଜନ୍ମର ୫ ବର୍ଷ ମଧ୍ୟରେ ମୃତୁ୍ୟବରଣ କରିଥାନ୍ତି । ଦିନକୁ ଦିନ ଆମ ମା-ଭଉଣୀ ମାନେ ଅସୁରକ୍ଷିତ ଅବସ୍ଥା ଭିତରକୁ ଠେଲି ହୋଇଯାଉଛନ୍ତି । ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଦୁଷ୍କର୍ମର ଏକ ଲମ୍ବା ତାଲିକା ।

ଏବେବି ବିଶ୍ୱର ଅର୍ଦ୍ଧାଧିକ ନିରକ୍ଷର ଲୋକ ସ୍ୱାଧୀନ ଭାରତରେ ଅଛନ୍ତି । ଦୁର୍ନୀତି କଥା ନ କହିବା ଭଲ । ହଜାର ହଜାର ଲୋକ ଆଜିବି ଦାଦନ ଖଟୁଛନ୍ତି । ୫୪ କୋଟି ଯୁବକ ମାନଙ୍କ ଦେଶ ଭାରତରେ ନିଯୁକ୍ତି ନପାଇ ଜନସଂଖ୍ୟାର ଏକ ବଡ ଭାଗ ବାହାରେ ଶୁଣ୍ଢିପିଣ୍ଡା ହେଉଛନ୍ତି । ଜାତି ଧର୍ମନାମରେ ସାଂପ୍ରଦାୟିକ ଦଙ୍ଗା ଦେଶର ବିଭିନ୍ନ ସ୍ଥାନରେ ଘଟୁଛି । ସ୍ୱାଧୀନତାର ସାତ ଦଶନ୍ଧି ପରେ ସବୁଲୋକଙ୍କୁ ଦୁଇ ଓଳି ପେଟପୁରା ଆହର ମିଳିଲା ନାହିଁ କି ସବୁ ଶିଶୁ ବିଦ୍ୟାଳୟ ଦୁଆର ମୁହଁ ମାଡି ପାରିଲେନି ।ଏହାହିଁ କ୍ଷୋଭର ବିଷୟ । ଇତି ମଧ୍ୟରେ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ସହ ଜାମ୍ମୁ କାଶ୍ମୀର ପୂନର୍ଗଠନ ହୋଇ ଦୁଇଟି କେନ୍ଦ୍ର ଶାସିତ ରାଜ୍ୟ ଭାବେ ଜାମ୍ମୁ କାଶ୍ମୀର ଓ ଲାଦାଖ୍ ମାନ୍ୟତା ପାଇଛନ୍ତି ।

ସାରା ଦେଶରେ ଏବେ ଆନନ୍ଦର ଲହରୀ । ସାରା ବିଶ୍ୱ ମଧ୍ୟ କାଶ୍ମୀର ଉପତ୍ୟକାରେ ଶାନ୍ତି ଓ ପରିବର୍ତ୍ତନକୁ ଅନୁଭବ କରୁଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ସମେତ ଜାମ୍ମୁ କାଶ୍ମୀର ବାସୀ ଧନ୍ୟବାଦ ଓ ପ୍ରଶଂସାର ପାତ୍ର । ଆଜି ଆତ୍ମସମୀକ୍ଷା କରିବାର ବେଳ ଆସିଛି । ଗୋଟିଏ ପଟେ ସୁପରପାୱାର ସ୍ୱପ୍ନ ଆମେ ଦେଖୁଥିବା ବେଳେ ଅନ୍ୟପଟେଦୁର୍ନୀତି,ଭ୍ରଷ୍ଟାଚାର,ଦାରିଦ୍ର୍ୟ,ବେକାରୀ ଓ ନିରକ୍ଷରତା ଭଳି ସମସ୍ୟା ଆମ ପ୍ରଗତି ପଥରେ ପ୍ରତିବନ୍ଧକ ସାଜିଛି । ଏସବୁ ସମସ୍ୟାକୁ ଗମ୍ଭୀରତାର ସହ ବିଚାର କରି ସମାଧାନ କରିବାକୁ ହେବ । ଏଥିପାଇଁ ଶାସକ ଓ ପ୍ରଶାସକ ଯେତିକି ମାତ୍ରାରେ ଦାୟୀ ଲୋକଙ୍କ ନିକଟରେ ଦେଖା ଦେଇଥିବା ସଚେତନତାର ଅଭାବ ମଧ୍ୟ ସେତିକି ଦାୟୀ । ଏବେବି ସମୟ ଅଛି । ଆମେ ଆମ ମନୋଭାବରେ ପରିବର୍ତ୍ତନ କରି ଦେଶ ପାଇଁ ସମର୍ପିତ ହୋଇ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କଲେ ଦେଶକୁ ପ୍ରଗତି ପଥରେ ଆଗେଇ ନେଇପାରିବା ।

Leave A Reply