ବେତନଟୀ : ବେତନଟୀର ଦୁର୍ନିତୀଖୋର ପୂର୍ବତନ ତହସିଲଦାର ନିଲମ୍ବିତ ଓଡିଶା ପ୍ରଶାସନିକ ସେବା ଅଧିକାରିଣୀ ଅନିଶା ଦାସଙ୍କୁ ବୈଶିଙ୍ଗା ଥାନା ମାମଲା ୧୫୯/୨୦୨୦ରେ ଗିରଫ କରିବାରେ ପୋଲିସ ଅସଫଳ ହୋଇଛି । ଏହି ଦୁର୍ନିତୀଖୋର ତହସିଲଦାର ଅନିଶାଙ୍କୁ ଗିରଫ ଦାବିରେ ଆସନ୍ତାକାଲି ଦିବା ଦଶ ଘଟିକା ପାଖରୁ ବଡସାହି ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ବୈଶିଙ୍ଗା ଥାନା ସମ୍ମୁଖରେ ଅର୍ନିଦ୍ଧିଷ୍ଟକାଳ ପାଇଁ ଧାରଣାରେ ବସିବେ ବୋଲି ସୂଚନା ମିଳିଛି । ବେତନଟୀ ଭଳି ସୁନାମଧନ୍ୟ ଅଞ୍ଚଳ ପାଇଁ କଳା ଅଧ୍ୟାୟ ସୃଷ୍ଟି କରି ଥିବା ତହସିଲଦାର ଅନିଶାଙ୍କ ସମୟର ସମସ୍ତ କାର୍ଯ୍ୟକଳାପର ତଦନ୍ତ କରିବାକୁ ମଧ୍ୟ ବିଜେପି ଦାବି କରିଛି ।
ଆଇନଶୃଙ୍ଖଳା ଓ ରାଜକୀୟ ବ୍ୟବସ୍ଥାପକକୁ କଳଙ୍କିତ କରି ମାଜିଷ୍ଟ୍ରେଟ ଦାୟୀତ୍ୱରେ ଥିବା ଜଣେ ସରକାରୀ ମହିଳା ଅଧିକାରିଣୀ କେଉଁ ସାହସରେ ଗୋଟିଏ ଡମ୍ଫର ଛାଡି ଦେବାକୁ ଏକ ଲକ୍ଷ ଦଲାଲ ସହାୟତାରେ ମାଗୁ ଥିଲେ ବୋଲି ବିଜେପି ପ୍ରଶ୍ନ କରିଛି । ଅନ୍ୟ ପକ୍ଷରେ ଭାଇରାଲ ଅଡିଓରେ ଡମ୍ଫର ମାଲିକ ପୂର୍ବରୁ ବେଆଇନ ଭାବେ ଗୋଟିଏ ଡମ୍ଫର ଚଳାଇବାକୁ ତହସିଲଦାରଙ୍କୁ ପୂର୍ବରୁ ୫୦ ହଜାର ଟଙ୍କା ମାସିକ ବଟି ଦେଉ ଥିଲେ ଏବେ ଏହାକୁ ବଢ଼ାଇବାକୁ ହେବ ବୋଲି କୁହା ଯାଇଛି । ତେଣୁ ଦୁର୍ନିତୀ ଦୀର୍ଘ ଦିନ ଧରି ଚାଲୁ ଥିବାର ପ୍ରମାଣ ଆଗକୁ ଆସୁଛି । ଦଲାଲ ଓ ମଧ୍ୟସ୍ଥି ମାନେ ମୋଟା ଅଙ୍କର ବଟି ଆଦାୟ କରି ତହସିଲଦାରଙ୍କୁ ଦେଉ ଥିଲେ ।
ଯେତେବେଳେ ବଟି ବଢ଼ାଇବାର ଦରକାର ପଡୁ ଥିଲା ଚଢ଼ାଉର ବାହାନା କରି ଗୋଟିଏ ଦୁଇଟା ଗାଡିକୁ ଧରି ଡିଲ ଫାଇନାଲ କରା ଯାଉଥିଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ଗତ ୨୪ ତାରିଖ ଦିନ ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୈଶିଙ୍ଗା ଥାନାରେ ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ, ବାଲେଶ୍ୱରର ଡିଏସପି ମନୋଜ ରାଉତ, ତଦନ୍ତକାରୀ ଅଧିକାରୀ ଲକ୍ଷ୍ମୀଧର ସ୍ୱାଇଁ, ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ ପ୍ରମୁଖଙ୍କୁ ଭେଟି ତହସିଲଦାରଙ୍କୁ ଗିରଫ କରିବାକୁ ଦାବି ଜଣାଇ ଥିଲେ ।
ଆଜି ସୁଦ୍ଧା ପୋଲିସ ତହସିଲଦାରଙ୍କୁ ଗିରଫ କରିବ ବୋଲି ପ୍ରତିଶୃତି ଦେଇ ଥିଲେ । ହେଲେ ପୋଲିସ ତାର ପ୍ରତିଶୃତି ପୂରଣ କରି ନପାରିବାରୁ ବିଧାୟକ ଧାରଣା ପାଇଁ ନିଷ୍ପତ୍ତି ନେଇଛନ୍ତି । ସାଧାରଣ ଲୋକଙ୍କୁ ଛୋଟମୋଟ ଦଫାରେ ଗିରଫ କରି କୋର୍ଟ ଚାଲାଣ କରା ଯାଉ ଥିବା ବେଳେ ତହସିଲଦାର ଭଳି ଦାୟୀତ୍ୱବାନ ପଦବୀରେ ଥାଇ ଖୋଲାଖୋଲି ଦୁର୍ନିତୀ କରୁ ଥିବା ମହିଳା ଅଧିକାରିଣୀଙ୍କ ବିରୁଦ୍ଧରେ କୋହଳ କାର୍ଯ୍ୟାନୁଷ୍ଠାନକୁ ବିଜେପି ଦଳ ନାପସନ୍ଦ କରିଛି । ଆଗକୁ ଏହି ଆନେ୍ଦାଳନର ନେତୃତ୍ୱର ପରିସରକୁ ବ୍ୟାପ୍ତ କରା ଯିବ ବୋଲି ବିଧାୟକ ସନାତନ ବିଜୁଳି ମତ ଦେଇଛନ୍ତି ।