Odisha news

ସାଲେପୁର ଏକ ନିର୍ଦିଷ୍ଟ ଘରୋଇ ନର୍ସିଂହୋମ୍ରେ ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ ଓ ଅଣ ଅଭିଜ୍ଞ ଚିକିତ୍ସିକଙ୍କ ଦ୍ୱାରା ଚିକିତ୍ସା ଚାଲିଥିବା ଅଭିଯୋଗ

0

ସାଲେପୁର : ଅର୍ଥ ଲୋଭରେ ସାଲେପୁର ଅଞ୍ଚଳରେ କେତେକ ବ୍ୟକ୍ତି କାଗଜପତ୍ର ଠିକ୍ ନଥାଇ ବେଆଇନ୍ ଭାବେ ନର୍ସିଂହୋମ୍ ଚଳାଇ ରୋଗୀମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ସରକାରଙ୍କ ନିୟମ ଅନୁଯାୟୀ ସାଲେପୁର ଅଞ୍ଚଳରେ ଥିବା ନର୍ସିଂହୋମ୍ ମାନଙ୍କ ମଧ୍ୟରୁ ବହୁ ନର୍ସିଂହୋମ୍ର କାଗଜପତ୍ର ଠିକ ନଥିବାବେଳେ ଅଧିକାଂଶ ନର୍ସିଂହୋମ୍ରେ ଡାକ୍ତରମାନଙ୍କ ଦ୍ୱାରା ରୋଗୀସେବା କରାନଯାଇ ଫାର୍ମାସୀ ଓ ଅଣଅଭିଜ୍ଞ ଚିକିତ୍ସକଙ୍କ ମାଧ୍ୟମରେ ଚିକିତ୍ସା କରାଯାଉଛି ।

ସାଲେପୁର ସଦର ମହକୁମାରେ ଥିବା ଶ୍ରୀରାମ ନର୍ସିଂହୋମ୍ ନାମରେ ଚାଲିଥିବା ଏକ ଘରୋଇ ନର୍ସିଂହୋମ୍ରେ ନିୟମିତ ଡାକ୍ତର ଆସୁନଥିବାବେଳେ ଏହି ନର୍ସିଂହୋମ୍ର ମାଲିକ ଜଣେ ଫାର୍ମାସିଷ୍ଟ ହୋଇଥିଲେ ମଧ୍ୟ ନିଜକୁ ଡାକ୍ତର କହି ରୋଗୀ ସେବା କରୁଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ ଏହି ନର୍ସିଂହୋମ୍ଟି ୯ବେଡ୍ ବିଶିଷ୍ଟ ହୋଇଥିବାବେଳେ ଏଥିରେ ଜଣେ ୨୪ଘଣ୍ଟିଆ ଡାକ୍ତର ରହୁଥିବାର ଦର୍ଶାଯାଇ ସରକାରଙ୍କ ଠାରୁ ଅନୁମତି ପ୍ରାପ୍ତ କରାଯାଇଥିବାବେଳେ ଏଠାରେ ଯେଉଁ ଡାକ୍ତରଙ୍କ ନାମରେ ଅନୁମତି ଅଣାଯାଇଛି, ସଂପୃକ୍ତ ଡାକ୍ତର ଜଣକ ଭୁବନେଶ୍ୱର କିମ୍ସରେ କାର୍ଯ୍ୟ କରୁଛନ୍ତି । ସେହିପରି ଜଣେ ପ୍ରସୂତି ବିଭାଗ ଡାକ୍ତର ପାର୍ଟ ଟାଇମ୍ ଏଠାରେ କାର୍ଯ୍ୟ କରୁଥିବା ଦର୍ଶାଯାଇଥିଲେ ହେଁ ସଂପୃକ୍ତ ଡାକ୍ତର ଜଣକ ଜିଲ୍ଲାବାହାରେ କାର୍ଯ୍ୟ କରୁଥିବାରୁ ଏହି ବେସରକାରୀ ନର୍ସିଂହୋମ୍କୁ ନିୟମିତ ଆସିପାରୁନାହାଁନ୍ତି ।

ଫଳରେ ଏଠାରେ ଚିକିତ୍ସିତ ହେବାକୁ ଆସୁଥିବା ରୋଗୀମାନଙ୍କୁ ଅଣ ଅଭିଜ୍ଞ ଡାକ୍ତର ଓ ଫାର୍ମାସିଷ୍ଟମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଥିବାରୁ ରୋଗୀମାନେ ଅଧିକାଂଶ ସମୟରେ ମୃତୁ୍ୟମୁଖରେ ପଡୁଥିବା ଅଭିଯୋଗ ହୋଇଛି । ଅପର ପକ୍ଷରେ ଉପଯୁକ୍ତ ଭିତ୍ତିଭୂମି ନଥାଇ ଖାଲି କାଗଜକଲମରେ ସମସ୍ତ ଭିତ୍ତିଭୂମି ଥିବା ଦର୍ଶାଯାଇ ଉଚ୍ଚ ପଦାଧିକାରୀଙ୍କୁ ହାତ କରି ଅନୁମତି ଆଣି ଏଠାରେ ନର୍ସିଂହୋମ୍ କରାଯାଇ ରୋଗୀମାନଙ୍କ ଜୀବନ ସହ ସଂପୃକ୍ତ ନର୍ସିଂହୋମ୍ ମାଲିକ ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ଏ ଦିଗରେ ଜିଲ୍ଲା ଚିକିତ୍ସା ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।  ଏ ସଂପର୍କରେ ସଂପୃକ୍ତ ଘରୋଇ ନର୍ସିଂହୋମ୍ର ମାଲିକ ଦିଲ୍ଲୀପ କୁମାର ବିଶ୍ୱାଳଙ୍କୁ ପଚାରିବାରେ ସେ କହିଲେ ଯେ ସରକାରଙ୍କ ନିୟମ ଅନୁଯାୟୀ ମୋର ସମସ୍ତ ଭିତ୍ତିଭୂମି ରହିଛି, କଟକ ଭୁବନେଶ୍ୱରରୁ ଏହି ଘରୋଇ ନର୍ସିଂହୋମ୍ରୁ ଅଧିକାଂଶ ଡାକ୍ତର ଆସୁଥିବାରୁ କରୋନା ପାଇଁ ଡାକ୍ତରମାନେ ନିୟମିତ ଆସିପାରୁନଥିବା ସେ ପ୍ରକାଶ କରିବା ସହ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଉପଯୁକ୍ତ ମୂଲ୍ୟରେ ଏଠାରେ ରୋଗୀସେବା କରାଯାଉଥିବା ସେ କହିଛନ୍ତି ।

Leave A Reply