ବେତନଟୀ : ବୈଶିଙ୍ଗା ଥାନା ଅଧୀନ ରାଇକମାରୁ ଗତକାଲି ବାହାରି ଥିବା କରୋନା ପଜିଟିଭ ବ୍ୟକ୍ତି ଜଣକ ହଟସ୍ପଟ ଦିଲ୍ଲୀରୁ ଆସି ଥିଲେ । ତେବେ ସେ ହୋମ କ୍ୱାରାଣ୍ଟାଇନରେ ଥାଇ ମଧ୍ୟ ବୁଲାବୁଲି କରୁ ଥିବାର ଗ୍ରାମବାସୀ ମାନେ ଦେଖି ଥିଲେ । ଏବେ ପଜିଟିଭ ବାହାରିବା ପରେ ଗ୍ରାମବାସୀଙ୍କ ଚିନ୍ତା ବଢ଼ି ଯାଇଛି ।
ତାଙ୍କୁ କୋଭିଡ ହସପିଟାଲକୁ ନେବା ପରେ ଆଜି ଗ୍ରାମବାସୀ ମାନେ ଗ୍ରାମଟିକୁ ସଟ ଡାଉନ କରିବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିବେଦନ କରି ଥିବାର ଜଣା ପଡିଛି । ଅନ୍ୟ ପକ୍ଷରେ ହଟସ୍ପଟରୁ ଆସି ଥିବା ବ୍ୟକ୍ତିଙ୍କୁ ହୋମ କ୍ୱାରାଣ୍ଟାଇନ ପାଇଁ କିଏ ନିଦେ୍ର୍ଦଶ ଦେଇ ଥିଲେ ଏହାକୁ ନେଇ ଗ୍ରାମବାସୀ ମାନେ ପ୍ରଶ୍ନ କରି ଥିବାର ଜଣା ପଡିଛି । ପ୍ରଶାସନର ଏହି ଅବହେଳାକୁ ଗ୍ରାମବାସୀ ମାନେ ଦୃଢ଼ ବିରୋଧ କରିଛନ୍ତି । ଏହା ଦ୍ୱାରା ଗ୍ରାମର ଲୋକମାନେ ଆକ୍ରାନ୍ତ ହେବେ ଏଥି ନେଇ ଶଙ୍କା ପ୍ରକଟ କରା ଯାଇଛି ।
ଗ୍ରାମର ଜୟନ୍ତ ବେହେରା, ଦୀନବନ୍ଧୁ ମହାନ୍ତ, ମହେଶ୍ୱର ନାଏକ, ରତିକାନ୍ତ ବେହେରା, ଲବ ମାର୍ଣ୍ଡି, ହିମାଂଶୁ ଚୌଧୁରୀ, ମନୋରଞ୍ଜନ ମିଶ୍ର, କିଷୁନ କିସ୍କୁ, ଜିତେନ୍ଦ୍ର ନାଏକ, ରବୀନ୍ଦ୍ର ଧାଉଁଡିଆ, ଶ୍ରୀଧର କମିଳା, ମଙ୍ଗଲ ମହାନ୍ତ, ଦୀନବନ୍ଧୁ ବେହେରା, ସୁଶାନ୍ତ ନାଏକ ଓ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦାବି ପତ୍ର ପ୍ରଦାନ କରା ଯାଇଛି । ଘଟଣାକୁ ନେଇ ବେତନଟୀ ବିଡିଓ ସ୍ମୃତିରଞ୍ଜନ ମଲ୍ଲିକଙ୍କ ସହିତ ଆଲୋଚନା ବେଳେ ବ୍ୟକ୍ତି ଜଣକ ଫେରିବା ପରେ ପଞ୍ଚାୟତ ସ୍ତରରେ ତାର କ୍ୱାରାଣ୍ଟାଇନ ପାଇଁ ନିଷ୍ପତ୍ତି ନିଆ ଯାଇଛି । ଘଟଣାକୁ ନେଇ ଅଁଳା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପବିତ୍ରମୋହନ ବାରିକଙ୍କୁ ଯୋଗାଯୋଗ କରିବା ପରେ ତାଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖା ଯାଇ ଥିଲା । କିନ୍ତୁ କାହା ନିଦେ୍ର୍ଦଶରେ ରଖା ଯାଇ ଥିଲା ତାହା ସେ କହିବାକୁ ଅସମର୍ଥ ହେଲେ ।
