ଫୁଲନଖରା : -ବିନା ବନ୍ଧକରେ କୃଷି ଋଣ ଚାଷୀଙ୍କୁ ଯୋଗାଇ ଦେବାକୁ ଭାରତୀୟ ଜନତା ପାର୍ଟି ସମବାୟ ସେଲ ପକ୍ଷରୁ ଦାବି ହୋଇଛି । ଆଜି ଦଳୀୟ ନେତାମାନେ କଟକ ଜିଲାପାଳଙ୍କୁ ସାକ୍ଷାତ କରି ସମସ୍ୟା ବିଷୟରେ ଅବଗତ କରିଥିଲେ । ତାଙ୍କ ପରାମର୍ଶ ଅନୁସାରେ ଏଡ଼ିଏମ ବିଜୟକୁମାର ଖଣ୍ଡାୟତରାୟଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଗରିବ କୃଷକମାନଙ୍କୁ ବିନା ଜମି ବନ୍ଧକରେ ଋଣ ପ୍ରଦାନ କରିବା ଓ ଚାର୍ଯ୍ୟ କ୍ରିଏସନ ପ୍ରଥା ଉଚ୍ଛେଦ କରିବା ନେଇ ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି । ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ ଋଣ ପ୍ରଦାନ ବେଳେ ଚାର୍ଯ୍ୟ କ୍ରିଏସନ ନାମରେ ପ୍ରମାଣ ପତ୍ର ଜମା କରିବାକୁ କୁହାଯାଇଥାଏ । ଏହାକୁ ସଂଗ୍ରହ କରିବାକୁ ଚାଷୀମାନଙ୍କୁ ଉପନିବନ୍ଧକଙ୍କ କାର୍ଯ୍ୟାଳୟକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼େ ।
ଅଥଚ ଭାରତ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପାଇଁ କୌଣସି ସ୍ଥାୟୀ ବନ୍ଧକ ଆବଶ୍ୟକ ନାହିଁବୋଲି ଘୋଷଣା କରିଥିଲେ ମଧ୍ୟ କୃଷକ ସମବାୟ ସମିତିରେ ଏହାକୁ ପାଳନ କରାଯାଉନଥିବା ଦଳ ଅଭିଯୋଗ କରିଛି । ଏଣୁ ଚାଷୀମାନଙ୍କ ସାମୂହୀକ ବିକାଶ କଥା ବିଚାରକୁ ନେଇ ସମସ୍ତ ସମବାୟ ସମିତି ଋଣ ପ୍ରଦାନ କଲାବେଳେ ଜମି ପଟ୍ଟା ବନ୍ଧକ ନୀତି ଉଚ୍ଛେଦ କରିବାକୁ ବିଜେପି ସମବାୟ ସେଲ କେନ୍ଦ୍ରୀୟ କଟକ ଜିଲା ସଂଯୋଜକ ବିଜୟ ରାଉତରାୟ, ନିଆଳି ନିର୍ବାଚନ ମଣ୍ଡଳୀ ସମବାୟ ସଂଯୋଜକ ବନ୍ଧୁଚରଣ ସାହୁ, କଟକ ଜିଲା ସଂଯୋଜକ ବିପିନ ପଣ୍ଡା, ସମବାୟବିତ କେଦାରନାଥ ଜେନା, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରତିଭା ଶତପଥି, ସଦର ବ୍ଲକ ସଂଯୋଜକ କ୍ଷୀରୋଦ ଦଳାଇ, ପଦ୍ମଜା ଦେବତା, ବିଜୟକୁମାର ପାତ୍ର, ଯୋଗେନ୍ଦ୍ର ଦାସ, କାଳନ୍ଦୀ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି ।