ଫୁଲନଖରା : କରୋନା ଭଳି ମହାମାରୀ ସମୟରେ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କ ଗୁରୁତ୍ୱପୂର୍ଣ୍ଣ ଭଳମିକା ରହିଥିଲାବେଳେ ସେମାନେ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିିତିରେ ନିଜର କାର୍ଯ୍ୟ ସମ୍ପାଦନ କରିବାରେ ଲାଗିଛନ୍ତି । ମାତ୍ର କେତେକ କ୍ଷେତ୍ରରେ ସେମାନଙ୍କ ପ୍ରତି ଅସୂୟାଭାବ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହେଉଛି । ଏମିତି ଏକ ଘଟଣା ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ଅନ୍ତର୍ଗତ ଅରିଲୋ ଗ୍ରାମରେ ସୋମବାର ଦେଖିବାକୁ ମିଳିଛି । ଉକ୍ତ ଗ୍ରାମରୁ ଜଣକର ସ୍ୱାବ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ବାହାରିବା ପରେ ସ୍ଥାନୀୟ ସରପଞ୍ଚ ସେହି ଗ୍ରାମକୁ ଦୁଇ ଦିନ ପାଇଁ ସଟଡ଼ାଉନ ଘୋଷଣା କରିଥିଲେ ।
ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ୱାବ ନମୁନା ସଂଗ୍ରହ ପାଇଁ ଏକ ଡାକ୍ତରୀ ଦଳ ସୋମବାର ପୂର୍ବାହ୍ନରେ ଅରିଲୋ ଗ୍ରାମରେ ପହଞ୍ଚôଥିଲା । ମାତ୍ର ଗ୍ରାମବାସୀମାନେ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କୁ ଘେରାଉ କରିବା ସହିତ ସରକାରୀ ଗାଡ଼ିକୁ ଆଉ ଛାଡ଼ି ନଥିଲେ । ଗ୍ରାମର ସମସ୍ତଙ୍କ ସ୍ୱାବ ପରୀକ୍ଷା ପାଇଁ ସେମାନେ ଅଡ଼ି ବସିଥିଲେ । ମାତ୍ର ଏହା ବର୍ତ୍ତମାନ ପାଇଁ ସମ୍ଭବ ନୁହେଁବୋଲି ଯେତେ ବୁଝାଇଲେ ମଧ୍ୟ ସେମାନେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ଶେଷରେ ମହୀଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ସୁଭାଷଚନ୍ଦ୍ର ଗୋଚ୍ଛାୟତ ସଦର ଥାନାକୁ ଖବର ଦେଲାପରେ ପୋଲିସ ଓ ବାରଙ୍ଗ ବିଡ଼ିଓ ଅରିଲୋରେ ପହଞ୍ଚô ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ଏବଂ ଗାଡ଼ି ଓ କର୍ମଚାରୀଙ୍କୁ ଛାଡ଼ ମିଳିଥିଲା । ଆଜିର ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।