Odisha news

ପ୍ରାକୃତିକ ବିପର୍ଯ୍ୟୟ ଖୋର୍ଦ୍ଧା ଜିଲ୍ଲା ପିଛା ଛାଡ଼ୁନି : ପରିବେଶରେ ସନ୍ତୁଳନ ରକ୍ଷା ପାଇଁ ଲାଗିବ ୧୬.୫ଲକ୍ଷ ଚାରା

0

ଖୋର୍ଦ୍ଧା : ପ୍ରାକୃତିକ ବିପର୍ଯ୍ୟୟ ଜିଲ୍ଲା ପିଛା ଛାଡ଼ୁନି ।ବାତ୍ୟା ଫାନି, ତିତିଲି, ହୁଡୁହୁଡ଼ରେ ବ୍ୟାପକ ଜଙ୍ଗଲ ନଷ୍ଟ ହୋଇଥିବାବେଳେ ସବୁଜୀମା ବ୍ୟାପକ କ୍ଷୟକ୍ଷତି ହୋଇଛି ।ଏହାର କୃପ୍ରଭାବ ପଡ଼ିବା ଦ୍ୱାରା ଜଳବାୟୁରେ ମଧ୍ୟ ବ୍ୟାପକ ପରିବର୍ତନ ହେବାରେ ଲାଗିଛି ।ତେଣୁ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ବ୍ୟାପକ ସଚେତନତା ସତ୍ୱେ ଜଙ୍ଗଲ ଅବକ୍ଷୟ ଏବେ ପରିବେଶବିତଙ୍କ ଚିନ୍ତା ବଢାଇ ଦେଇଛି । ତେଣୁ ଚଳିତ ୨୦୨୦ବର୍ଷରେ ଖୋର୍ଦ୍ଧା ବନଖଣ୍ଡ ତରଫରୁ ୧୬ଲକ୍ଷ୫୦ହଜାର ୬ଶହ ଚାରା ରୋପଣ କରାଯିବ । ସେଥିମଧ୍ୟରୁ ୧୦ଲକ୍ଷ ୫୦ହଜାର ୬ଶହ ଚାରା ରେ ନୂତନ ଜଙ୍ଗଲ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରହିଥିବା ବେଳେ ୬ଲକ୍ଷ ଚାରା ଜନସାଧାରଣଙ୍କୁ ବଂଟନ କରାଯିବ ବୋଲି ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ସମ୍ୟକ ସାମନ୍ତରାୟ କହିଛନ୍ତି । ତେବେ ଜୁଲାଇ ପହିଲାରୁ ଚାରା ବିତରଣ କରାଯାଉଛି । ସହର ଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ଲୋକ ନିକଟରେ ଚାରା ପହଂଚାଇବା ଲକ୍ଷ୍ୟରେ ୧୨ଟି ଚାରା ଉତ୍ପାଦନ କେନ୍ଦ୍ର,୫ଟି ଚାରା ବିତରଣ କେନ୍ଦ୍ର ଏବଂ ୪ଟି ଭ୍ରାମ୍ୟମାଣ ମୋଟରଯାନ ଚାରା ବିତରଣ ବ୍ୟବସ୍ଥା ସହ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ବୃକ୍ଷରୋପଣ ନେଇ ସଚେତନ କରାଯାଉଛି । ଭ୍ରାମ୍ୟମାଣ ମୋଟରଯାନ ଗୁଡିକ ପ୍ରତ୍ୟେକ ଛକ ଏବଂ ଗାଁ ଗହଳିରେ ବୁଲି ଚାରା ବିତରଣ କରୁଛନ୍ତି ।

ତେବେ ସହାରାଂଚଳରେ ଜଣପିଛା ସର୍ବଧିକ ୫ଟି ଏବଂ ଗ୍ରାମାଂଚଳରେ ସର୍ବାଧିକ ୧୦ଟି ଚାରା ଭ୍ରାମ୍ୟମାଣ ଚାରାଯାନ ଏବଂ ଚାରା ଷ୍ଟଲ ଜରିଆରେ ଯୋଗାଇ ଦିଆଯିବ । ଅଧିକ ଚାରା ଲାଗି ଆଗ୍ରହ ରଖିଥିବା ବ୍ୟକ୍ତି ଚାରା ଉତ୍ପାଦନ କେନ୍ଦ୍ରରୁ ନେଇପାରିବେ ବୋଲି ସେ କହିଛନ୍ତି । କୌଣସି ସଂସ୍ଥା, ବେସରକାରୀ ତଥା ସରକାରୀ ଅନୁଷ୍ଠାନ, ଏନଜିଓ କୁ ଭ୍ରାମ୍ୟମାଣ ଚାରାଯାନ ଏବଂ ଚାରାଷ୍ଟଲ ପକ୍ଷରୁ ଶହେ ଚାରା ଦିଆଯିବ । କୌଣସି ସଂସ୍ଥା, ଅନୁଷ୍ଠାନ  ଅଧିକ ଚାରା ଆବଶ୍ୟକ କରୁଥିଲେ, ବନାଂଚଳ ଅଧିକାରୀଙ୍କୁ ଦରଖାସ୍ତ କରିବେ । ସେମାନଙ୍କ ଆବଶ୍ୟକତାକୁ ବିଚାର କରାଯାଇ ସର୍ବାଧିକ ୧ହଜାର ପର୍ଯ୍ୟନ୍ତ ଚାରା ଯୋଗାଇ ଦିଆଯିବ । ସର୍ବସାଧାରଣ ନିମନ୍ତେ ଚାରା ପ୍ରତି ୧ଟଙ୍କା ମୂଲ୍ୟ ଦେବାକୁ ପଡିବ । ସମସ୍ତ ଅନୁଷ୍ଠାନ, ସଂସ୍ଥା, ପଞ୍ଜିକୃତ ଅନୁଷ୍ଠାନ, ବନସୁରକ୍ଷା ସମିତି ଏବଂ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ବିନା ମୂଲ୍ୟରେ ଚାରା ଯୋଗାଇ ଦିଆଯିବ । ମହାନଦୀ ଅବବାହିକାର ୨କିମି ମଧ୍ୟରେ ବସବାସ କରୁଥିବା ଜନସାଧାରଣଙ୍କୁ ବିନା ମୂଲ୍ୟରେ ଚାରା ଯୋଗାଇ ଦିଆଯିବ ବୋଲି ଡିଏଫଓ ଶ୍ରୀ ସାମନ୍ତରାୟ କହିଛନ୍ତି । ତେଣୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍କୁଲ, କଲେଜ, ରାସ୍ତା ପାଶ୍ୱର୍ରେ ବ୍ୟାପକ ଚାରା ରୋପଣ କରିବାକୁ ବିଭାଗ ଯୋଜନା କରିଥିବା ଜଣାଯାଇଛି ।  ତେବେ ଏ ସମ୍ପର୍କରେ ପରିବେଶବିତ ତଥା ଗଛମଣିଷ ଧନେଶ୍ୱର ବିଧାରଙ୍କ କହିବା କଥା ସବୁଜବନାନୀ ନଷ୍ଟ ହେବା ଦ୍ୱାରା ଶ୍ରାବଣମାସରେ ଧାରା ଶ୍ରବଣ ପରିବର୍ତେ ବୈଶାଖର ତାତି ଅନୁଭୁତ ହେଉଛି । ତେଣୁ ପରିବେଶର ସନ୍ତଳନ ରକ୍ଷା ନିମନ୍ତେ ବନବିଭାଗ ର ଏ ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ତେବେ ମୋର ସମସ୍ତଙ୍କୁ ଅନୁରୋଧ ସଭିଏଁ ଗୋଟିଏ ଗୋଟିଏ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ ଏବଂ ପରିବଶେକୁ ସବୁଜମୟ କରିବାରେ ସହାୟକ ହୁଅନ୍ତୁ ।

Nalco
Leave A Reply