ବିରଜାକ୍ଷେତ୍ର : ଯାଜୁପର ଜିଲ୍ଲାରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ୯ଶହ ଟପିଥିବା ବେଳେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ଠାରୁ ଏହା ଅଧିକ ସଂକ୍ରମିତ ହେଉଥିବା ଜଣାଯାଇଛି । ତେବେ ପ୍ରାଥମିକ ଭାବେ କୋଲକତାରୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଏହା ବ୍ୟାପକ ହୋଇଥିଲା । ବର୍ତ୍ତମାନ ସଂକ୍ରମଣ ଅଧିକ ବଢ଼ିବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଚଳିତମାସ ୧୫ ତାରିଖ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଯାଜପୁରରୁ କୋଲକତା ଓ ଯାଜପୁରର ରାଉରକେଲା ଯାତାୟତ କରୁଥିବା ବସ୍ଗୁଡିକ ଉପରେ କଟକଣା ଜାରି କରିଛି । ଏହି ସମୟରେ କୌଣସି ବସ୍ କୋଲକତା ଓ ରାଉରକେଲା ଯିବା ଆସିବା କରିପାରିବ ନାହିଁ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସ୍ପଷ୍ଟ କରିଦେଇଛନ୍ତି । ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଏ ସଂପର୍କରେ ଏକ ଜରୁରୀ ବୈଠକ ଅନୁଷ୍ଠିତ କରାଯାଇଛି । ଜିଲ୍ଲାପାଳ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଯାଜପୁର ଘରୋଇ ବସ୍ମାଲିକ ସଂଘର ସଂପାଦକ କର୍ଣ୍ଣାଟକେଶରୀ ଦାସ ଯୋଗ ଦେଇଥିଲେ ।
ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଦାସ ଜିଲ୍ଲାରେ କରୋନାର ସ୍ଥିତି ସଂପର୍କରେ ଅବଗତ କରାଇବା ସହ କୋଲକତାରୁ ଜିଲ୍ଲାକୁ ପ୍ରାୟ ୩ ହଜାର ପ୍ରବାସୀ ବର୍ତମାନ ସୁଦ୍ଧା ଫେରିଥିବା ସୂଚନା ଦେଇଥିଲେ । ତେଣୁ କିଛି ଦିନ ପାଇଁ କୋଲକତା ଓ ରାଉରକେଲା ଯାତ୍ରୀ ପରିବହନକୁ କଟକଣା କରିବାକୁ ମତ ଦେଇଥିଲେ । ବିସ୍ତୃତ ଆଲୋଚନା ପରେ ଏହି କଟକଣାକୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ବଳବତ୍ତର ରଖିବାକୁ ସ୍ଥିର ହେଲା । ଜିଲ୍ଲା ପୋଲିସ ପ୍ରଶାସନ ଏହାକୁ ତଦାରଖ କରିବା ସହ ଜିଲ୍ଲାରେ ଧରପଗଡ଼କୁ କୋରଦାର କରିବାକୁ ଉପସ୍ଥିତ ସଦସ୍ୟମାନେ ମତ ଦେଇଥିଲେ । ଏ ସଂର୍ପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରିଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଳାପାଳ ଅକ୍ଷୟ କୁମାର ମଲ୍ଲିକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଆର୍.ଟି.ଓ ସଚିତାନନ୍ଦ ପଣ୍ଡା, ଜିଲ୍ଲା ଜରୁରୀ ବିଭାଗର ଡିପିଏମ୍ ଦେବାଶିଷ ପ୍ରଧାନ, ଏମ୍.ଭିଆଇ ଦୀପକ କୁମାର ସେଠୀ, ବରିଷ୍ଠ ରାଜସ୍ୱ ସହାୟକ ସୁଦିପ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ ।