ଧାମନଗର : ଧାମନଗର ଏନ୍ଏସିରେ ଜଣେ ଘରୋଇ ଡ଼ାକ୍ତରଙ୍କୁ କରୋନା ସଂକ୍ରମଣ ହେବା ଏବଂ ପରେ ପରେ ତାଙ୍କର ମୃତୁ୍ୟ ହେବା ଘଟଣାରେ ଧାମନଗର ସଦର ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଭୟ ସଂ·ର ହୋଇଛି । ସଂପୃକ୍ତ ଡ଼ାକ୍ତର ଧାମନଗର କାଜିମହଲା ସ୍ଥିତ ନିଜ ବାସଭବନ ଓ ଦୋବଲରେ ଥିବା କ୍ଳିନିକ୍ରେ ଦୈନିକ ବହୁ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିଲେ ।
ଏଣୁ ସେ କେତେ ଲୋକଙ୍କ ସହ ମିଶିଛନ୍ତି ଅଥବା ତାଙ୍କ ସଂସ୍ପର୍ଶରେ କେତେଲୋକ ଆସିଛନ୍ତି ତାହାର ସଠିକ୍ ତଥ୍ୟ ମିଳିନଥିବା ବେଳେ ସଂପୃକ୍ତ ପରିବାର ସଦସ୍ୟ ଦେଇଥିବା ତଥ୍ୟ ଅନୁସାରେ କଣ୍ଟାକ୍ଟଟ୍ରେସିଂ କରାଯାଇଛି । ତେବେ ଡ଼ାକ୍ତରଙ୍କ ରୋଗୀ ଦେଖା ରେଜିଷ୍ଟର କୁ ଆଧାର କରି କଣ୍ଟାକ୍ଟଟ୍ରେସିଂ କରାଯିବାପାଇଁ ଲୋକେ ଦାବି କରିଛନ୍ତି । ଇତି ମଧ୍ୟରେ ଧାମନଗର ଏନ୍ଏସି ତରଫରୁ ୮, ୯ ଓ ୧୦ନମ୍ବର ୱାର୍ଡ଼କୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇ ଉକ୍ତ ଗ୍ରାମର ସମ୍ପୃକ୍ତ ବିଭିନ୍ନ ରାସ୍ତାକୁ ସିଲ୍ କରାଯାଇଛି ।
ଏହି ତିନୋଟି ୱାର୍ଡ଼କୁ ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯାଇଥିଲେ ମଧ୍ୟ ଏହାକୁ ଲୋକେ ମାନୁନାହାନ୍ତି । ଏନ୍ଏସି ତରଫରୁ କରାଯାଇଥିବା ୭ଟି ବେରିକେଡ଼ ମଧ୍ୟରୁ ଅଧିକାଂଶ କୁ ଲୋକେ ଭାଙ୍ଗିଦେଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପ୍ରଶାସନର ଏଥିପ୍ରତି ନଜର ନଥିବା ଜଣାପଡ଼ୁଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ବୁଧବାର ଦିନ କରୋନା ସଂକ୍ରମିତ ଡ଼ାକ୍ତରଙ୍କ ପରିବାରର ୧୨ଜଣ ଏବଂ ତାଙ୍କ ସହିତ ଥିବା ୨ଜଣଙ୍କୁ ମିଶାଇ ମୋଟ ୧୪ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ଟିମ୍ ଉକ୍ତ ତିନୋଟି ୱାର୍ଡ଼ରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିବା ଜଣାଯାଇଛି । ତେବେ ଧାମନଗର ଏନ୍ଏସି ଅଧିନସ୍ଥ ଉକ୍ତ ୩ଟି ୱାର୍ଡ଼ ଓ ଦୋବଲରେ ଥିବା ସଂପୃକ୍ତ ଡ଼ାକ୍ତରଙ୍କ କ୍ଳିନିକ୍ ଅଞ୍ଚଳକୁ ସାନିଟାଇଜ କରିବାପାଇଁ ଦାବି ହେଉଛି ।