Odisha news

ସାମାଜିକ ସଂକ୍ରମଣରୁ ବଂଚିବାକୁ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ସଟଡାଉନ୍

0

ଫୁଲବାଣୀ : କନ୍ଧମାଳ ଜିଲାରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ଗତକାଲି ସୁଦ୍ଧା କେହି ନଥିଲେ ମଧ୍ୟ ଆଜି ପୁଣି ୮ଟି କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜିର ୮ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ମୋଟ ୧୮୬କୁ ପଂହଚିଛି କରୋନା ରୋଗୀଙ୍କ ସଂଖ୍ୟା । ତେବେ, ସେଥିମଧ୍ୟରୁ ୧୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବାକି ୮ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ତେବେ ଏଯାଏଁ ଜିଲାରେ ସାମାଜିକ ସଂକ୍ରମଣ ହୋଇନାହିଁ  । ସେହିପରି ରାଜ୍ୟରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି, କମିବାର ନାଁ ଧରୁନି । କାଳେ ଆଗକୁ ରୋଗୀସଂଖ୍ୟା ପୁଣି ବଢିବ ଓ ଏହା ଧିରେଧିରେ ସାମାଜିକ ସଂକ୍ରମଣର ଉଗ୍ରରୁପ ନେବ, ସେଥିପାଇଁ  ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇ ଜୁଲାଇ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରିଛି ।

ଏହାଦ୍ୱାରା ଲୋକେ ଘରେ ସଂପୂର୍ଣ୍ଣ ଭାବେ ରହିବେ ଆଉ ବାହାର ଜିଲ୍ଲାର ଲୋକ ମଧ୍ୟ ଜିଲ୍ଲାକୁ ଆସିବା ସଂଖ୍ୟା କମିଯିବ । ପଡୋଶୀ ଗଞ୍ଜାମ ଜିଲ୍ଲାରେ କରୋନାର ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେଲାଣି । ପୁଣି କନ୍ଧମାଳକୁ ଯେ ନ ବ୍ୟାପିବ ଏକଥା କିଏ କହିବ । ଏଣୁ, ଗତ ୨/୩ ଦିନ ହେଲା ଗଞ୍ଜାମ-କନ୍ଧମାଳ ସୀମାକୁ କଳିଙ୍ଗା ଠାରେ ସଂପୂର୍ଣ୍ଣ ସିଲ୍ କରାଯାଇଛି । ୨୪ ଘଣ୍ଟିଆ ପୋଲିସର କଡା ପ୍ରହରା ଲାଗିଛି ସେଠାରେ । ଏପଟେ ପ୍ରଶାସନର ସପ୍ତାହରେ ୨ ଦିନ ସଟଡାଉନ୍ ସହ ଅନ୍ୟ ଦିନରେ ଦିନ ଗୋଟାଏରୁ ସକାଳ ୭ ଯାଏଁ ସଟଡାଉନ୍ ଜାରୀ ରହିଛି ଦୀର୍ଘଦିନ ହେଲା ।

ଆଜି ମାସର ସଟଡାଉନ୍ ର ପ୍ରଥମ ଦିନ । ସକାଳୁ ସକାଳୁ ପୋଲିସ ଫୁଲବାଣୀ ସହରର ଗୋପବନ୍ଧୁ ଛକ, ମେଡିକାଲ ଛକ, କୋର୍ଟଛକ, ବିଜୁ ପଟ୍ଟନାୟକ ଛକ, ଏଫସିଆଇ ଛକ, ମାଦିକୁନ୍ଦା ଛକ, ଗାନ୍ଧିଛକ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସକାଳ ୫ଟାରୁ ପ୍ରହରା ଆରମ୍ଭ କରିଛି । ଏପଟେ ପୋଲିସ ପେଟ୍ରୋଲିଂ ଗାଡି ମଧ୍ୟ ସହର ସାରା ପଇଁତରା ମାରୁଛି । କନ୍ଧମାଳ ଏସପି ପ୍ରତୀକ ସିଂ ମଧ୍ୟ ଫୁଲବାଣୀ ସହରର ବିଭିନ୍ନ ଛକ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସଟଡାଉନ୍ ପାଇଁ ସବୁ ବନ୍ଦ ରହିଛି । କାଁ ଭାଁ ମେଡିକାଲ ଷ୍ଟୋର ଖୋଲିଥିଲା ସକାଳ ୭ଟା ପରେ । ସେହିପରି ଅଗ୍ନିଶମ ବିଭାଗ ପକ୍ଷରୁ ଫୁଲବାଣୀ ସହରର ମେନ୍ ରୋଡ୍ ସମେତ ବିଭିନ୍ନ ଅଂଚଳରେ ସାନିଟାଇଜ୍ କରାଯାଇଛି । ବାଇକ, ଗାଡିମଟର ଚଳାଚଳ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଇଛି ପୋଲିସ । ଅମାନିଆ ବାଇକ ଚାଳକଙ୍କୁ ଅଟକାଇ ଫାଇନ୍ ବି କାଟୁଛି ପ୍ରଶାସନ  । ଆଉ ତାଗିଦ୍ ବି କରୁଛି । ତଥାପି ଅମାନିଆ ମାନୁନାହାଁନ୍ତି ।

କେବଳ ଫୁଲବାଣୀ ନୁହେଁ, ଜିଲ୍ଲାର ବାଲିଗୁଡା, ଜି.ଉଦୟଗିରି, ଟିକାବାଲି, ତୁମୁଡିବନ୍ଧ, କୋଟଗଡ ଆଦି ସମେତ ସବୁ ବନ୍ଦ ରହିଛି । କିଛି ଅମାନିଆ ସଟଡାଉନ୍, ଲକଡାଉନ୍, କୋଭିଡ-୧୯ କଟକଣାକୁ ଭୁଲି ନିର୍ଦ୍ଧୁମ୍ ବୁଲୁଛନ୍ତି, ଖଟି କରୁଛନ୍ତି । ସାମାଜିକ ଦୂରତା ଭୁଲି ଲୋକଙ୍କ ସହ ମିଶୁଛନ୍ତି ମଧ୍ୟ । ସତେ ଯେମିତି ପଣ କରିଛନ୍ତି ନିଜେ ମରିବେ ଆଉ ଅନ୍ୟକୁ ବି ମାରିବେ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡା.ବୃନ୍ଦା ଡି. କୋଠର ପଦକ୍ଷେନ ନେଇଛନ୍ତି, ଯାହାକୁ କି ସମସ୍ତ ଜନସାଧାରଣ ସ୍ୱାଗତ କରିଛନ୍ତି । କୋଭିଡ ଆଇନକୁ ସଂପୂର୍ଣ୍ଣ କଡାକଡି ପାଳନ କରିବାଲାଗି ନିଦେ୍ର୍ଦଶ ଦେଇଛନ୍ତି ।

ମାସ୍କ ନପିନ୍ଧି ବୁଲିଲେ ଫାଇନ୍ କାଟିବା ସହ ବାଇକରେ ବିନା ହେଲମେଟ୍ ଓ ବିନା କାରଣରେ ବୁଲିଲେ, ଦୋକାନ ବଜାରରେ ସାମାଜିକ ଦୂରତା ନରଖିଲେ କଡା ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ଜିଲ୍ଲାପାଳ । ଏ ସମୟ ବାହାଘର ଭୋଜିଭାତର ସମୟ ନୁହେଁ, ଖଟି ପାଇଁ ନୁହେଁ, ଜରୁରୀ କାମ ନଥିଲେ ଘରୁ ନବାହାରିବା ଲାଗି ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଘରୁ ଅଜଥାରେ ବାହାରି ନିଜ ପାଇଁ ଘର ଲୋକଙ୍କୁ ପାଇଁ କିମ୍ବା ସମାଜ ପାଇଁ ବିପଦ ଡାକନି ବୋଲି ତାଗିଦ୍ କରିବାସହ  ଜିଲ୍ଲାକୁ କରୋନା ମୁକ୍ତ ରଖିବା ପାଇଁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡିଛନ୍ତି ଜିଲ୍ଲାପାଳ ଡା.ବୃନ୍ଦା ଡି. ।

 

Nalco
Leave A Reply