Odisha news

ହଜାରେ କୋଟି ସହାୟତା ସମୁଦ୍ରକୁ ଶଙ୍ଖେ: ମମତା

0

କୋଲକାତା: ଘୂର୍ଣିବାତ୍ୟା ଅମ୍ଫାନ ଯୋଗୁ ପଶ୍ଚିମବଂଗର ୧ ଲକ୍ଷ କୋଟିରୁ ଅଧିକ କ୍ଷୟକ୍ଷତି ହୋଇଛି। ବାତ୍ୟାରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଗୃହଶୂନ୍ୟ ହୋଇଛନ୍ତି। ଅନେକ ସ୍ଥାୟୀ ଗୃହ ବାତ୍ୟାରେ ପ୍ରଭାବିତ ହୋଇଛି। ୫ ହଜାର ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଏବେବି ଅନେକ ଅଞ୍ଚଳରେ ବିଦ୍ୟୁତ୍‌ ଏବଂ ଟେଲିଫୋନ୍‌ ସେବା ବନ୍ଦ ରହିଛି। ସେସବୁ ଅଞ୍ଚଳରେ ଏନ୍‌ଡିଆର୍‌ଏଫ୍‌ ଟିମ୍ ଏବଂ ମ୍ୟୁନିସିପାଲିଟିର ମିଳିତ ସହଯୋଗରେ ଗଛକାଟି ରାସ୍ତା ସଫା କରାଯାଉଛି। ବର୍ଦ୍ଧମାନ, ପଶ୍ଚିମ ମେଦିନୀପୁର ଏବଂ ହୁଗୁଳି ଜିଲ୍ଲାର ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ରାଜ୍ୟର ୬୦ ପ୍ରତିଶତ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛନ୍ତି। ୬ କୋଟିରୁ ଅଧିକ ଲୋକ ବାତ୍ୟା ଯୋଗୁଁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଛନ୍ତି। ଏହା ଭୟାବହ ଜାତୀୟ ବିପତ୍ତିଠାରୁ କୌଣସି ଗୁଣରେ କମ୍‌ ନୁହେଁ। ସ୍ଥିତିରେ ସାମାନ୍ୟ ସୁଧାର ଆସିବାକୁ ସମୟ ଲାଗିବ। ଜରୁରିକାଳୀନ ଭିତ୍ତିରେ ସମସ୍ତ ଅଧିକାରୀ ଓ ମନ୍ତ୍ରୀ ଲାଗିଛନ୍ତି। ପୁଲିସ ବି ଲଗାତର କାମ କରୁଛି। ଲକ୍‌ଡାଉନ୍‌, କୋଭିଡ୍‌-୧୯ ଏବଂ ବାତ୍ୟା ତିନି ତିନିଟି ବିପଦର ସାମ୍ନା କରୁଛି ରାଜ୍ୟ। ଉପକୂଳବର୍ତ୍ତୀ ଗ୍ରାମାଞ୍ଚଳର ଅବସ୍ଥା ଶୋଚନୀୟ।

ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ବିଦାୟ ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ହଜାରେ କୋଟି ଟଙ୍କାର ଆପାତକାଳୀନ ସହାୟତା ଘୋଷଣା କଲେ। ହେଲେ ଯେଉଁଠି ୧ ଲକ୍ଷ କୋଟି କ୍ଷତି ହୋଇଛି, ସେଠାରେ ହଜାରେ କୋଟି ସମୁଦ୍ରକୁ ଶଙ୍ଖେ। ତେବେ ବାତ୍ୟା କ୍ଷୟକ୍ଷତିର ପୂରା ସ୍ଥିତିର ଆକଳନ କରି କେନ୍ଦ୍ରକୁ ରିପୋର୍ଟ ପଠାଯିବ। ରାଜ୍ୟରେ ବିଭିନ୍ନ ଯୋଜନା ବାବଦରେ ଖର୍ଚ୍ଚ ହେବାକୁ ଥିବା ୫୩ ହଜାର କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଉପରେ ବାକି ରହିଛି। ଆଉ ଏବେ ସେ ଘୋଷଣା କରିଥିବା ଟଙ୍କା ମିଳିବା ନେଇ ସନ୍ଦେହ ବି ରହିଛି। ତଥାପି କେନ୍ଦ୍ର ସହୟତା ଦେଲେ ହିଁ ଆମେ କିଛି କାମ କରିପାରିବା। ରାଜଧାନୀ କୋଲକାତା ସମେତ ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ଓ ପଶ୍ଚିମ ମେଦିନୀପୁର, ହାଓଡ଼ା, ହୁଗୁଳି ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳସବୁ ପ୍ରଧାନମନ୍ତ୍ରୀଙ୍କୁ ଦେଖାଇ ଦେଇଛି। କରୋନା ସାଙ୍ଗକୁ ଅମ୍ଫାନ ଯେ ଆମ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ, ତାହା ସେ ହୃଦୟଙ୍ଗମ କରିଛନ୍ତି। ଏହାସତ୍ତ୍ବେ ତାଙ୍କ ସହାୟତାକୁ ଅପେକ୍ଷା ବୋଲି ମମତା ଆଶାବାଦୀ ହୋଇ ସାମ୍ବାଦିକମାନଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏବଂ ରାଜ୍ୟକୁ ସହାୟତା ଘୋଷଣା ତଥା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ଘଟଣା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବହୁଦିନରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦରେ ଅମ୍ଫାନ ଏକ ବିରତି ଆଣିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Govt
Leave A Reply