Odisha news

ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ୫୦୦ କୋଟିର ଅଗ୍ରୀମ ସହାୟତା ରାଶି ଘୋଷଣା କଲେ ମୋଦି

0

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଓଡ଼ିଶା ପାଇଁ ଅଗ୍ରମୀ ୫୦୦ କୋଟିର ସହାୟତା ରାଶି ଘୋଷଣା ମଧ୍ୟ କରିଛନ୍ତି। ବାତ୍ୟାଞ୍ଚଳ ପରିଦର୍ଶନ ପରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ସହାୟତା ରାଶି ଘୋଷଣା କରିଥିଲେ।

ଏହି ଅବସରରେ ମୋଦି କହିଥିଲେ, “କରୋନା ସଂକଟ ବେଳେ ମହାବାତ୍ୟା ସଂକଟ ମାଡ଼ି ଆସିଥିଲା। ପଶ୍ଚିମବଙ୍ଗ ଯିବା ବେଳେ ଓଡ଼ିଶାରେ ବି ଏହା କ୍ଷତି କରିବା ଆଶଙ୍କା କରାଯାଉଥିଲା। କିନ୍ତୁ ଏଠାରେ ଯେମିତି ବ୍ୟବସ୍ଥା ହୋଇଥିଲା ତାହା ବାତ୍ୟା ମୁକାବିଲା ପାଇଁ ସହାୟକ ହେଲା। ଲୋକଙ୍କୁ ଠିକ୍ ସୂଚନା ମିଳିଥିବାରୁ ଏଠାରେ ଜୀବନ ରକ୍ଷା ହେଲା। ତା ସହିତ ଲୋକଙ୍କୁ ଜଣାଇ ଦିଆଯାଇଥିଲେ ଯେ ସେମାନଙ୍କୁ କ’ଣ କରିବାକୁ ପଡ଼ିବ। ଏଥିପାଇଁ ଓଡ଼ିଶାବାସୀ, ନବୀନ ବାବୁ ଓ ତାଙ୍କ ଟିମ୍‌କୁ ଅଭିନନ୍ଦନ”।

ସେ ଆହୁରି ମଧ୍ୟ କହିଥିଲେ ଯେ, ପଶ୍ଚିମବଙ୍ଗଠାରୁ ଓଡ଼ିଶାରେ ବେଶି କ୍ଷତି ହୋଇ ନାହିଁ। ତେଣୁ ରାଜ୍ୟ ସରକାର କ୍ଷୟକ୍ଷତି ଆକାଳନ କରି ରିପୋର୍ଟ ଦେବେ। ଏଥିସହିତ କେନ୍ଦ୍ରୀୟ ଟିମ୍‌ ମଧ୍ୟ ଆସି କ୍ଷୟକ୍ଷତି ଆକଳନ କରିବେ। ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ। ରାଜ୍ୟ ସହ କେନ୍ଦ୍ର କାନ୍ଧ ମିଳାଇ ପୁନର୍ବିନ୍ୟାସ କାର୍ଯ୍ୟ କରିବ। ତେବେ ଆଗୁଆ ସହାୟତା ପାଇଁ ୫୦୦ କୋଟି କେନ୍ଦ୍ର ଦେବ ବୋଲି ସମୀକ୍ଷା ବୈଠକରେ ମୋଦି କହିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

ବାତ୍ୟା ଅମ୍ପନର କ୍ଷୟକ୍ଷତି ପରିଦର୍ଶନ ପାଇଁ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ। ମୋଦି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମତେ ଦଳର ଅନ୍ୟ ବରିଷ୍ଟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଡିଜିପି ଅଭୟଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

ଭୁବନେଶ୍ୱରରେ ପହଞ୍ଚିବା ପରେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବାତ୍ୟାଞ୍ଚଳ ପରିଦର୍ଶନ  କରିବା ପାଇଁ ବାହାରିଥିଲେ ପ୍ରଧାନମନ୍ତ୍ରୀ। ପ୍ରଧାମନ୍ତ୍ରୀଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବି ସାମିଲ ହୋଇ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।
Leave A Reply