ତିନି ସେବା ପାଇଁ ଯିବାକୁ ପଡ଼ିବନି ଥାନା, ଗାଡ଼ି ଚୋରି ହେଲେ ଏଣିକି ଅନ୍ଲାଇନ୍ରେ ଏତଲା ରାସ୍ତା ଦୁର୍ଘଟଣା ହେଲେ ବୀମା ସହାୟତା ସହଜରେ ମିଳିବ, ଡାକ୍ତରୀ ପରୀକ୍ଷା ରିପୋର୍ଟ ପାଇଁ ବି ଦୌଡ଼ିବାକୁ ପଡ଼ିବନି
ଭୁବନେଶ୍ବର: ମୋଟର୍ ସାଇକେଲ୍ ଚୋରି ହେଲେ ଏତଲା ଦେବାକୁ ଓ ତାହାର ନକଲ ଆଣିବାକୁ ଆଉ ଥାନା ଦୌଡ଼ିବାକୁ ପଡ଼ିବ ନାହିଁ। ଏଣିକି ଘରେ ବସି ଅନ୍ଲାଇନ୍ ମାଧ୍ୟମରେ କାମ ସହଜରେ ହୋଇପାରିବେ। ‘ଭର୍ଚୁଆଲ୍ ପୁଲିସ୍ ଷ୍ଟେସନ୍’ ପ୍ରକଳ୍ପ ମାଧ୍ୟମରେ ଏହି ସୁବିଧା ମିଳିବ। ରାସ୍ତା ଦୁର୍ଘଟଣା ହେଲେ ବୀମା ସହାୟତା ପାଇଁ ପୁଲିସ୍, ଡାକ୍ତରଖାନା, ଆର୍ଟିଓ ଓ ବୀମା କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ଲୋକ ନୟାନ୍ତ ହୁଅନ୍ତି। ଆଜି ଠାରୁ ଏହି ପରିସ୍ଥିତିରୁ ବି ନିସ୍ତାର ମିଳିଛି। ‘ରୋଡ୍ ଆକ୍ସିଡେଣ୍ଟ୍ ଡକୁମେଣ୍ଟ୍ ମଡ୍ୟୁଲ୍’ ମାଧ୍ୟମରେ ଏହି କାର୍ଯ୍ୟ ସହଜ ହେବ। ରାସ୍ତା ଦୁର୍ଘଟଣାର ଶିକାର ହେଲେ ଡାକ୍ତରୀ ପରୀକ୍ଷା ରିପୋର୍ଟ ପାଇଁ ବି ଆଉ ଥାନା ଓ ଡାକ୍ତରଖାନାରେ ଚକ୍କର କାଟିବାକୁ ପଡ଼ିବନି। ଏହି ରିପୋର୍ଟ ବି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅନ୍ଲାଇନ୍ରେ ମିଳିଯିବ। ‘ମେଡିକୋ ଲିଗାଲ୍ ଓପିନିଅନ୍ ସିଷ୍ଟମ୍’ ମାଧ୍ୟମରେ ଏହି ବ୍ୟବସ୍ଥା ସୁରୁଖୁରୁରେ ଚାଲିବ।
ରାଜ୍ୟ ସରକାରଙ୍କ ୫-ଟି ଅଭିଯାନରେ ଓଡ଼ିଶା ପୁଲିସ୍ର ଏହି ତିନିଟି ଗୁରୁତ୍ବପୂର୍ଣ୍ଣ ସେବା ଯୋଡ଼ି ହୋଇଛି। ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତିନିଟି ସେବାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ମୋ ସରକାର ୫-ଟି ଅଧୀନରେ ରାଜ୍ୟବାସୀଙ୍କୁ ନାଗରିକ କେନ୍ଦ୍ରିକ ଶାସନ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଆଜିର ତିନିଟି ସେବା ଦ୍ବାରା ଏଣିକି ଲୋକଙ୍କୁ ଅଯଥାରେ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ‘ଭର୍ଚୁଆଲ୍ ପୁଲିସ୍ ଷ୍ଟେସନ୍’ ବ୍ୟବସ୍ଥା ଅନୁଯାୟୀ ଏହା ଏକ ଅନ୍ଲାଇନ୍ ବ୍ୟବସ୍ଥା। ଭୁବେନଶ୍ବରରେ କ୍ରାଇମ୍ ରେକର୍ଡ ବ୍ୟୁରୋରେ ଏହା କାର୍ଯ୍ୟ କରିବ। ଗାଡ଼ି ଚୋରି ହୋଇଗଲେ ଗାଡ଼ି ମାଲିକଙ୍କୁ ଆଉ ଥାନାକୁ ଯାଇ ଏତଲା ଦେବାକୁ ପଡ଼ିବନି। ନିଜ ମୋବାଇଲ୍ ଯୋଗେ ଅନ୍ଲାଇନ୍ରେ ପୁଲିସ୍କୁ ଅଭିଯୋଗ ପଠାଇ ପାରିବେ। ପୁଲିସ୍ ଅନ୍ଲାଇନ୍ରେ ହିଁ ଏତଲାକୁ ପଞ୍ଜୀକରଣ କରି ତଦନ୍ତ କରିବ। ଚୋରି ଗାଡ଼ିର ସନ୍ଧାନ ନ ମିଳିଲେ ୨୧ ଦିନ ପରେ ଚୂଡ଼ାନ୍ତ ଫର୍ମ ସିସିଟିଏନ୍ଏସ୍ରେ ଜେନେରେଟ୍ ହେବ। ମୋଟର୍ ସାଇକେଲ୍ ଚୋରି କ୍ଷେତ୍ରରେ ବୀମା ଦାବି ପାଇଁ ଏହା ସହାୟକ ହେବ। ଜଣେ ବ୍ୟକ୍ତି ଚାହିଁଲେ ସିଟିଜେନ୍ସ୍ ପୋର୍ଟାଲ୍ କିମ୍ବା ସହାୟତା ମୋବାଇଲ୍ ଆପ୍ ଜରିଆରେ ମଧ୍ୟ ଏତଲା ଦେଇପାରିବେ।
ଲୋକାର୍ପଣ ଉତ୍ସବରେ ୫-ଟି ସଚିବ ଭି କେ ପାଣ୍ଡିଆନ୍ ଉପସ୍ଥିତ ରହି ପୁଲିସ୍ ବିଭାଗରେ ହେଉଥିବା ପରିବର୍ତ୍ତନକୁ ପ୍ରଶଂସା କରିଥିଲେ। ପୁଲିସ୍ କାର୍ଯ୍ୟକଳାପ ଉପରେ ସରକାର ଭଲ ମତାମତ ପାଉଛନ୍ତି। ଡାକ୍ତରଖାନା ଓ ଆର୍ଟିଓ ଅଫିସ୍ରୁ ଦଲାଲମାନେ ହଟିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ। ଭିଡିଓ କନ୍ଫରେନ୍ସିଂ ଯୋଗେ ସେ କିଛି ଜିଲ୍ଲାର ଏସ୍ପିଙ୍କ ସହ କଥା ହୋଇ ଆଜି ଆରମ୍ଭ ହୋଇଥିବା ତିନିଟି ପ୍ରକଳ୍ପ ଉପରେ ମତାମତ ନେଇଥିଲେ। ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିଲେ। ପୁଲିସ୍ ଡିଜି ଅଭୟ ତିନିଟି ପ୍ରକଳ୍ପ ଉପରେ ସୂଚନା ଦେଇଥିଲେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ଉନ୍ନୟନ କମିସନର୍ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।