Odisha news

ତିନିଦିନର ଲଗାଣ ବର୍ଷା ପରେ ପାଣିପାଗରେ ଅଚାନକ ପରିବର୍ତ୍ତନ, ପ୍ରବଳ ବର୍ଷା ପରେ ବଦଳିଲା ପାଗ

0
ବାଲିଗୁଡ଼ା, ୩୧/୧୦ :(ସଞ୍ଜୟ କୁମାର ପାଣିଗ୍ରାହୀ ): ତିନିଦିନ ଧରି ଲଗାଣ ବର୍ଷା, ବନ୍ୟା ଓ ବାତ୍ୟାର ପ୍ରଭାବରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା କନ୍ଧମାଳ ଜିଲ୍ଲାର ପାଗରେ ଶନିବାର ଅଚାନକ ପରିବର୍ତ୍ତନ ଦେଖାଦେଇଛି। ବାଲିଗୁଡ଼ା ଅଞ୍ଚଳରେ ଶନିବାର ପ୍ରତ୍ୟୁଷରୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିବା ବେଳେ ସକାଳ ବଢ଼ିବା ସହ କୁହୁଡ଼ି ଧୀରେ ଧୀରେ ହଟିଯାଇଥିଲା। ଏହାପରେ ଦିନ ତମାମ ପ୍ରବଳ ଖରା ସାଙ୍ଗକୁ ଗରମ ଅନୁଭୂତ ହୋଇଥିଲା। ଗତ କିଛିଦିନ ଧରି ମେଘୁଆ ପାଗ, ଝିପିଝିପି ବର୍ଷା ଓ ଥଣ୍ଡା ପବନ ଯୋଗୁଁ ଅଞ୍ଚଳରେ ଶୀତଳ ପରିବେଶ ରହିଥିଲା। ମାତ୍ର ଶନିବାର ସକାଳୁ ପାଗର ଏଭଳି ଅପ୍ରତ୍ୟାଶିତ ପରିବର୍ତ୍ତନ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ସକାଳେ ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଦୃଶ୍ୟମାନତା କମିଯାଇଥିବାବେଳେ ଯାନବାହନ ଚାଳକମାନେ ସତର୍କତାର ସହ ଯାତାୟାତ କରୁଥିବା ଦେଖାଯାଇଥିଲା। ବିଶେଷକରି ସକାଳୁ ଯାତାୟାତ କରୁଥିବା ଦୁଇଚକିଆ ଓ ଚାରିଚକିଆ ଯାନ ଚାଳକମାନେ ହେଡ୍‌ଲାଇଟ୍‌ ଜଳାଇ ଧୀର ଗତିରେ ଯାତ୍ରା କରିଥିଲେ। ଅନ୍ୟପକ୍ଷରେ ଦିନବେଳା ପ୍ରଖର ସୂର୍ଯ୍ୟକିରଣ ଓ ଗରମ ଯୋଗୁଁ ଲୋକଙ୍କୁ ପୁଣି ଗ୍ରୀଷ୍ମ ଋତୁର ଅନୁଭୂତି ହୋଇଥିଲା। ତିନିଦିନର ବର୍ଷା ଓ ବାତ୍ୟା ପରବର୍ତ୍ତୀ ସମୟରେ ଗୋଟିଏ ଦିନରେ କୁହୁଡ଼ି, ଖରା ଓ ଗରମର ଏଭଳି ପରିବର୍ତ୍ତିତ ରୂପ ବାଲିଗୁଡ଼ାବାସୀଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି।
Ad2
Leave A Reply