୧୩୯ ତମ ‘ମନ୍ କି ବାତ୍’ , ସମୃଦ୍ଧ ଓଡ଼ିଶା ଏବଂ “ବିକଶିତ ଭାରତ’ ଗଠନରେ ମୋଦିଜୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ ଗୁରୁତ୍ୱ ରଖିବ: ମୋହନ ଚରଣ ମାଝୀ
ଭୁବନେଶ୍ୱର, ତା.୨୫/୧୦: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ “ମନ୍ କି ବାତ୍” ରେଡିଓ କାର୍ଯ୍ୟକ୍ରମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ପ୍ରତି ମାସର ଶେଷ ରବିବାରରେ ପ୍ରସାରିତ ହେଉଥିବା ଏହି କାର୍ଯ୍ୟକ୍ରମ ଯୁବବର୍ଗଙ୍କ ମନରେ କିଛି ନୂଆ କରିବା ପାଇଁ ଆଗ୍ରହ ସୃଷ୍ଟି କରୁଛି । କେବଳ ଯୁବବର୍ଗ ନୁହନ୍ତି, ପଛୁଆ ଓ ଆଦିବାସୀ ଅଂଚଳରେ ଯେଉଁ ବ୍ୟକ୍ତିମାନେ ନିଜ ଅଧ୍ୟବସାୟ ବଳରେ ସଫଳତା ହାସଲ କରିଛନ୍ତି ସେମାନଙ୍କ ସଫଳତାକୁ ମୋଦିଜୀ ଏହି କାର୍ଯ୍ୟକ୍ରମ ଜରିଆରେ ଲୋକଲୋଚନକୁ ଆଣିପାରୁଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ମୋଦିଜୀଙ୍କ ୧୩୯ତମ “ମନ୍ କି ବାତ” କାର୍ଯ୍ୟକ୍ରମ ଶୁଣିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏହି କାର୍ଯ୍ୟକ୍ରମ “ସମୃଦ୍ଧ ଓଡ଼ିଶା’ ଏବଂ “ବିକଶିତ ଭାରତ’ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୧୩୭ ତମ “ମନ କି ବାତ” ଅଧ୍ୟାୟକୁ ମନେପକାଇ କହିଛନ୍ତି ଯେ, ଓଡ଼ିଶାର ସମ୍ବଲପୁରସ୍ଥିତ ଡେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଂଚଳର ଜଣେ ଆଦିବାସୀ ମହିଳା ମୈଥିଳୀଙ୍କ ପରିବେଶ ସୁରକ୍ଷା ଓ ଆତ୍ମନିର୍ଭରଶୀଳତାର ଉଦ୍ୟମକୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଜୀ ସ୍ୱୀକୃତି ଦେଇଥିଲେ । ଏହା ଯୁବଶକ୍ତି ଏବଂ ଅନ୍ୟସବୁ ବର୍ଗର ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇଛି ।
ଆଜିର “ମନ୍ କି ବାତ” କାର୍ଯ୍ୟକ୍ରମ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ମୋଦିଜୀଙ୍କ ଆହ୍ୱାନରେ ସ୍ୱଚ୍ଛତା ଆଜି ସାରା ଦେଶରେ ଏକ ବଡ଼ ଆନେ୍ଦାଳନରେ ପରିଣତ ହୋଇଛି ଏବଂ ଯୁବସମାଜ ଏହାକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଭୋକାଲ୍ ଫର ଲୋକାଲ୍ରେ ସ୍ୱଦେଶୀ ଉତ୍ପାଦକୁ ମୋଦିଜୀ ଗୁରୁତ୍ୱାରୋପ କରିଛନ୍ତି । ସେହିପରିି ଏସଏଚ୍ଜି ଓ ମହିଳାମାନଙ୍କ ଗୋଷ୍ଠୀଗତ ଉଦ୍ୟମ ଏବଂ ସେଗୁଡ଼ିକର ଉପଯୁକ୍ତ ମାର୍କେଟିଂ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି । ମହାରାଷ୍ଟ୍ରର ଆଦିବାସୀ ମହିଳାମାନଙ୍କ ଦ୍ୱାରା ପରିଚାଳିତ ‘ଶବରୀ ନ୍ୟାଚୁରାଲ୍ସ’ ଏବଂ କର୍ଣ୍ଣାଟକର ଉଦାହରଣ ଦେଇ ଉତ୍ପାଦର ଉନ୍ନତ ପ୍ୟାକେଜିଂ କିଭଳି ବଜାର ସୃଷ୍ଟି ଓ ରୋଜଗାର ବୃଦ୍ଧିରେ ସହାୟକ ହୋଇପାରିଛି, ସେବିଷୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିଛନ୍ତି । ଆଧୁନିକ ଟେକ୍ନୋଲୋଜି ଜରିଆରେ କିପରି ସମସ୍ୟାର ସମାଧାନ କରାଯାଇପାରିବ ସେବିଷୟରେ ମୋଦିଜୀ “ମନ କି ବାତ” କାର୍ଯ୍ୟକ୍ରମରେ ବିଶେଷ ଗୁରୁତ୍ୱ ଦେଇଥିଲେ । ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କିପରି ଏହି ଟେକ୍ନୋଲୋଜିର ବ୍ୟବହାର କରାଯାଇପାରିବ ତାହାର ଉଦାହରଣ ଦେବାକୁ ଯାଇ “ଇ-ସଞ୍ଜୀବନୀ” ବିଷୟରେ କହିଥିଲେ । ସୁଦୂର ଆଣ୍ଡାମାନ-ନିକୋବର ଏବଂ ଲକ୍ଷାଦ୍ୱୀପ ଭଳି ଦୁର୍ଗମ ଅଂଚଳରେ ‘ଇ-ସଞ୍ଜୀବନୀ’ ମାଧ୍ୟମରେ ଲୋକଙ୍କୁ ଡାକ୍ତରୀ ପରାମର୍ଶ ଓ ଔଷଧ ଯୋଗାଇ ସୁସ୍ଥ କରାଯିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଏହା ଦେଶର ଡିଜିଟାଲ୍ ସ୍ୱାସ୍ଥ୍ୟସେବା ବିପ୍ଳବର ଏକ ଉକୃୃଷ୍ଟ ଉଦାହରଣ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ଆଇଆଇଟି ମାଡ୍ରାସ (ଚେନ୍ନାଇ) ଦ୍ୱାରା ବିକଶିତ ଅତ୍ୟାଧୁନିକ ଥ୍ରୀଡି ବ୍ରେନ୍ ଇମେଜିଂ ପ୍ରଯୁକ୍ତିବିଦ୍ୟା କିପରି ବିଶ୍ୱରେ ପ୍ରଥମ ଥର ପାଇଁ ମାନବ ମସ୍ତିଷ୍କ ସ୍କାନିଂ କ୍ଷେତ୍ରରେ ସଫଳତା ଆଣିଛି ସେ ବିଷୟରେ ମୋଦିଜୀ ବିସ୍ତୃତଭାବେ ଭାରତବାସୀ ଓ ବିଶ୍ୱବାସୀଙ୍କୁ ଅବଗତ କରାଇଛନ୍ତି । ଏହାଦ୍ୱାରା ଯୁବବର୍ଗ ମଧ୍ୟରେ ଏହି କାର୍ଯ୍ୟ ପାଇଁ ଆଗ୍ରହ ସୃଷ୍ଟି ହୋଇଛି । ମୃତୁ୍ୟ ପରେ ଅଙ୍ଗଦାନ ବିଷରେ ଗୁରୁତ୍ୱାରୋପ କରି ମୋଦିଜୀ ସମଗ୍ର ମାନବ ସମାଜକୁ ଏକ ବଡ଼ ଦିଗ୍ଦର୍ଶନ ଦେଇଛନ୍ତି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ‘ଫାଦର୍ ଅଫ୍ ଫାଇବର ଅପ୍ଟିକ୍ସ’ ଭାବେ ପରିଚିତ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ନରେନ୍ଦ୍ର ସିଂହ କପାନୀଙ୍କ ଅବଦାନକୁ ସ୍ମରଣ କରି ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ମିଲେଟ୍ର ଗୁରୁତ୍ୱ ଉଲ୍ଲେଖ କରିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ମିଲେଟ୍ ଚାଷ କ୍ଷେତ୍ରରେ ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ । ରାଜ୍ୟ ସରକାର ଚାଷୀମାନଙ୍କୁ ଏମ୍ଏସ୍ପି ଏବଂ ଇନ୍ପୁଟ୍ ସହାୟତା ପ୍ରଦାନ କରୁଛନ୍ତି । ଆଗାମୀ ନଭେମ୍ବର ୧୦ ତାରିଖରେ ଓଡ଼ିଶା ସରକାର ‘ମାଣ୍ଡିଆ ଦିବସ’ ପାଳନ କରିବାକୁ ଯାଉଛନ୍ତି । ଦକ୍ଷିଣ ଓଡ଼ିଶାର କୋରାପୁଟଠାରୁ ଆରମ୍ଭ କରି ପଶ୍ଚିମର ସମ୍ବଲପୁର, ବରଗଡ଼, କନ୍ଧମାଳ ଏବଂ ଉତର ଓଡ଼ିଶାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ପର୍ଯ୍ୟନ୍ତ ବ୍ୟାପକ ଭାବେ ମାଣ୍ଡିଆ ଚାଷ ହେଉଛି । ଯେଉଁ ଖାଦ୍ୟ ଦିନେ ଗରିବଙ୍କ ଆହାର ଥିଲା, ଆଜି ତାହା ଉନ୍ନତ ପ୍ରକ୍ରିୟାକରଣ (ବିସ୍କୁଟ୍, କୁକିଜ୍ ଇତ୍ୟାଦି) ମାଧ୍ୟମରେ ତାରକା ହୋଟେଲଗୁଡ଼ିକରେ ସ୍ଥାନ ପାଇଛି । ଏହାଦ୍ୱାରା ଆଦିବାସୀ ଓ ପଛୁଆ ବର୍ଗର ଚାଷୀମାନେ ଉପକୃତ ହେବା ସହ ସେମାନଙ୍କ ମଧ୍ୟରେ ଏହି ଚାଷ ପାଇଁ ଆଗ୍ରହ ବୃଦ୍ଧି ପାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏହି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ସମାଜ ଓ ଯୁବବର୍ଗଙ୍କୁ ଆଗକୁ ବଢ଼ାଇବା ସହ ନୂତନ ଉଦ୍ଭାବନ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଧନ୍ୟବାଦ ଜଣାଇଛନ୍ତି ।
ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ଶ୍ରୀ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂ ଦେଓ, ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ କାର୍ଯ୍ୟାଳୟରେ “ମନ କି ବାତ” କାର୍ଯ୍ୟକ୍ରମ ଶୁଣିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ବିଧାୟକ ଶ୍ରୀ ନବୀନ ଜୈନ୍, ଶ୍ରୀ ଓମ୍ ପ୍ରକାଶ ମିଶ୍ର, ରାଜ୍ୟ ଉପସଭାପତି ଶ୍ରୀ ଅଶୋକ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସାରଦା ଶତପଥୀ, ଶ୍ରୀ ବିରିଂଚି ନାରାୟଣ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଅଜୟ କୁମାର ଅଗ୍ରୱାଲ, ରାଜ୍ୟ ସ୍ୱଚ୍ଛଭାରତ ସଂଯୋଜକ ଶ୍ରୀ ମହେଶ୍ୱର ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
