ବାଲିଗୁଡ଼ା, ତା, ୨୫/୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶରେ ବାଲିଗୁଡ଼ାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳର ଆରାଧ୍ୟା ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସର ସ୍ଥିତ ଦୁର୍ଗା ମଣ୍ଡପରେ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଭକ୍ତିପୂତ ପରିବେଶରେ ପାଳିତ ହୋଇଛି। ଏହି ଅବସରରେ ମା’ ଗଜଲକ୍ଷ୍ମୀଙ୍କୁ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ଧନ, ଐଶ୍ୱର୍ଯ୍ୟ, ସୁଖ ଓ ସମୃଦ୍ଧିର ଦେବୀଙ୍କ ନିକଟରେ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରାଯାଇଥିଲା। ସମଗ୍ର ମନ୍ଦିର ପରିସର ଆଲୋକ ମାଳାରେ ଝଲସୁଛି l ପୂଜାରେ ରଞ୍ଜିତ କୁମାର ମହାନ୍ତି ଓ ସାଗରିକା ମହାନ୍ତି କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଖଟିଆ ରାମଚନ୍ଦ୍ରପୁର ଶାସନର ଚିନ୍ମୟ ଶତପଥୀ ଓ ଅଜିତ ଶତପଥୀ ପୁରୋହିତ ଓ ପୂଜକ ଭାବେ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ଧାର୍ମିକ ଭାବନା ଓ ପରମ୍ପରାର ମହକରେ ମା’ଙ୍କ ଆରାଧନା ମାଧ୍ୟମରେ ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ମଙ୍ଗଳମୟ ପରିବେଶ କାମନା କରାଯାଇଥିଲା। ଏଥିରେ ସମିତି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l
