Odisha news

ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ଅତ୍ୟନ୍ତ ଗୌରବମୟ ଦିନ: ଶ୍ରୀ ମନମୋହନ ସାମଲ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ନିରବଚ୍ଛିନ୍ନ ନେତୃତ୍ୱକୁ ଅଭିନନ୍ଦନ ଜଣାଇ କେନ୍ଦ୍ର କ୍ୟାବିନେଟ୍ ରେ ସଂକଳ୍ପ ପାରିତ  ଆସନ୍ତା କାଲି ଦେଶର ୭୫୦ ଜିଲ୍ଲା ମୁଖ୍ୟାଳୟରେ ‘‘ବିକଶିତ ଭାରତ ସଂକଳ୍ପ ସଭା’’ଅନୁଷ୍ଠିତ ହେବ

0

ଭୂବନେଶ୍ୱର, ତା.୦୬/୧୦: ସରକାରଙ୍କ ମୁଖ୍ୟ ଭାବରେ ନିରବଚ୍ଛିନ୍ନ ୨୫ ବର୍ଷର ଗୌରବମୟ ନେତୃତ୍ୱ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଅଭିନନ୍ଦନ ଜଣାଇ ଏକ ଐତିହାସିକ ସଂକଳ୍ପ ପାରିତ କରିଛି । ଏହି ସଂକଳ୍ପ କେବଳ ଏକ ଆନୁପାତିକ ଶ୍ରଦ୍ଧାଞ୍ଜଳି ନୁହେଁ, ବରଂ “ରାଷ୍ଟ୍ର ପ୍ରଥମ’ ଏବଂ “ନାଗରିକ ପ୍ରଥମ’ ନୀତି ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଅସାଧାରଣ ଯାତ୍ରାକୁ ଉତ୍ସବ ଭାବେ ପାଳନ କରେ । ଗୁଜରାଟରେ ତିନୋଟି ପୂର୍ଣ୍ଣ ବହୁମତ ଏବଂ କ୍ରମାଗତ ତିନୋଟି ଲୋକସଭା ନିର୍ବାଚନରେ ଜନସାଧାରଣଙ୍କ ସମର୍ଥନ, ମୋଦୀଜୀଙ୍କ ଉପରେ ଦେଶବାସୀଙ୍କ ନିରନ୍ତର ବିଶ୍ୱାସର ପ୍ରତୀକ । ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶାସନ ଭାର ଗ୍ରହଣ କରିବାଠାରୁ ଆରମ୍ଭ କରି ଆଜି ଦେଶର ପ୍ରଧାନମନ୍ତ୍ରୀ ଭାବେ ଭାରତକୁ ନୂତନ ଉଚ୍ଚତାକୁ ନେବା ପର୍ଯ୍ୟନ୍ତ ତାଙ୍କ ନେତୃତ୍ୱର ୧୦ଟି ମୁଖ୍ୟ କାର୍ଯ୍ୟକୁ କେନ୍ଦ୍ର କ୍ୟାବିନେଟର ସଂକଳ୍ପରେ ସ୍ଥାନିତ କରାଯାଇଛି । ଆଜି ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ଅତ୍ୟନ୍ତ ଗୌରବମୟ ଦିନ ବୋଲି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଗୁଜରାଟର “ସ୍ୱାଗତ’ ଜନ-ଅଭିଯୋଗ ଶୁଣାଣି ବ୍ୟବସ୍ଥା ଏବଂ ଦେଶର ପ୍ରଧାନମନ୍ତ୍ରୀତ୍ୱ ସମୟରେ କେନ୍ଦ୍ରରେ “ପ୍ରଗତି’ ମାଧ୍ୟମରେ ଦେଶର ଅଟକି ରହିଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାରେ ବଡ଼ ଭୂମିକା ଗ୍ରହଣ କରିଛି । ସେହିପରି “ଜ୍ୟୋତିଗ୍ରାମ’ ଯୋଜନା ଆଜି ସାରା ଦେଶ ପାଇଁ ଏକ ମଡେଲ ପାଲଟିଛି । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଅନୁଭୂତି କାରଣରୁ ଆଜି ୬୦ କୋଟି ଜନଧନ ଆକାଉଣ୍ଟ, ୪ କୋଟିରୁ ଅଧିକ ପକ୍କା ଘର ଏବଂ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରି ପରିବାରଗୁଡ଼ିକୁ ସମ୍ମାନର ସହ ଜୀବନଜାପନ କରିବାର ସୁଯୋଗ ଦେଇଛି । ଦେଶରେ ୩.୫ କୋଟି “ଲକ୍ଷପତି ଦିଦି’, “ନାରୀଶକ୍ତି ବନ୍ଦନ ଅଧିନିୟମ’ ମାଧ୍ୟମରେ ମହିଳା ସଂରକ୍ଷଣ, ପିଏମ-କିଷାନ ମାଧ୍ୟମରେ ୪ ଲକ୍ଷ କୋଟିରୁ ଅଧିକ ଟଙ୍କାର କୃଷକ ସହାୟତା ଏବଂ ପିଏମ-ଜନମନ ମାଧ୍ୟମରେ ଅତି ଦୁର୍ବଳ ଜନଜାତି ସମ୍ପ୍ରଦାୟ ନିକଟରେ ବିକାଶ ପହଞ୍ଚାଯାଇପାରିଛି । ରାଜନୈତିକ କ୍ଷତିର ଭୟ ସତ୍ତ୍ୱେ ଜିଏସଟି ଲାଗୁ କରିବା, କଲ୍ୟାଣକାରୀ ଯୋଜନାରେ ସଂସ୍କାର ଏବଂ ପୁରୁଣା ଉପନିବେଶବାଦୀ ଆଇନର ପ୍ରତ୍ୟାହାର ମୋଦୀଜୀଙ୍କ ଦୃଢ଼ ଇଚ୍ଛାଶକ୍ତିର ପ୍ରମାଣ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ସେହିପରି ମୋଦିଜୀ ପ୍ରଧାନମନ୍ତ୍ରୀ ହେବା ପରେ ସରକାରୀ ପୁଞ୍ଜି ବ୍ୟୟ ୨ ଲକ୍ଷ କୋଟିରୁ ୧୨ ଲକ୍ଷ କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି ପାଇଛି । ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୧୩ ଲକ୍ଷ କୋଟି ଟଙ୍କା ଟପିଛି । ପ୍ରତିରକ୍ଷା ଉତ୍ପାଦନ ଓ ସେମିକଣ୍ଡକ୍ଟର ନିର୍ମାଣ ଭାରତକୁ ସ୍ୱାବଲମ୍ବୀ କରିଛି । ଜନଧନ, ଆଧାର, ମୋବାଇଲ୍ ଓ ୟୁପିଆଇ ମାଧ୍ୟମରେ ଡିଜିଟାଲ୍ ବିପ୍ଳବ, ସ୍ୱଦେଶୀ କୋଭିଡ୍ ଟୀକା୍, ଚନ୍ଦ୍ରଯାନ-୩ର ସଫଳତା, ଏବଂ ଏଆଇ, କ୍ୱାଣ୍ଟମ୍ ଟେକ୍ନୋଲୋଜି ଓ ମହାକାଶ କ୍ଷେତ୍ରରେ ଘରୋଇ ଭାଗୀଦାରୀ ଭାରତକୁ ବିଶ୍ୱର ପ୍ରଯୁକ୍ତିବିଦ୍ୟା କେନ୍ଦ୍ରରେ ପରିଣତ କରିଛି । ବୈଶ୍ୱିକ କୋଭିଡ୍ ମହାମାରୀ ସମୟରେ ବିଶ୍ୱର ବୃହତ୍ତମ ଟିକାକରଣ ଅଭିଯାନ ଏବଂ ପଶ୍ଚିମ ଏସିଆ ସଙ୍କଟ ସମୟରେ ସମୟୋପଯୋଗୀ ଶକ୍ତି ସୁରକ୍ଷା ପଦକ୍ଷେପ ଦେଶକୁ ଆତ୍ମବିଶ୍ୱାସ ଦେଇଛି । ୨୦୧୬ ସର୍ଜିକାଲ୍ ଷ୍ଟ୍ରାଇକ୍, ୨୦୧୯ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍, ୨୦୨୫ ଅପରେସନ୍ ସିନ୍ଦୂର, ଧାରା ୩୭୦ ଉଚ୍ଛେଦ, ଓଆରଓପି ଏବଂ ସିଡିଏସ ପଦବୀ ସୃଷ୍ଟି ଜାତୀୟ ସୁରକ୍ଷାରେ ଏକ ନୂତନ ସୀମାରେଖା ସ୍ଥାପନ କରିଛି । ଜି-୨୦ ଏବଂ ବ୍ରିକ୍ସ ସମ୍ମିଳନୀରେ ସହମତି, ଗ୍ଲୋବାଲ ସାଉଥ୍ ଓ ଆଫ୍ରିକୀୟ ୟୁନିଅନ୍କୁ ସାମିଲ କରିବା, ଏବଂ “ଭାକ୍ସିନ୍ ମୈତ୍ରୀ’ ଦ୍ୱାରା ଭାରତର ପ୍ରଭାବ ବିଶ୍ୱ ସ୍ତରରେ ବୃଦ୍ଧି ପାଇଛି । ମୋଦିଜୀଙ୍କୁ ୩୬ଟି ଦେଶରୁ ମିଳିଥିବା ସର୍ବୋଚ୍ଚ ସମ୍ମାନ ଏହାର ପ୍ରମାଣ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ମୋଦିଜୀଙ୍କ ନେତୃତ୍ୱରେ ଗୁଜରାଟର ଜଳବାୟୁ ବିଭାଗରୁ ଆରମ୍ଭ କରି ସୌର ଶକ୍ତି ସମ୍ପ୍ରସାରଣ, ଯୋଗ, ମିଲେଟ୍ସ, କାଶୀ ବିଶ୍ୱନାଥ ଧାମ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମାଧ୍ୟମରେ ସାଂସ୍କୃତିକ ଗୌରବକୁ ପୁନଃପ୍ରତିଷ୍ଠା କରାଯାଇଛି । ଏହି ସଂକଳ୍ପ କେବଳ ଗୋଟିଏ କାର୍ଯ୍ୟକାଳର ହିସାବ ନୁହେଁ, ବରଂ ୨୦୪୭ ସୁଦ୍ଧା ଏକ ସମୃଦ୍ଧ, ଆତ୍ମନିର୍ଭର ଏବଂ ବିକଶିତ ଭାରତ ଗଠନ ପାଇଁ ଆମ ସମସ୍ତଙ୍କର ପୁନଃ-ସଂକଳ୍ପବଦ୍ଧ ହେବାର ପ୍ରେରଣା ଯୋଗାଉଛି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନ ଓ ଜନସେବାର ସଫଳ ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା କାଲି ଅକ୍ଟୋବର ୭ ତାରିଖ ଦିନ ଦେଶର ୭୫୦ ଜିଲ୍ଲା ମୁଖ୍ୟାଳୟରେ ‘‘ବିକଶିତ ଭାରତ ସଂକଳ୍ପ ସଭା’’ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୪୦ କୋଟି ଦେଶବାସୀଙ୍କ ସହ ସିଧାସଳଖ ବାର୍ତ୍ତାଳାପ କରିବେ । ଓଡ଼ିଶାରେ ୩୧ ଟି ରାଜସ୍ୱ ଜିଲ୍ଲା ସହ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କ ସହ କଥା ହେବେ ମୋଦିଜୀ । ବିଭିନ୍ନ କେନ୍ଦ୍ରୀୟ ଯୋଜନା, ଯାହା ଲୋକଙ୍କ ଜୀବନକୁ ଉନ୍ନତ କରିଛି ତାହାକୁ ନେଇ ଆଲୋଚନା କରିବେ । ଖୋର୍ଦ୍ଧାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ । ସେହିଭଳି ଅନ୍ୟ ସମସ୍ତ ଜିଲ୍ଲାରେ ଗୁଡିକରେ ରାଜ୍ୟର ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳ ସମସ୍ତ ମନ୍ତ୍ରୀ, ସାଂସଦଙ୍କ ଏବଂ ବିଧାୟକମାନେ ସାମିଲ ହେବେ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ତଥା ରାଜ୍ୟ ପ୍ରକୋଷ୍ଟ ସମୁହ ସହ ସଂଯୋଜକ ଶ୍ରୀ ସୁଦୀପ୍ତ ରାୟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Ad2
Leave A Reply