Odisha news

୧୩୭ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ରାଷ୍ଟ୍ର ନିର୍ମାଣ ଓ ଯୁବଶକ୍ତି ପାଇଁ ଅସରନ୍ତି ପ୍ରେରଣାର ଉତ୍ସ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ୩୦ ଅଗଷ୍ଟ ୨୦୨୬ , ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୧୩୭ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନକୁ ଦେଶବାସୀଙ୍କ ପାଇଁ ପ୍ରେରଣାର ଅସରନ୍ତି ଉତ୍ସ ଭାବେ କହିଛନ୍ତି ।

ମନ୍ କି ବାତ୍ କାର୍ଯ୍ୟକ୍ରମ ଦେଖିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାକୁ ଯଥେଷ୍ଟ ଗୁରୁତ୍ୱ ମିଳିଛି। ଓଡ଼ିଶାର ଇତିହାସ, ପ୍ରାକୃତିକ ପରିବେଶ, କଳା ଓ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଓଡ଼ିଆ ଲୋକଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖକୁ ଆଣିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ସ୍ପଟ୍ ଲାଇଟ ସେମାନଙ୍କୁ ରାଷ୍ଟ୍ର ନିର୍ମାଣ ପାଇଁ ପ୍ରୋତ୍ସାହିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଆଜିର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ଐତିହ୍ୟ ଓ ଜନଶକ୍ତିର ଉଲ୍ଲେଖ ଦେଖିବାକୁ ମିଳିଛି। ଆଜିର ମନ୍ କି ବାତ୍ ରେ ମୁମ୍ବାଇର କୃଷ୍ଣା ଶେଷାଦ୍ରି ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଓଡ଼ିଶାର ପ୍ରସିଦ୍ଧ ଭୌମକର ବଂଶର ରାଣୀ ତ୍ରିଭୁବନ ମହାଦେବୀଙ୍କ ପରି ଐତିହାସିକ ଚରିତ୍ର ସହ କଥା ହେବାର ଇଚ୍ଛା ପ୍ରକାଶ କରିଛନ୍ତି। ଏହାଦ୍ୱାରା ଓଡ଼ିଶାର ଗୌରବମୟ ଇତିହାସ ଜାତୀୟ ସ୍ତରରେ ପୁନର୍ଜୀବିତ ହୋଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିସହିତ, ଦେବ୍ରୀଗଡ଼ ଅଭୟାରଣ୍ୟ ନିକଟସ୍ଥ ଧୋଡ୍ରୋକୁସୁମ ଗ୍ରାମର ମୈଥିଳୀ ଭୂଏଙ୍କ ଭଳି ଗ୍ରାମୀଣ ମହିଳାମାନଙ୍କ ପରିବେଶ ସୁରକ୍ଷା ଓ ଆତ୍ମନିର୍ଭରଶୀଳତାର କାହାଣୀ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି। ପୂର୍ବରୁ ଜଙ୍ଗଲ ଉପରେ ନିର୍ଭରଶୀଳ ଥିବା ମୈଥିଳୀ ଆଜି ଇକୋ-ଟୁରିଜିମ୍ ସହ ଯୋଡ଼ିହୋଇ ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଆଜି ପ୍ରାୟ ୬୦ ଜଣ ମହିଳା ଏହି ସ୍ୱାବଲମ୍ବନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇ ସଫଳତା ହାସଲ କରୁଥିବା ଆମର ଯୁବବର୍ଗ ଅନେକ ସମୟରେ ଜାତୀୟ ସ୍ତରରେ ଲୋକଲୋଚନକୁ ଆସିପାରି ନଥାନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସେମାନଙ୍କର ଏହି ନିଷ୍ଠାପର ଉଦ୍ୟମ, ତ୍ୟାଗ ଓ ସଫଳତାକୁ ସାଉଁଟି ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରୁଛନ୍ତି, ଯାହା ସମଗ୍ର ସମାଜ ପାଇଁ ଏକ ନୂତନ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରୁଛି।

ଆତ୍ମ ନିର୍ଭର ଭାରତ ଗଠନ ପାଇଁ ଯୁବଶକ୍ତିର ସକ୍ରିୟ ସହଯୋଗ ଓ ସଠିକ୍ ମାର୍ଗଦର୍ଶନ ଅତ୍ୟନ୍ତ ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ କାର୍ଯ୍ୟ, ବକ୍ତବ୍ୟ ଓ ଚିନ୍ତାଧାରା କେବଳ ରାଷ୍ଟ୍ର ନିର୍ମାଣ ଉଦ୍ଦେଶ୍ୟରେ ସମର୍ପିତ। ଯୁବ ପ୍ରତିଭାମାନଙ୍କୁ ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରି ସେ ସେମାନଙ୍କୁ ବିକଶିତ ଭାରତ ନିର୍ମାଣରେ ଭାଗିଦାର ହେବାକୁ ଉତ୍ସାହିତ କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଦେଖାଇଥିବା ବିକାଶ ଓ ସ୍ୱାବଲମ୍ବନର ମାର୍ଗରେ ଅଗ୍ରସର ହୋଇ ଏକ ଆତ୍ମନିର୍ଭର ଥତା ବିକଶିତ ଭାରତ ଗଠନ ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମସ୍ତ ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି ।

Nalco
Leave A Reply