ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ପକ୍ଷରୁ ୮ ଜୁଲାଇ ୨୦୨୬ରେ ଓଡ଼ିଶାର ଭୁବନେଶ୍ୱରଠାରେ “ଓଡ଼ିଶାରେ ମତ୍ସ୍ୟ ଏବଂ ଜଳଜୀବ ପାଳନ କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ରୂପାୟନ” ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ ଅଧ୍ୟକ୍ଷତା କରିଥିଲେ।
ଏହି ବୈଠକରେ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବଘେଲ ଏବଂ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହା ସହିତ ଭାରତ ସରକାରଙ୍କ ମତ୍ସ୍ୟଚାଷ ବିଭାଗ, ଓଡ଼ିଶା ରାଜ୍ୟ ମତ୍ସ୍ୟଚାଷ ବିଭାଗ, ଜାତୀୟ ମତ୍ସ୍ୟଚାଷ ବିକାଶ ବୋର୍ଡ , ଆଇସିଏଆର ପ୍ରତିଷ୍ଠାନ ସମୂହ, ଏନସିଡିସିର ଅଧିକାରୀବୃନ୍ଦ ଏବଂ ପାରାଦୀପ ପୋର୍ଟ ଟ୍ରଷ୍ଟର ପ୍ରତିନିଧିମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।
ଏହି ବୈଠକ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଓଡ଼ିଶାର ପ୍ରଶଂସା କରି କହିଛନ୍ତି ଯେ, ବିବିଧ ପ୍ରକାରର ମଧୁର ଜଳ, ଲୁଣା ଜଳ ଏବଂ ସାମୁଦ୍ରିକ ମତ୍ସ୍ୟ ସମ୍ପଦକୁ ନେଇ ଓଡ଼ିଶା ଏକ ପ୍ରମୁଖ ମତ୍ସ୍ୟପାଳନ କେନ୍ଦ୍ର ଭାବେ ଉଭା ହୋଇଛି। ରାଜ୍ୟରେ ୨୦୨୫-୨୬ ବର୍ଷରେ ୧୨.୭୦ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ ହୋଇଛି। ଏହି କ୍ଷେତ୍ର ପ୍ରାୟ ୧୬ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଜୀବିକା ଯୋଗାଇ ଦେଉଛି ଏବଂ ଏହାଦ୍ୱାରା ୫,୪୨୯ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନି ସମ୍ଭବ ହୋଇପାରିଛି।
ସେ କହିଥିଲେ ଯେ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ଅଧୀନରେ ଓଡ଼ିଶାକୁ ବ୍ୟାପକ ସହାୟତା ମିଳିଛି। ଏଥିରେ ୧,୩୦୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି, ଯାହା ମାଛ ଉତ୍ପାଦନ ବୃଦ୍ଧି, ଭିତ୍ତିଭୂମି ବିକାଶ, ଆଧୁନିକ ଜ୍ଞାନକୌଶଳର ବ୍ୟବହାର, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଅମଳ ପରବର୍ତ୍ତୀ ସୁବିଧା ସୁଯୋଗ କ୍ଷେତ୍ରକୁ ସାମିଲ କରୁଛି।
କେନ୍ଦ୍ରମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ମତ୍ସ୍ୟପାଳନର ମୂଲ୍ୟଶୃଙ୍ଖଳକୁ ଅଧିକ ମଜବୁତ କରିବାକୁ ଏବଂ ମତ୍ସ୍ୟଜୀବୀ, ମାଛ ଚାଷୀ, ରପ୍ତାନିକାରୀ, ସମବାୟ ସମିତି, ମତ୍ସ୍ୟ ଚାଷୀ ଉତ୍ପାଦକ ସଂଗଠନ ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ରପ୍ତାନିର ଅପୂର୍ଣ୍ଣ ସମ୍ଭାବନାର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି। ଏହା ସହିତ ସେ ଦକ୍ଷତା ବୃଦ୍ଧି, ଆଧୁନିକ ପ୍ରକ୍ରିୟାକରଣ ଜରିଆରେ ମୂଲ୍ୟ ସଂଯୋଜନକୁ ପ୍ରୋତ୍ସାହନ ଏବଂ ବଜାରରେ ପ୍ରତିଯୋଗିତା ମନୋଭାବ ବଢ଼ାଇବା ସହ ରପ୍ତାନିର ସୁଯୋଗ ସୃଷ୍ଟି କରିବା ଏବଂ ମତ୍ସ୍ୟ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ମାଛର ପ୍ରଜାତି ଓ ମତ୍ସ୍ୟଜାତ ଦ୍ରବ୍ୟରେ ବିବିଧତା ଆଣିବା ଉପରେ ଗୁରୁତ୍ୱ ଦେଇଥିଲେ।
ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗର ସଚିବ (ମତ୍ସ୍ୟପାଳନ) ଡକ୍ଟର ଅଭିଲକ୍ଷ ଲିଖି ମତ୍ସ୍ୟପାଳନ ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବକୁ ବହୁଗୁଣିତ କରିବା ପାଇଁ କେନ୍ଦ୍ରୀୟ ଯୋଜନା, ରାଜ୍ୟର ବିଭିନ୍ନ ପଦକ୍ଷେପ, ଆର୍ଥିକ ଅନୁଷ୍ଠାନ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଏକ ପ୍ରଭାବଶାଳୀ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ ଓଡ଼ିଶାରେ ମତ୍ସ୍ୟପାଳନ କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସମୟାନୁବର୍ତ୍ତୀ ପ୍ରକଳ୍ପ ରୂପାୟନ, ପରିଣାମ-ଆଧାରିତ ଅନୁଧ୍ୟାନ ଏବଂ ନବସୃଜନ, ସ୍ଥିରତା ଓ ଅନୁଷ୍ଠାନିକ ସୁଦୃଢ଼ୀକରଣ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି।
ଏହି ସମୀକ୍ଷା ବୈଠକର ପ୍ରାରମ୍ଭରେ ଏନଏଫଡିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ବିଜୟ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିଥିଲେ। ସେ ଓଡ଼ିଶାରେ ଜୀବିକା ନିର୍ବାହ, ପୋଷଣ ନିରାପତ୍ତା ଏବଂ ରପ୍ତାନି ବୃଦ୍ଧି କ୍ଷେତ୍ରରେ ମତ୍ସ୍ୟଚାଷ ଓ ଜଳଜୀବପାଳନର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ।
ଏହାପରେ ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗର ଯୁଗ୍ମ ସଚିବ ଡକ୍ଟର ସୁରଭି ରାୟଙ୍କ ଦ୍ୱାରା ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରାଯାଇଥିଲା। ସେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ କେନ୍ଦ୍ରୀୟ ଯୋଜନା, ଯେପରିକି ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’, ମତ୍ସ୍ୟପାଳନ ଓ ଜଳଚର ଜୀବପାଳନ ଭିତ୍ତିଭୂମି ବିକାଶ ପାଣ୍ଠି, କିଷାନ କ୍ରେଡିଟ୍ କାର୍ଡ , ଏବଂ ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ସହ-ଯୋଜନାର ରୂପାୟନ ସ୍ଥିତିର ସମୀକ୍ଷା କରିଥିଲେ। ଏହି ଉପସ୍ଥାପନାରେ ପିଏମଏମଏସଓ୍ବାଇ ଅଧୀନରେ ହୋଇଥିବା ପ୍ରଗତି, ମତ୍ସ୍ୟପାଳନ ଭିତ୍ତିଭୂମିର ବିକାଶ, ମତ୍ସ୍ୟ ଅବତରଣ କେନ୍ଦ୍ର/ଜେଟି, ହାଚେରୀ, ଫିଡ୍ ମିଲ୍, ଜଳାଶୟରେ କେଜ୍ କଲ୍ଚର, ଜଳବାୟୁ-ସହନଶୀଳ ଉପକୂଳ ମତ୍ସ୍ୟଜୀବୀ ଗ୍ରାମ, କୃତ୍ରିମ ସାମୁଦ୍ରିକ ପାହାଡ଼, ମତ୍ସ୍ୟପାଳନ ସମବାୟ ସମିତି ଏବଂ ଏଫଏଫପିଓର ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ କେସିସି ସୁବିଧାର ସମ୍ପ୍ରସାରଣ, ଟ୍ରେସେବିଲିଟି, ପ୍ରକଳ୍ପ ରୂପାୟନ ଏବଂ ରପ୍ତାନି-ଭିତ୍ତିକ ମୂଲ୍ୟ ଶୃଙ୍ଖଳା ବିକାଶ ଭଳି ବିଶେଷ ଧ୍ୟାନ ଦେବାକୁ ଥିବା କ୍ଷେତ୍ରଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯାଇଥିଲା।
ଏହି ଅବସରରେ ଆଇସିଏଆର-କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ସଂସ୍ଥାନ (ଆଇସିଏଆର-ସିଫା), ନାବାର୍ଡ ଏବଂ ଏନସିଡିସିର ପ୍ରତିନିଧିମାନେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ, ସଂସ୍ଥାଗତ ଋଣ ସୁବିଧାର ବୃଦ୍ଧି, ସମବାୟ ସମିତିଗୁଡ଼ିକର ବିକାଶ, ଭିତ୍ତିଭୂମି ନିର୍ମାଣ, ମୂଲ୍ୟ ଶୃଙ୍ଖଳର ସୁଦୃଢ଼ୀକରଣ ଏବଂ ବଜାର ସଂଯୋଗୀକରଣ ମାଧ୍ୟମରେ ଓଡ଼ିଶାର ମତ୍ସ୍ୟପାଳନ କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ଚାଲିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ। ସେମାନେ ଉତ୍ପାଦନ, ଲାଭଦାୟକତା ଏବଂ ରପ୍ତାନି ପ୍ରତିଯୋଗିତା ବୃଦ୍ଧି କରିବା ପାଇଁ ହାଚେରୀ, ମତ୍ସ୍ୟ ଅବତରଣ କେନ୍ଦ୍ର ଓ ଜେଟି, ଅଧିକ କୋଲ୍ଡ ଚେନ୍ ଏବଂ ପ୍ରକ୍ରିୟାକରଣ କେନ୍ଦ୍ର ଭଳି ମତ୍ସ୍ୟପାଳନ ଭିତ୍ତିଭୂମିର ସମ୍ପ୍ରସାରଣ ଓ ସୁଦୃଢ଼ୀକରଣର ସୁଯୋଗ ଉପରେ ଆଲୋକପାତ କରିଥିଲେ। ଏଥିସହ ଅଧିକ ମୂଲ୍ୟଯୁକ୍ତ ପ୍ରଜାତି ଯେପରିକି- ଗଲଦା ଚିଙ୍ଗୁଡ଼ି, ଭେକ୍ଟି, ପୋମ୍ପାନୋ ଏବଂ ତିଲାପିଆ ଚାଷର ବିବିଧତାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରତିନିଧିମାନେ ରାଜ୍ୟର ମତ୍ସ୍ୟପାଳନ କ୍ଷେତ୍ରର ସମ୍ପୂର୍ଣ୍ଣ ସମ୍ଭାବନାକୁ କାର୍ଯ୍ୟରେ ଲଗାଇବା ପାଇଁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର, ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ଏବଂ ପୁଞ୍ଜିନିବେଶ ବୃଦ୍ଧି ଉପରେ ବିଶେଷ ଜୋର୍ ଦେଇଥିଲେ।
ଏସବୁ ଆଲୋଚନା ଓଡ଼ିଶାକୁ ଏକ ପ୍ରମୁଖ ମତ୍ସ୍ୟପାଳନ ଏବଂ ଜଳଚର ଜୀବପାଳନ କେନ୍ଦ୍ରରେ ପରିଣତ କରିବା ସହ ଭାରତର ନୀଳ ଅର୍ଥନୀତି ଅଭିଳାଷକୁ ସାକାର କରିବାରେ ବଡ଼ ଯୋଗଦାନ ଦେବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର, ବିଭିନ୍ନ ଗବେଷଣା ପ୍ରତିଷ୍ଠାନ, ଆର୍ଥିକ ଅନୁଷ୍ଠାନ ଏବଂ ମତ୍ସ୍ୟପାଳନ ସହ ଜଡ଼ିତ ସମସ୍ତ ଅଂଶୀଦାରଙ୍କ ମିଳିତ ତଥା ସମନ୍ୱିତ ପ୍ରୟାସକୁ ଦର୍ଶାଉଛି।
