Odisha news

ମେ’ ୧୧ରୁ ୧୩ ମଧ୍ୟର ବଙ୍ଗୋପସାଗର ମଧ୍ୟରେ ଲଘୁଚାପ ସମ୍ଭାବନା

0

ଭୁବନେଶ୍ବର:ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମେ’ ୧୧ରୁ ୧୩ ମଧ୍ୟରେ ଦକ୍ଷିଣ-ପଶ୍ଚିମରୁ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ମେ’ ମଧ୍ୟ ଭାଗରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ତେବେ ବାତ୍ୟା ହେବା ନେଇ ଏବେ ମଧ୍ୟ ଅନିଶ୍ଚିତତା ରହିଛି। ଓଡ଼ିଶା ପାଇଁ ବର୍ତ୍ତମାନ ଏକ ବାତ୍ୟା ଅପେକ୍ଷା ‘ଅସ୍ଥିର ପାଣିପାଗ’ର ଚିତ୍ର ସ୍ପଷ୍ଟ ହେଉଛି। ମେ’ ମଧ୍ୟଭାଗରେ ରାଜ୍ୟରେ କାଳବୈଶାଖୀ, ବିଜୁଳି ଘଡ଼ଘଡ଼ି ଓ ପ୍ରବଳ ପବନ ସହ ବର୍ଷା ପରିମାଣ ବଢ଼ିବ। ଉପକୂଳ ଜିଲ୍ଲାଗୁଡ଼ିକରେ ସମୁଦ୍ର ଅଶାନ୍ତ ସହ ପବନର ଗତି ବଢ଼ିପାରେ। ତେବେ ବର୍ତ୍ତମାନର ସ୍ଥିତି ଅନୁସାରେ ଏହା ଏକ ବର୍ଷା କରାଉଥିବା ପ୍ରଣାଳୀ ଭାବେ କାର୍ଯ୍ୟ କରିବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ କୌଣସି ବଡ଼ ବାତ୍ୟାର ସମ୍ଭାବନା ଦେଖାଯାଉ ନାହିଁ। ତଥାପି ମେ’ ୧୨ ପରେ ପ୍ରଣାଳୀର ଗତିପଥ ଅଧିକ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ଘୂର୍ଣ୍ଣିବଳୟ ପ୍ରଭାବରେ ମେ’ ୧୧ (ସୋମବାର)ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଲଘୁଚାପର ରୂପ, ତୀବ୍ରତା କ’ଣ ରହିବ ଏବଂ କେଉଁ ଅଞ୍ଚଳକୁ ପ୍ରଭାବିତ କରିବ ସେ ନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ। ସେପଟେ ମଧ୍ୟ ଓ ଉପରିସ୍ଥ ସ୍ତରର ପଶ୍ଚିମା ବାୟୁ ପ୍ରଭାବରେ ଏକ ନିମ୍ନ ଚାପରେଖା ସମୁଦ୍ର ପତ୍ତନଠାରୁ ୭.୬ କିମି ଉପରେ ରହିଛି। ଏହା ବର୍ତ୍ତମାନ ଉତ୍ତର-ପୂର୍ବ ବିହାରଠାରୁ ଝାଡ଼ଖଣ୍ଡ, ଓଡ଼ିଶା ଓ ଛତିଶଗଡ଼ ଦେଇ ଉପକୂଳ ଆନ୍ଧ୍ରପ୍ରଦେଶର ମଧ୍ୟ ଭାଗ ପର୍ଯ୍ୟନ୍ତ ଲମ୍ବିଛି। ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ବରଗଡ଼ ଓ ଘସିପୁରାରେ ସର୍ବାଧିକ ୪ ସେମି ଲେଖାଏଁ ବର୍ଷା ହୋଇଛି। ଉତ୍ତର ଉପକୂଳ ଓ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ସର୍ବାଧିକ ତାପମାତ୍ରା ୨ରୁ ୪ ଡିଗ୍ରି ହ୍ରାସ ପାଇଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲାଗୁଡ଼ିକର ସର୍ବାଧିକ ତାପମାତ୍ରାରେ କୌଣସି ବଡ଼ଧରଣର ପରିବର୍ତ୍ତନ ହେବ ନାହିଁ। ଏହାପରେ ତାପମାତ୍ରା ୨ରୁ ୪ ଡିଗ୍ରି ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

 

Govt
Leave A Reply