ବାଲିଗୁଡା, ତା, ୦୭/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ସେଣ୍ଟ ଜନ୍ସ ସ୍କୁଲର ଚତୁର୍ଥ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ମନୋରମ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହାପରେ ମାନ୍ୟଗଣ୍ୟ ଅତିଥିମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇ ମଞ୍ଚାସୀନ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଷ୍ଣୁଗୋବିନ୍ଦ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ନାୟକ, ସଲପଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶାଳିନୀ ପଟ୍ଟନାୟକ ଏବଂ ବ୍ଲକ କଂଗ୍ରେସ ସଭାପତି ଅନିଲ କୁମାର ଭୋଇ, ବିଦ୍ୟାଳୟ ର ପ୍ରିନ୍ସପାଲ ସାମୁଏଲ ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ଅତିରିକ୍ତ ଅଧ୍ୟକ୍ଷ ତଥା କାର୍ଯ୍ୟକାରୀ ସଚିବ ରଞ୍ଜିତ କୁମାର ଦିଗାଳ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରି ଅନୁଷ୍ଠାନର ସଫଳତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅତିଥିମାନଙ୍କ ଅଭିଭାଷଣ ପରେ ଶିକ୍ଷା, କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଏବଂ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା।ସମ୍ପୂର୍ଣ୍ଣ ମଞ୍ଚ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ କୁମାରୀ ଅସ୍ମିତା ଦିଗାଳ ପରିଚାଳନା କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା l
