Odisha news

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଓ ପାରାଦୀପ ପୋର୍ଟ ମଧ୍ୟରେ ‘ଇଞ୍ଜିନ୍-ଅନ୍-ଲୋଡ୍’ ଯୋଜନା ଚୁକ୍ତି ସ୍ୱାକ୍ଷରିତ

0

ଭୁବନେଶ୍ୱର : ପଣ୍ୟ ପରିବହନ କ୍ଷମତା ବୃଦ୍ଧି ଓ ପୋର୍ଟ–ରେଲ ସମନ୍ୱୟ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଓ ପାରାଦୀପ ପୋର୍ଟ ପ୍ରାଧିକାରୀଙ୍କ ମଧ୍ୟରେ ‘ଇଞ୍ଜିନ୍-ଅନ୍-ଲୋଡ୍ (EOL) ଯୋଜନା’ ଅଧୀନରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଏହି ଯୋଜନା ଅନୁଯାୟୀ, ପଣ୍ୟ ବୋଝେଇ ଓ ନିଷ୍କାସନ ସମୟରେ ଲୋକୋମୋଟିଭ୍‌ଗୁଡ଼ିକୁ ରେକ୍‌ ସହ ଲଗାଇ ରଖାଯିବ ଯାହାଦ୍ୱାରା ଇଞ୍ଜିନ୍‌ ଖୋଲିବା ଓ ପୁନଃ ସଂଯୋଗ କରିବାର ଆବଶ୍ୟକତା ପଡିବ ନାହିଁ । ଏହା ଦ୍ୱାରା ସମୟ ସଞ୍ଚୟ, ଲୋକୋମୋଟିଭ୍‌ର ଉତ୍ପାଦକତା ବୃଦ୍ଧି ଏବଂ ୱାଗନ୍‌ ଓ ଟ୍ରେନ୍‌ ରେକ୍‌ର ଦ୍ରୁତ ଟର୍ନ୍‌-ଏରାଉଣ୍ଡ ସମ୍ଭବ ହୋଇପାରିବ । ଏହି ଯୋଜନା ୟାର୍ଡ଼ ଓ ସାଇଡିଂ‌ରେ ଭିଡ଼ କମେଇ ପଣ୍ୟ ପରିଚାଳନାକୁ ଅଧିକ ସୁଗମ କରିବ ।

‘ଇଞ୍ଜିନ୍-ଅନ୍-ଲୋଡ୍’ ଯୋଜନା ଦ୍ୱାରା ପଣ୍ୟ ପରିବହନର ଦ୍ରୁତ ନିଷ୍କାସନ, ସମ୍ପତ୍ତିର ଉତ୍ତମ ବ୍ୟବହାର ଏବଂ ନିର୍ଭରଯୋଗ୍ୟ ଓ ସୁନିଶ୍ଚିତ ପଣ୍ୟ ସେବା ସୁନିଶ୍ଚିତ ହୋଇପାରିବ । ଅତିରିକ୍ତ ଢାଞ୍ଚା ତିଆରି ନକରି ସାମର୍ଥ୍ୟ ବୃଦ୍ଧି ଏହି ଯୋଜନାର ଏକ ମୁଖ୍ୟ ଲାଭ ଯାହା ଭାରତୀୟ ରେଲୱେର କାର୍ଯ୍ୟକୁଶଳତା ଓ ସୁସ୍ଥାୟୀ ପରିଚାଳନା ଲକ୍ଷ୍ୟ ସହ ସମନ୍ୱୟ ରଖେ ।

ପାରାଦୀପ ପୋର୍ଟ ଅଧ୍ୟକ୍ଷ ଶ୍ରୀ ପି. ଏଲ. ହରନାଧଙ୍କ ଉପସ୍ଥିତିରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍ ଓ ପାରାଦୀପ ପୋର୍ଟ ଟ୍ରାଫିକ୍‌ ମ୍ୟାନେଜର ଶ୍ରୀ ଜି. ଏଡିସନ୍ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।

ଏହି ରେଲ–ପୋର୍ଟ ସହଯୋଗ ପାରାଦୀପ ପୋର୍ଟରେ ପଣ୍ୟ କାରବାର କ୍ଷମତା ବୃଦ୍ଧି, ମଲ୍ଟିମୋଡାଲ୍‌ ଲଜିଷ୍ଟିକ୍ସ ସୁଦୃଢ଼ିକରଣ ଓ ପୂର୍ବତଟ ରେଳପଥର ପଣ୍ୟ ପରିବହନ ଚଳାଚଳକୁ ଅଧିକ ଗତିଶୀଳ କରି ଏହି ଅଞ୍ଚଳର ଆର୍ଥିକ ଉନ୍ନତିକୁ ସମର୍ଥନ ଦେବ ବୋଲି ଆଶା କରାଯାଉଛି ।

Leave A Reply