ରାଜ୍ୟ କାର୍ଯ୍ୟାଳୟରେ “କାରଗିଲ ବିଜୟ ଦିବସ” ପାଳନ , ରାଷ୍ଟ୍ରଭକ୍ତି, ଦେଶ ସେବା ଓ ସମର୍ପଣ ଭାବନା ନେଇ ନିରନ୍ତର କାର୍ଯ୍ୟ କରିବାକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ : ମନମୋହନ ସାମଲ
କାରଗିଲ ଯୁଦ୍ଧ ବିଜୟରେ ଦେଶମାତୃକାର ସେବା କରିବା ପାଇଁ ଆମ ବୀର ଯବାନ ଦେଇଥିବା ଶୈାର୍ଯ୍ୟ ଓ ବଳିଦାନକୁ କୋଟି କୋଟି ପ୍ରଣାମ
ବୀର ଯବାନଙ୍କ ଉଦେ୍ଦଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
ଅବସରପ୍ରାପ୍ତ ସେନାଧିକାରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,ତା.୨୬/୦୭: କାରଗିଲ ଯୁଦ୍ଧ ବିଜୟ ଭାରତୀୟ ଇତିହାସର ଏକ ଅବିସ୍ମରଣୀୟ ଦିନ । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବାର ଶିକ୍ଷା ଦେଇଛି କାରଗିଲ୍ ଯୁଦ୍ଧ । ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସୈନ୍ୟମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଶତୃପକ୍ଷକୁ ଧରାଶାୟୀ କରିଥିଲେ । ବିରାଟ ଷଡଯନ୍ତ୍ର ରଚିଥିବା ପଡୋଶୀ ପାକିସ୍ଥାନକୁ ଏହି ଯୁଦ୍ଧରେ ପରାଜିତ କରି ଦେଶମାତୃକାର ସେବା ପାଇଁ ଭାରତର ବୀର ସୈନିକମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଦେଶର ବୀର ସୈନିକମାନେ ଏହି ଯୁଦ୍ଧରେ ବିଜୟ ଆଣି ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଥିଲେ । ସେହି ଦିନଠାରୁ ପ୍ରତ୍ୟେକ ବର୍ଷ ଜୁଲାଇ ୨୬ ତାରିଖକୁ ‘କାରଗିଲ ବିଜୟ ଦିବସ’ ଭାବେ ପାଳନ କରାଯାଉଛି । ଶହୀଦ ବୀର ସୈନିକମାନଙ୍କ ସ୍ମୃତି ଉଦେ୍ଦଶ୍ୟରେ ଆଜି ଦେଶବ୍ୟାପୀ ୨୬ତମ କାରଗିଲ ବିଜୟ ଦିବସ ପାଳନ କରାଯାଉଛି ।
ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ରାଜ୍ୟ କାର୍ଯ୍ୟାଳୟଠାରେ ‘କାରଗିଲ ବିଜୟ ଦିବସ’ ପାଳନ କରାଯାଇଛି । ଏହି ଅବସରରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ଆଜିର ଦିନଟି ଏକ ପ୍ରେରଣା ଓ ଦେଶ ଭକ୍ତି ଭାବନାର ଦିନ ଅଟେ । ପାକିସ୍ଥାନ ନିଜ ପରାଜୟ ସୁନିଶ୍ଚିତ ହେବା ପରେ ଚୀନର ପ୍ରରୋଚନାରେ ଆମ ଦେଶକୁ ଆକ୍ରମଣ କରିବାକୁ ପ୍ରୟାସ କରିଥିବାବେଳେ ଆମ ବୀର ସେନାବାହିନୀ ତାକୁ ପଣ୍ଡ କରିଥିଲେ । କାରଗିଲ ଯୁଦ୍ଧରେ ଶହୀଦ୍ ହୋଇଥିବା ବୀର ସେନାନୀଙ୍କୁ ତାଙ୍କ ନିଜ ଗାଁକୁ ଆଣି ସମ୍ମାନ ଜଣାଇ ଶେଷକୃତ୍ୟ କରିବାର ନୂତନ ପରଂପରା ଆରମ୍ଭ ହୋଇଥିଲା । ଯାହାକି ଦେଶବାସୀଙ୍କ ଭିତରେ ଦେଶଭକ୍ତର ଭାବ ସୃଷ୍ଟି କରିଥିଲା । ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସମେତ ସାରା ଦେଶବାସୀ ଭାରତୀୟ ସେନାଙ୍କ ମନୋବଳ ବଢାଇଥିଲେ । ଶକ୍ତିଶାଳୀ ଓ ସାହସୀ ଭାରତୀୟ ସେନା ପାକିସ୍ଥାନର ଚକ୍ରାନ୍ତକୁ ପଣ୍ଡ କରି କାରଗିଲ୍ ଯୁଦ୍ଧରେ ପରାସ୍ତ କରିଥିଲା । କାରଗିଲ ଯୁଦ୍ଧ ବିଜୟରେ ଦେଶମାତୃକାର ସେବା କରିବା ପାଇଁ ଆମ ବୀର ଯବାନ ଦେଇଥିବା ଶୈାର୍ଯ୍ୟ ଓ ବଳିଦାନକୁ କୋଟି କୋଟି ପ୍ରଣାମ ଜଣାଇ ଏହି ବିଜୟ ବର୍ତମାନ ଓ ଭବିଷ୍ୟତ ପୀଢିକୁ ରାଷ୍ଟ୍ରଭକ୍ତି, ଦେଶ ସେବା ଓ ସମର୍ପଣ ଭାବନା ନେଇ ନିରନ୍ତର କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସାମଲ କହିଛନ୍ତି ।
ପଂଚାୟତରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଯୋଗ ଦେଇ କହିଛନ୍ତି ଯେ, ସୈନିକମାନଙ୍କ ପରାକାଷ୍ଠା ପାଇଁ ଆମେ କାରଗିଲ୍ ଯୁଦ୍ଧରେ ପାକିସ୍ଥାନକୁ ପରାସ୍ତ କରି ବିଜୟ ଲାଭ କରିଛୁ । ଆଜିର ଯୁବପିଢୀ ଦେଶମାତୃକା ପାଇଁ ନିସ୍ୱାର୍ଥପର ଭାବେ କାମ କରିବା ଦରକାର । ରାଷ୍ଟ୍ର ହେଉଛି ସର୍ବୋପରୀ । କାରଗିଲ୍ ଯୁଦ୍ଧ ସମୟରେ ଦେଶବାସୀଙ୍କ ସମର୍ଥନ ଭାରତୀୟ ସେନାର ଆତ୍ମବଳ ଦୃଢ କରିଥିଲା ।
ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ, ଶହୀଦ ହୋଇଥିବା ସମସ୍ତ ସୈନିକଙ୍କ ପାଇଁ ସାରା ଦେଶ ଆଜି ଗର୍ବିତ । ଭାରତୀୟ ସେନା ଯେଉଁ ଭଳି ଭାବେ କାରଗିଲ୍ ଯୁଦ୍ଧରେ ପାକିସ୍ଥାନକୁ ମୁହଁ ତୋଡ୍ ଜବାଜ ଦେବା ସହ ପାକିସ୍ଥାନକୁ ପଛକୁ ଯିବାକୁ ବାଧ୍ୟ କରିଥିଲା, ଏହା କେବଳ ଭାରତୀୟ ସୈନିକଙ୍କ ଦ୍ୱାରା ସମ୍ଭବ । ଭାରତୀୟ ସେନାର ତ୍ୟାଗ, ତପସ୍ୟା ଏବଂ ବଳିଦାନକୁ ଆମ ଦେଶ ସବୁବେଳେ ମନେ ରଖିବ । ଭାରତୀୟ ଜନତା ଯୁବମୋର୍ଚ୍ଚାର ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନିଶ୍ଚିନ୍ତ ଭାବେ ଭାରତୀୟ ସୈନିକମାନଙ୍କ ମନବଳ ଦୃଢ କରିବ ।
ଏହି ଅବସରରେ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନଙ୍କ ଉଦେ୍ଦଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହ ବିଜୟ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସେନାଧିକାରୀ ହାବିଲ୍ଦାର ସୁଶାନ୍ତ ଜେନା, ୱାରେଂଟ ଅଫିସର ଜଗବନ୍ଧୁ ସାହୁ ଯୋଗଦେଇ କାରଗିଲ୍ ଯୁଦ୍ଧ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ୨୦ ଜଣ ଅବସରପ୍ରାପ୍ତ ସେନାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରଶାନ୍ତ ପାଇକରାୟ, ସୁବ୍ରତ ବିଶ୍ୱାଳ, ମାନସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।