ତିହିଡି, ୧୮/୦୬: ସଂପ୍ରତି ରାଜ୍ୟରେ ଝାଡାବାନ୍ତି ରୋଗର ପ୍ରାଦୁର୍ଭାବ ଦେଖା ଦେଇଛି । ଭଦ୍ରକ ଜିଲ୍ଲା ବି ଏଥିରୁ ବାଦ ପଡିନାହିଁ । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ସମସ୍ତ ବ୍ଲକ ପ୍ରଶାସନକୁ ନିଦେ୍ର୍ଦଶ ଦିଆଯାଇଛି । ଏହାର ପ୍ରତିରୋଧ ଓ ନିରାକରଣ ନେଇ ଲୋକଙ୍କୁ ସଚେତନ କରିବା ସହିତ ହୋଟେଲ ବଜାର ଓ ଫାଷ୍ଟଫୁଡ ଦୋକାନୀ ମାନେ ଯେପରି ବାସି ଓ ନିମ୍ନମାନର ଖାଦ୍ୟ ବିକ୍ରି ନ କରନ୍ତି ସେ ଦିଗରେ କଡା ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ଏହି କ୍ରମରେ ଆଜି ତିହିଡି ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ନିରଞ୍ଜନ ବାରିକ, ସିଡିପିଓ ସବିତା ବେହେରା, ମେଡିକାଲ ସୁପରଭାଇଜର ଅମରେନ୍ଦ୍ର ପୃଷ୍ଟି ପ୍ରମୁଖ ତିହିଡି ବଜାରରେ ଥିବା ବିଭିନ୍ନ ହୋଟେଲ ଓ ଫାଷ୍ଟଫୁଡ ଦୋକାନରେ ବୁଲି ଖାଦ୍ୟର ମାନ ଯାଞ୍ଚ କରିଥିବା ବେଳେ ବାସି ଓ ନିମ୍ନ ମାନର ଖାଦ୍ୟ ବିକ୍ରୀରୁ ନିବୃତ୍ତ ରହିବାକୁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଠାରେ ସୂଚନା ଥାଉକି ଆଜିସୁଦ୍ଧା ତିହିଡି ଅଞ୍ଚଳରେ ଝାଡାବାନ୍ତି ରୋଗର ପ୍ରକୋପ ସେମିତି ଅନୁଭୂତ ହୋଇ ନଥିବା ବେଳେ ଗତକାଲି ଓ ଆଜି କାଁ ଭାଁ ଝାଡାବାନ୍ତି ସଂକ୍ରମିତ ରୋଗୀ ତିହିଡି ମେଡିକାଲକୁ ଆସି ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଯାଇଥିବା ମେଡିକାଲ ସୂତ୍ରରୁ ଜଣାଯାଇଛି ।