Odisha news

ମହାପ୍ରଭୁ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ର ମହତ୍ୱ

0

ଓଡ଼ିଆ ର ଗର୍ବ ଶ୍ରୀ ଜଗନ୍ନାଥ, ବ୍ରହ୍ମାଣ୍ଡ ର ଅନନ୍ତ କାଳରୁ ରହି ଆସିଛି ପ୍ରଭୁଙ୍କ ମହିମା, ସେ ପ୍ରତ୍ୟେକ ଓଡ଼ିଆ ଙ୍କ ହୃଦୟରେ ସର୍ବଦା ବିଦ୍ୟମାନ, କୋଟି ହିନ୍ଦୁଙ୍କ ର ମଉଡମଣି l ତାଙ୍କ ନିକଟରେ ନାହିଁ ଉଚା ନୀଚ ଭାବି, କାଳିଆ ସାଆନ୍ତ ସର୍ବଦା ଭକ୍ତର ଭାବରେ ବନ୍ଧା l ଆଜି ଜାଣିବା ନୀଳାଚଳ ବିହାରୀ ଙ୍କ ଦ୍ୱାଦଶ ଯାତ୍ରା କଣ ରହିଛି, ବର୍ତମାନ ଶ୍ରୀ ମହାପ୍ରଭୁ ଜ୍ବରରେ ପୀଡିତ, ବଡଭାଇ ବଳଭଦ୍ର ଓ ସାନ ଭଉଣୀ ମା ସୁଭଦ୍ରା ଙ୍କ ସହିତ ବର୍ତମାନ ନେଉଛନ୍ତି ବିଶ୍ରାମ l ରତ୍ନ ସିଂହାସନ ରେ ପୂଜା ପାଉଛନ୍ତି ପଟି ଦିଅଁ l

୧ – ସ୍ନାନ ଯାତ୍ରା –
ଜ୍ୟେଷ୍ଠ ଶୁକ୍ଳ ପୂର୍ଣିମା ଦିନ ସ୍ନାନ ଯାତ୍ରା ବା ଦେବ ସ୍ନାନ ଉତ୍ସବ ଅନୁଷ୍ଠିତ ହୁଏ, ସକାଳ ମଙ୍ଗଳାର୍ପଣ ପରେ ଚତୁର୍ଧା ମୂର୍ତି ଡୋର ଲାଗି ହୋଇ ପହଣ୍ଡି ରେ ସ୍ନାନ ମଣ୍ଡପ କୁ ବିଜେ କରନ୍ତି, ସେଠାରେ ମଙ୍ଗଳାଆଳତୀ ଠାରୁ ଦ୍ୱାରପାଳ ପୂଜା ଯାଏ ନୀତି ଅନୁଷ୍ଠିତ ହୁଏ, ଏହାପରେ ସୁନା କୂଅ ରୁ ଆସିଥିବା ଜଳରେ ସ୍ନାନ କରନ୍ତି, ଗଜପତି ମହାରାଜ ଛେରା ପହଁରା କରିବା ପରେ ଶ୍ରୀ ବିଗ୍ରହଙ୍କୁ ଗଜାନନ ବେଶରେ ସୁସଜ୍ଜିତ କରାଯାଇ ଥାଏ l

୨ – ରଥଯାତ୍ରା –
ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ଵିତୀୟା ଠାରୁ ଦଶମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପି ଯାତ୍ରାକୁ ରଥଯାତ୍ରା କୁହାଯାଏ, ଚତୁର୍ଧା ମୂରତି ପହଣ୍ଡି ହୋଇ ୩ରଥରେ ବିଜେ କରି ଭକ୍ତ ମାନଙ୍କ ମେଳାରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି, ଗୁଣ୍ଡିଚା ମନ୍ଦିରକୁ ତାଙ୍କ ଜନ୍ମ ବେଦୀ କୁହାଯାଏ, ଏହାପରେ ଦଶମୀ ତିଥିରେ ବାହୁଡା ଯାତ୍ରା କରି ଶ୍ରୀମନ୍ଦିର କୁ ଫେରନ୍ତି, ଏହାପରେ ରଥ ଉପରେ ଅଧର ନୀତି ଓ ସୁନାବେଶ ହୋଇଥାଏ, ଏବଂ ନୀଳାଦ୍ରି ବିଜେ ଦିନ ପହଣ୍ଡି ହୋଇ ଶ୍ରୀମନ୍ଦିର କୁ ବିଜେ କରନ୍ତି l

୩ – ଶୟନ ଯାତ୍ରା –
ଆଷାଢ଼ ଶୁକ୍ଲପକ୍ଷ ଏକାଦଶୀ ଦିନ ଶୟନ ଯାତ୍ରା ଅନୁଷ୍ଠିତ ହୋଇଥାଏ, ରଥର ଯାତ୍ରା କରି ମହାପ୍ରଭୁ ଶରୀର ପିଡାରେ ପୀଡିତ ହୋଇ ଥାଆନ୍ତି, ତେଣୁ ନିଜର କଷ୍ଟ ଦୂର କରିବା ପାଇଁ ମହାପ୍ରଭୁ ଆଷାଢ଼ ପୂର୍ଣିମାରେ ଶୟନ କରନ୍ତି, ଏହିଦିନ ଭଣ୍ଡାର ଘରୁ ତିନିମୁର୍ତି ଶୟନ ଠାକୁର ତିନିବାଡ଼ କୁ ବିଜେ କରନ୍ତି, ବଳଭଦ୍ର ଠାକୁର ବାସୁଦେବ, ସୁଭଦ୍ରାଙ୍କର ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥ ଙ୍କ ର ନାରାୟଣ, ଏହି ଶୟନ ଠାକୁର ମାନେ ତିନିବାଡ଼ ରେ ଶ୍ରୀଅଙ୍ଗ ଲାଗି ହେବାପରେ ହରିଶୟନ ଉତ୍ସବ ପାଳିତ ହୁଏ, ଶ୍ରୀମନ୍ଦିର ରେ ଏହି ଉତ୍ସବ ଚାରିମାସ ପାଳିତ ହୁଏ l

୪ – ଦକ୍ଷିଣାୟନ ଯାତ୍ରା –
କର୍କଟ ସଂକ୍ରାନ୍ତି ଦିନ ଏହି ଯାତ୍ରା ଅନୁଷ୍ଠିତ ହୁଏ, ଶ୍ରୀମନ୍ଦିରରେ ସକାଳ ଧୂପ ଓ ଭୋଗ ମଣ୍ଡପ ସରିବା ପରେ ମଇଲମ, ମହାସ୍ନାନ, ବୋଇରାଣୀ ଲୁଗା ଲାଗି, ଶ୍ରୀଅଙ୍ଗରେ ପ୍ରସାଦ ଲାଗି, ଅନ୍ନବଳୀ ଓ ବନ୍ଦାପନା ଆଦି କେତେକ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ l

୫ –  ପାର୍ଶ୍ୱପରିବର୍ତନ ଯାତ୍ରା –
ଭାଦ୍ରବମାସ ଶୁକ୍ଲପକ୍ଷ ଏକାଦଶୀ ତିଥିରେ ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା ଅନୁଷ୍ଠିତ ହୁଏ, ଶ୍ରୀମନ୍ଦିର ବଲ୍ଲଭ ବଡ଼ ସିଂହାର ଭୋଗ ପରେ କର୍ପୁର ଆଳତୀ ହୋଇ ତିନି ଶୟନ ଠାକୁର ଙ୍କ କଡ଼ଲେଉଟା ହୋଇ ପାର୍ଶ୍ୱ ପରିବର୍ତ୍ତନ କରାଯାଏ, ଠାକୁରଙ୍କ ଦକ୍ଷିଣ ଦିଗକୁ ରଖିଥିବା ମୁଖ  ଦିଗକୁ  ହୁଏ l

୬ –  ଦେବ ଉତଥାପନ ଯାତ୍ରା –
ଶ୍ରୀହରି ଉତ୍ଥାପନ  ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ହୋଇଥାଏ, ବାଳଧୂପ ଶେଷ ହେବା ପରେ ମହାପ୍ରଭୁଙ୍କୁ ବନ୍ଦାପନା କରାଯାଏ, ମହାସ୍ନାନ ପରେ ଚନ୍ଦନ ଲାଗି, ନୂଆ ଲୁଗା, ମାଳ ଫୁଲ ଲାଗି ହୋଇଥାଏ ଏହାପରେ ଅଳଙ୍କାର ଲାଗି ହୋଇଥାଏ l ବଲ୍ଲଭ ବଡ ସିଂହର ପରେ ସାୟଂ ଠାକୁରମାନେ ଭଣ୍ଡାର ଘରକୁ ବିଜେ କରନ୍ତି l

୭ – ପ୍ରାବରଣ ଯାତ୍ରା –
ମାର୍ଗଶିର ମାସ ଶୁକ୍ଲପକ୍ଷ ଷଷ୍ଠୀ ଦିନ ଶ୍ରୀବିଗ୍ରହ ମାନଙ୍କର ଘୋଡଲାଗି ନୀତି ଅନୁଷ୍ଠିତ ହୋଇଥାଏ, ବସନ୍ତ ପଞ୍ଚମୀ ଦିନ ଯାଏ ମହାପ୍ରଭୁ ଘୋଡଲାଗି ବେଶ ହୁଅନ୍ତି, ଏହାକୁ ପ୍ରାବରଣ ଯାତ୍ରା କୁହାଯାଏ, l

୮ – ପୁଷ୍ପାଭିଷେକ ଯାତ୍ରା –
ପୌଷ ପୁର୍ଣିମା ରେ ମହାପ୍ରଭୁଙ୍କର ରାଜ୍ୟାଭିଷେକ ହୋଇଥାଏ, ଏହିଦିନ ଶ୍ରୀଜଗନ୍ନାଥ ରାମଚନ୍ଦ୍ର ଭାବରେ ଅଭିଷିକ୍ତ ହୁଅନ୍ତି, ୧୦୮ ଗଡୁ ଅଭିମନ୍ତ୍ରିତ ଜଳରେ ଜଳଲାଗି ଅଭିଷେକ ହୁଏ ଓ ସେହିଦିନ  ରତ୍ନସିଂହାସନ ରେ ସୁନାବେଶ ହୋଇଥାଏ l

୯ – ଉତ୍ତରାୟଣ ଯାତ୍ରା –
ମକର ସଂକ୍ରାନ୍ତି ଦିନ ଉତ୍ତରାୟଣ ଯାତ୍ରା ହୋଇଥାଏ, ସେହିଦିନ ନୂଆ ଚାଉଳ ରେ ମକର ଚାଉଳ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ନିକଟରେ ଭୋଗ କରାଯାଏ l ଏହାକୁ ଉତ୍ତରାୟଣ ଯାତ୍ରା କୁହାଯାଏ l

୧୦ – ଦୋଳଯାତ୍ରା –
ଫାଲଗୁନ ଶୁକ୍ଲପକ୍ଷ ଦଶମୀ ଦିନ ହୋଇଥାଏ ଦୋଳଯାତ୍ରା,ଏହି ଯାତ୍ରା ସାତଦିନ ଯାଏ ଅନୁଷ୍ଠିତ ହୁଏ, ପୁର୍ଣିମା ଦିନ ଦୋଳ ଗୋବିନ୍ଦ , ଶ୍ରୀଦେବୀ ଓ ଭୂଦେବୀ ଦୋଳ ବିମାନ ରେ ବିଜେ କରି ଦୋଳ ବେଦୀରେ ଅଧିଷ୍ଠାନ କରନ୍ତି, ଏହିଦିନ ଶ୍ରୀମନ୍ଦିର ରେ ସୁନା ବେଶ ହୋଇଥାଏ l

୧୧ – ଦମନକ ଯାତ୍ରା –
ଚୈତ୍ରମାସ ଶୁକ୍ଲପକ୍ଷ ଚତୁର୍ଦଶୀ ତିଥିରେ ଦମନକ ଯାତ୍ରା ବା ଦୟଣା ଲାଗି ଉତ୍ସବ ପାଳନ ହୋଇଥାଏ, ତ୍ରୟୋଦଶୀ ଦିନ ରାମକୃଷ୍ଣ ଙ୍କୁ ଜଗନ୍ନାଥ ବଲ୍ଲଭ କୁ ନିଆଯାଇ ଦମନକ ଅସୁର ଭାବେ, ଦୟାଣା ଗଛକୁ ଶ୍ରୀମନ୍ଦିର ରେ ରଖାଯାଏ, ଚତୁର୍ଦଶୀ ଦିନ ମହାପ୍ରଭୁ ଙ୍କୁ ଲାଗି ହୁଏ l

୧୨ – ଚନ୍ଦନ ଯାତ୍ରା –
ଅକ୍ଷୟ ତୃତୀୟା ତିଥିରେ ଜ୍ୟେଷ୍ଠ ଶୁକ୍ଲପକ୍ଷ ଚତୁର୍ଦଶୀ ପର୍ଯ୍ୟନ୍ତ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ, ଏହି ସମୟ ରେ ମଦନମୋହନ , ରାମ, କୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ପଞ୍ଚପାଣ୍ଡଵ ଙ୍କ ସହିତ  ବିମାନ ରେ ନରେନ୍ଦ୍ର ପୁଷ୍କରିଣୀ କୁ ଯାଇ ପ୍ରତ୍ୟହ ଚାପ ଖେଳନ୍ତି, ଚାପରେ ଶେଷଦିନ ଭଉଁରୀ ଉତ୍ସବ ପାଳିତ ହୋଇଥାଏ l

Nalco
Leave A Reply