ତିହିଡି(ଯଦୁମଣି ପାଣିଗ୍ରାହୀ): ତିହିଡି ତହସିଲରେ ଚାଲିଥିବା ବିଭିନ୍ନ ଦୁର୍ନୀତି ଓ ଅନିୟମିତତା ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହ ଦୁର୍ନୀତି ଓ ଅନିୟମିତତାରେ ଜଡିତ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଏଠାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟରତ କର୍ମଚାରୀ ଜଣଙ୍କ ପ୍ରାୟ ୧୫ ବର୍ଷ ହେଲା ମନମୁଖୀ କାର୍ଯ୍ୟ ଚଳାଇଛନ୍ତି । ଉକ୍ତ କର୍ମଚାରୀ ଜଣଙ୍କ ହାତଗୁଞ୍ଜା ନେଇ ନିର୍ଦ୍ଦିଷ୍ଟ କିଛି ଜନ ସେବା କେନ୍ଦ୍ର ଲାଗି କାର୍ଯ୍ୟ କରୁଛନ୍ତି । ରେକର୍ଡ ରୁମରେ କାର୍ଯ୍ୟରତ ଜଣେ ଅଣ କର୍ମଚାରୀ ବିନା କାରଣରେ ସାଧାରଣ ଲୋକଙ୍କୁ ଆର୍ଥିକ ଶୋଷଣ କରୁଛନ୍ତି । ଏଠାରେ ପ୍ଲଟ ଇଣ୍ଡେକ୍ସ ମିଳିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଲୋକଙ୍କୁ ଦିଆଯାଉନି । ଯାହାଫଳରେ ଲୋକେ ବାଧ୍ୟହୋଇ ଜିଲ୍ଲା ଅଫିସକୁ ଯାଇ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ସେହିପରି ସ୍ଥାନୀୟ ଅଞ୍ଚଚଳର ଜଣେ କର୍ମଚାରୀ ପ୍ରାୟ ୨୫ ବର୍ଷ ହେବ ଏଠାରେ ଗାଦି ମାଡି ବସିଛନ୍ତି । ୪ଟି ବିଭାଗ ଦାୟିତ୍ୱରେ ଥିବା ଏହି କର୍ମଚାରୀ ଜଣଙ୍କ ବିଭିନ୍ନ ଅନିୟମିତାରେ ସଂପୃକ୍ତ ଥିବା ବେଳେ ରାଜନୈତିକ ଲୋକଙ୍କ ଛତ୍ରଛାୟା ତଳେ ରହି ନିଷ୍କଣ୍ଟକ ଗାଦିଭୋଗ କରୁଛନ୍ତି । ଏଠାରେ କାର୍ଯ୍ୟରତ ବଡବାବୁ ଜଣଙ୍କ ଆଖି ବୁଜି ବୁଜି କ୍ଷୀର ପିଉଥିବା ବେଳେ ଅସଲରେ ସବୁ ବେନିୟମ କାରବାରରେ ଏହାଙ୍କ ସଂପୃକ୍ତି ରହିଥିବା ଲୋକେ ଅଭିଯୋଗ କରୁଛନ୍ତି । ନାମଜାରୀ ପାଇଁ ଆବେଦନ କଲେ ମଧ୍ୟ ମାସାଧିକ କାଳ ଲାଗି ସେମାନଙ୍କୁ ନମ୍ବର ଦିଆଯାଉନି । ନାମଜାରୀ ପଟ୍ଟାରେ ନାମ ଦର୍ଶାଯାଉନି । ଅଭିଯୋଗ କଲେ ମିସ କେସ କରିବାକୁ କୁହାଯାଉଛି । ଏହି ତହସିଲରେ ଅସଂଖ୍ୟ ମିସ କେସ ଓ ବେବନେ୍ଦାବସ୍ତ କେସ ଫଇସଲା ନ ହୋଇ ପଡିରହିଛି । ସେହିପରି ଭଦ୍ରକ ସିଭିଲ କୋର୍ଟରେ ହୋଇଥିବା ଆଦେଶକୁ ଏଠାରେ କାର୍ଯ୍ୟକାରୀ କରାଯାଉନି । ୨୦୧୭ ମସିହାରେ ତକ୍ରାଳୀନ ତହସିଲଦାର ଫଇସଲା କରିଥିବା ନାମଜାରୀ କେସ ଓ ମିସ କେସ ସଂକ୍ରାନ୍ତୀୟ ପଟ୍ଟା ଲୋକଙ୍କୁ ପ୍ରଦାନ କରାଯାଉନି । ୧୯(୧) ସିଓଏଲଆର କେସ ଗୁଡିକ ତହସିଲରେ ପଡି ରହିଥିଲେ ମଧ୍ୟ ତା’ର ନମ୍ବର କି ବିଚାର କରାଯାଉନି । ବାଇ ପଟ୍ଟାରେ ଆରଆଇ ମାନେ ଜାତି ପ୍ରମାଣପତ୍ର ପାଇଁ ରିପୋର୍ଟ ଦେବା ପରେ ଜାତି ପ୍ରମାଣପତ୍ର ମିଳୁନାହିଁ । ସରକାରୀ ନିୟମ ଅନୁସାରେ ଏଠାରେ ୩ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରି ଥିବା କର୍ମଚାରୀଙ୍କୁ ଏଠାରୁ ବଦଳି କରାଯାଉନି । ନିର୍ମଳ ଦଳାଇ, ତପନ କୁମାର ପଣ୍ଡା, ସତ୍ୟବ୍ରତ କୁଣ୍ଡ, ଭାଗିରଥି ସାହୁ, କାହ୍ନୁ ବେହେରା, ଶ୍ରୀକାନ୍ତ ପଣ୍ଡା ଓ ପୁରୁଷୋତ୍ତମ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ପହଞ୍ଚି ଏଭଳି ଅଭିଯୋଗ ଆଗତ କରିବା ସହିତ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଖୁବଶିଘ୍ର ଏହାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ସେମାନଙ୍କୁ ଆଶ୍ୱାସନା ଦେଇଥିବା ଜଣାଯାଇଛି ।
